ନୂଆଦିଲ୍ଲୀ,୦୯/୧୧: ଭାରତର ପ୍ରଧାନ ବିଚାରପତି (ସିଜେଆଇ) ଡି.ୱାଇ  ଚନ୍ଦ୍ରଚୂଡ଼ ନଭେମ୍ବର ୧୦ରେ ଅବସର ନେବେ ।  ୧୦ ତାରିଖ ରବିବାର ଥିବାରୁ ଶୁକ୍ରବାର  ସୁପ୍ରିମକୋର୍ଟରେ ତାଙ୍କ ଶେଷ କାର୍ଯ୍ୟଦିବସ ଥିଲା । ସିଜେଆଇଙ୍କୁ ବିଦାୟ ସମ୍ବର୍ଦ୍ଧନା ଦେବା  ଲାଗି ସେରିମୋନିଆଲ ଖଣ୍ଡପୀଠ ବସିଥିଲା । ଏହାର ସିଧା ପ୍ରସାରଣ କରାଯାଇଥିଲା ।  ଏହି ଅବସରରେ ସିଜେଆଇ ବେଶ୍‌ ଭାବୁକ  ହେବା ସହ କାହାକୁ କଷ୍ଟ ଦେଇଥିଲେ କ୍ଷମା  କରିଦେବେ ବୋଲି କହିଥିଲେ । ଆବଶ୍ୟକ  ସମୟରେ ଲୋକଙ୍କ ସେବାଠାରୁ ବଳି ଖୁସି  ଆଉ କିଛି ବି ନାହିଁ । ପ୍ରତି ମୁହୂର୍ତ୍ତରେ ମୁଁ ଏହି  ଅଦାଲତରୁ କିଛି ନା କିଛି ଶିଖିବାକୁ ପାଇଛି ।  

ଏହା ହିଁ ମୋତେ ଆଗକୁ ବଢ଼ାଇବାକୁ ପ୍ରେରଣା  ଦେଇଛି । ସମାଜକୁ ସେବା କରିବାର ଅବସର  ମୋତେ ଏଠାରୁ ମିଳିଛି ବୋଲି ସିଜେଆଇ  କହିଥିଲେ । ଏହି ସମୟରେ ସେ ଆଗକୁ  ନଇଁବା ସହ ହାତ ଯୋଡ଼ିବା ମୁଦ୍ରାରେ ଛିଡ଼ା  ହୋଇଥିଲେ । କାର୍ଯ୍ୟକ୍ରମରେ ସିଜେଆଇଙ୍କ  ସହ ଜଷ୍ଟିସ୍‌ ମନୋଜ ମିଶ୍ର, ଜଷ୍ଟିସ୍‌ ଜେ.ବି  ପାର୍‌ଦିୱାଲା, ବରିଷ୍ଠ ଓକିଲଙ୍କ ସମେତ ଆସନ୍ତା  ୧୧ ତାରିଖରେ ପ୍ରଧାନ ବିଚାରପତି ଭାବେ ପଦ  ସମ୍ଭାଳିବାକୁ ଥିବା ଜଷ୍ଟିସ୍‌ ସଞ୍ଜୀବ ଖାନ୍ନା ମଧ୍ୟ  ସାମିଲ ହୋଇଥିଲେ । ସିଜେଆଇ ଚନ୍ଦ୍ରଚୂଡ଼ଙ୍କ  ପରେ ଜଷ୍ଟିସ୍‌ ଖାନ୍ନା ଭାରତର ୫୧ତମ ପ୍ରଧାନ  ବିଚାରପତି ହେବେ । 

୨୦୧୬ ମେ ୧୩ରେ ସିଟିଂ ଜଜ୍‌ ଭାବେ  ଆହ୍ଲାବାଦ୍‌ ହାଇକୋର୍ଟ ମୁଖ୍ୟ ବିଚାରପତିରୁ  ସୁପ୍ରିମକୋର୍ଟକୁ ଜଷ୍ଟିସ୍‌ ଚନ୍ଦ୍ରଚୂଡ଼ଙ୍କ  ପଦୋନ୍ନତି ହୋଇଥିଲା । ୨୦୨୨ ନଭେମ୍ବର  ୯ରେ ସେ ପ୍ରଧାନ ବିଚାରପତି ଭାବେ  ଦାୟିତ୍ୱ ସମ୍ଭାଳିଥିଲେ । ନିଜ କାର୍ଯ୍ୟକାଳରେ  ସିଜେଆଇ ଚନ୍ଦ୍ରଚୂଡ଼ ୧,୨୭୪ ଖଣ୍ଡପୀଠର  ଅଂଶ ରହିଛନ୍ତି । ସେ ମୋଟ ୬୧୨ ମାମଲାର  ଫଇସଲା ଲେଖିଛନ୍ତି । ସୁପ୍ରିମକୋର୍ଟର ଏବେର ବିଚାରପତିଙ୍କ ମଧ୍ୟରେ ସେ ସବୁଠୁ ଅଧିକ  ଫଇସଲା ଲେଖିଛନ୍ତି । କାର୍ଯ୍ୟକାଳର ଶେଷ  ଦିନରେ ବି ସେ ୪୫ ମାମଲାର ଶୁଣାଣି କରିଥିଲେ । ଶୁଣାଣି ପରେ ଜଷ୍ଟିସ୍‌ ପି.  ନରସିହ୍ମା ପୀଠରେ ଥିବାବେଳେ ହିଁ ଜଷ୍ଟିସ୍‌  ଚନ୍ଦ୍ରଚୂଡ଼ଙ୍କ ଉପରେ ନିଜ ଭାବନା ବ୍ୟକ୍ତ  କରିବା ଆରମ୍ଭ କରିଦେଇଥିଲେ । ଏହି  ସମୟରେ ଜଷ୍ଟିସ୍‌ ଚନ୍ଦ୍ରଚୂଡ଼ ପକେଟରୁ  ରୁମାଲ କାଢ଼ି ଆଖିରୁ ଲୁହ ପୋଛୁଥିବା  ଦେଖିବାକୁ ମିଳିଥିଲା । 

