ପ୍ରମୂଖ ଖବର
  • ଉଜ୍ଜ୍ୱଳା ସବ୍‌ସିଡି ପାଇଁ ୧୨ ହଜାର କୋଟି ମଞ୍ଜୁରୀ, ତୈଳ କମ୍ପାନିଙ୍କୁ ୩୦ ହଜାର କୋଟି କ୍ଷତିପୂରଣ
  • ||
  • ବିଜେବି ନଗରରେ ବ୍ୟାପିଲା ଜଣ୍ଡିସ୍, ପାଣି ନମୁନା ସଂଗ୍ରହ ସହ ସତର୍କ ରହିବାକୁ ପରାମର୍ଶ
  • ||
  • ଜମ୍ମୁକାଶ୍ମୀରରେ ଆତଙ୍କବାଦୀଙ୍କ ସହ ଗୁଳିବିନିମୟରେ ୨ ଯବାନ ସହିଦ ୧୦ ଜଣ ଗୁରୁତର ଆହତ
  • ||
  • ନୂଆପଡ଼ା : ଏନ୍‌ଏଚ୍ ୩୫୩ କ୍ରିଷ୍ଣା ଛକରେ ଦୁର୍ଘଟଣା; ଟ୍ରକ୍‌ ଧକ୍କାରେ ମାମୁ ଭଣଜା ମୃତ
  • ||
  • ଋଷ-ୟୁକ୍ରେନ୍‌ ଯୁଦ୍ଧ ଶେଷ କରିବା ପ୍ରସ୍ତୁତି ,ଅଗଷ୍ଟ ୧୫ରେ ଡୋନାଲ୍ଡ ଟ୍ରମ୍ପ ଓ ପୁଟିନ୍‌ଙ୍କ ବଡ଼ ବୈଠକ
  • ||
  • ରାକ୍ଷୀ ପୂର୍ଣ୍ଣିମା; ଭାଇ ହାତରେ ସମ୍ପର୍କର ସୂତା ବାନ୍ଧି ସୁରକ୍ଷାର ପ୍ରତିଶ୍ରୁତି ନେଲେ ଭଉଣୀ
  • ||
  • ରାକ୍ଷୀ ପୂର୍ଣ୍ଣିମାରେ ମିଳିବ ସୁଭଦ୍ରା ତୃତୀୟ କିସ୍ତି; ଜୟପୁର ସଭାରୁ ଟଙ୍କା ବାଣ୍ଟିବେ ମୁଖ୍ୟମନ୍ତ୍ରୀ
  • ||

୯ ଜିଲ୍ଲାରେ ନିଅଣ୍ଟିଆ ବର୍ଷା,ଚାଷୀଙ୍କୁ ଜରୁରୀ ପଦକ୍ଷେପ ନେବାକୁ ପରାମର୍ଶ

Published By : Anindita Ratha | August 9, 2025 8:54 AM

ଭୁବନେଶ୍ୱର,୦୯/୦୮: ଏବେ ରାଜ୍ୟର ୯ଟି ଜିଲ୍ଲାରେ ନିଅଣ୍ଟିଆ ବର୍ଷା ସ୍ଥିତି ରହିଛି । ଗଜପତି, ରାୟଗଡ଼ା, ଗଞ୍ଜାମ, କଳାହାଣ୍ଡି, ନବରଙ୍ଗପୁର, ବଲାଙ୍ଗୀର, ନୂଆପଡ଼ା, ଖୋର୍ଦ୍ଧା ଓ ପୁରୀ ଜିଲ୍ଲାରେ ନିଅଣ୍ଟିଆ ସ୍ଥିତି ରହିଛି । ଆସନ୍ତା ୧୩ ତାରିଖରୁ ହେବାକୁ ଥିବା ଲଘୁଚାପ ବର୍ଷାରେ ଏହି ନିଅଣ୍ଟିଆର ଭରଣାର କ୍ୱଚିତ୍‌ ଆଶା ରହିଛି ବୋଲି ବରିଷ୍ଠ କୃଷି ପାଣିପାଗବିତ୍‌ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ ପୂର୍ବାନୁମାନ କରିଛନ୍ତି । ପାଣିପାଗ ବିଭାଗର ତଥ୍ୟ ଅନୁସାରେ ଗଜପତି ଓ ପୁରୀ ଜିଲ୍ଲାରେ ଏବେ ସର୍ବାଧିକ ୪୦% ନିଅଣ୍ଟିଆ ବର୍ଷା ସ୍ଥିତି ରହିଛି । ରାୟଗଡ଼ାରେ ୩୩%, କଳହାଣ୍ଡିରେ ୩୨%, ବଲାଙ୍ଗୀର ଓ ନବରଙ୍ଗପୁରରେ ୨୩%, ନୂଆପଡ଼ାରେ ୨୧%, ଗଞ୍ଜାମ ଜିଲ୍ଲାରେ ୨୮%, ଖୋର୍ଦ୍ଧାରେ ୨୫% ନିଅଣ୍ଟିଆ ବର୍ଷା ହୋଇଛି ।