ସିଜେଆଇ ଚନ୍ଦ୍ରଚୂଡ଼  କହିଥିଲେ, ରାତିରେ ଭାବୁଥିଲି ଯେ ଶୁକ୍ରବାର  ଅପରାହ୍ନ ୨ଟାରେ ସୁପ୍ରିମକୋର୍ଟ ପରିସର  ତ ଖାଲି ଥିବ । ସ୍କ୍ରିନ୍‌ରେ କେବଳ ନିଜେ  ନିଜକୁ ଦେଖୁଥିବି । କିନ୍ତୁ ଆପଣ ସମସ୍ତଙ୍କ  ଉପସ୍ଥିତି ଦେଖି ଅଭିଭୂତ । ଛୋଟ ଥିବାବେଳେ  ସୁପ୍ରିମକୋର୍ଟର କାର୍ଯ୍ୟବାହୀ ଏବଂ କୋର୍ଟରେ  ଲାଗି ଥିବା ଦୁଇ ଛବିକୁ ଦେଖୁଥିଲି । ବମ୍ବେ  ହାଇକୋର୍ଟରେ ଜଷ୍ଟିସ୍‌ ଚୋଗଲାଙ୍କ ବହୁତ  ପ୍ରଭାବ ମୋ ଉପରେ ପଡ଼ିଥିଲା । ଆମେ ସବୁ  ଏଠାରେ ଯାତ୍ରୀ ପରି । ମାତ୍ର କିଛି ସମୟ ପାଇଁ  ଆମେ ଏଠାକୁ ଆସିଛୁ । ନିଜ ନିଜ କାମ ସାରି  ସଭିଏଁ ଚାଲିଯିବୁ । ଅଦାଲତ ରୂପରେ ଏହି  ସଂସ୍ଥା ସବୁବେଳେ ଚାଲିବ ଏବଂ ଏଠାରେ  ବିଭିନ୍ନ ବିଚାରଧାରର ଲୋକ ଆସିବେ, ଯିବେ ।  ମୋର ପୂରା ଭରସା ଯେ ଜଷ୍ଟିସ୍‌ ଖାନ୍ନା ଏହି  ନ୍ୟାୟିକ ସଂସ୍ଥାକୁ ଦୃଢ଼ତା ଏବଂ ଗରିମାର ସହ  ଆଗକୁ ବଢ଼ାଇବେ ।   

ଜଷ୍ଟିସ୍‌ ଚନ୍ଦ୍ରଚୂଡ଼ ଜଷ୍ଟିସ୍‌ ପାରଦିୱାଲା  ଏବଂ ଜଷ୍ଟିସ୍‌ ମନୋଜ ମିଶ୍ରଙ୍କ ସହ ଥିବା  ତାଙ୍କ ଅନୁଭୂତି ମଧ୍ୟ ବଖାଣିଥିଲେ । ଆଗକୁ  ବଢ଼ିବା ପାଇଁ ଏହି ଅଦାଲତ ହିଁ ତାଙ୍କୁ ପ୍ରେରଣା  ଯୋଗାଇଥିବା କହିଥିଲେ । ଆମେ ଜୀବନରେ  ଏପରି ଲୋକଙ୍କୁ ଭେଟିଥାଉ ଯେଉଁମାନେ  ଆମକୁ ଜାଣି ନ ଥାନ୍ତି । ଏପରି ଅନୁଭବ  ଜୀବନକୁ ଏକ ନୂଆ ଦୃଷ୍ଟିକୋଣ ଦେଇଥାଏ  ବୋଲି ସେ କହିଥିଲେ । ଆଗକୁ ଚନ୍ଦ୍ରଚୂଡ଼  କହିଥିଲେ, ଆଜି ବି ବହୁତ କିଛି ଶିଖିଲି ।  ଯଦି କୋର୍ଟରେ କାହାକୁ ମୋ କାରଣରୁ କଷ୍ଟ  ହୋଇଛି ତେବେ ତାଙ୍କୁ ବିନମ୍ରତାପୂର୍ବକ  କ୍ଷମା ମାଗୁଛି । ଶେଷରେ ଚନ୍ଦ୍ରଚୂଡ଼ ସଭିଁଙ୍କୁ  ଧନ୍ୟବାଦ ଜଣାଇଥିଲେ ।