ପ୍ରଫେସର ପଶୁପାଳକଙ୍କ  ଆକଳନ ଅନୁସାରେ ଆସନ୍ତା ୧୩ରେ ଦକ୍ଷିଣ ଓଡ଼ିଶା ଉପକୂଳ ଓ ଏହାର ସଂଲଗ୍ନ ଆନ୍ଧ୍ର ଉପକୂଳରେ ଲଘୁଚାପ ସୃଷ୍ଟି ହୋଇପାରେ । ଲଘୁଚାପ ପ୍ରଭାବରେ ସେହି ଦିନଠାରୁ ବର୍ଷା ଆରମ୍ଭ ହୋଇଯିବ । ୧୫ରୁ ୧୮ ତାରିଖ ଯାଏ ପୂରା ରାଜ୍ୟରେ ବର୍ଷା ହେବ । କିନ୍ତୁ ଲଘୁଚାପ ସତ୍ତେ୍ୱନିଅଣ୍ଟିଆ ବର୍ଷା ହୋଇଥିବା ୯ଟି ଜିଲ୍ଲାର ସ୍ଥିତିରେ କୌଣସି ସୁଧାର ଆସିବନି । କୌଣସି ସ୍ଥାନରେ ଭାରି ବର୍ଷା ହେବନି, ବରଂ ସ୍ୱଳ୍ପ ବର୍ଷା ହୋଇପାରେ । କମ୍‌ ପରିମାଣର ବର୍ଷା ଯୋଗୁ ଏବେ ବିଭିନ୍ନ ସ୍ଥାନରେ ରୁଆ, ବେଉଷା ବାଧାପ୍ରାପ୍ତ ହେଉଛି । ଆଗକୁ ବି ଏଥିରେ ସୁଧାର ଆସିବା ଆଶା କ୍ଷୀଣ । ପୁରୀ, ଗଞ୍ଜାମ ଓ ଗଜପତି ଜିଲ୍ଲାରେ ମୋଟ ମୌସୁମୀ ବର୍ଷା ପରିମାଣ ୩୩୦ ମିମିରୁ କମ୍‌ ରହିଛି । ଗତ ତିନି ସପ୍ତାହ ହେବ ଦକ୍ଷିଣ ଓଡ଼ିଶାର ଅନେକ ସ୍ଥାନରେ ବର୍ଷା ଲଗାତର ନିଅଣ୍ଟିଆ ରହିଛି । ତଳି ବଢ଼ିଥିଲେ ବି ରୁଆ ହୋଇପାରୁନି । ସିଧା ବୁଣା ଧାନରେ ବେଉଷଣ ହୋଇପାରୁନି । ବର୍ଷା ଅଭାବ ଭରଣା ହେବାର ସମ୍ଭାବନା କମ୍‌ ଥିବାରୁ ଏହାର ମୁକାବିଲା ପାଇଁ ଚାଷୀମାନେ ଏବେଠାରୁ ଜରୁରୀ ପଦକ୍ଷେପ ନେବାକୁ ସେ ପରାମର୍ଶ ଦେଇଛନ୍ତି । ଉତ୍ତର ଆଭ୍ୟନ୍ତର ଓ ପଶ୍ଚିମ ଓଡ଼ିଶାରେ ନିଅଣ୍ଟିଆ ସ୍ଥିତି ଆଶଙ୍କା ଥିବାରୁ ଏହାକୁ ସାମ୍ନା ପାଇଁ ଏବେଠାରୁ ଜରୁରୀକାଳୀନ ପଦକ୍ଷେପ ନେବାକୁ ସେ କହିଛନ୍ତି ।

ଧାନ ରୋଇବା ପାଇଁ ୨ରୁ ୩ ଦିନ ଭିତରେ ଅତିକମ୍‌ରେ ୧୦୦ମିମି ବର୍ଷା ଆବଶ୍ୟକ । ଅବିଭକ୍ତ କୋରାପୁଟ, କଳାହାଣ୍ଡି ଓ ନୂଆପଡ଼ାରେ ରୁଆ, ବେଉଷା ପାଇଁ ପର୍ଯ୍ୟାପ୍ତ ବର୍ଷା ହୋଇପାରେ । ଦକ୍ଷିଣ ଉପକୂଳରେ ୮୦ରୁ ୧୦୦ ମିମି ବର୍ଷା ହେଲେ ଧାନ ଚାଷ ଆଗେଇବ ବୋଲି ପ୍ରଫେସର ପଶୁପାଳକ କହିଛନ୍ତି । ୧୫ ତାରିଖ ଯାଏ ଦକ୍ଷିଣ ଉପକୂଳ ଓ ଆଭ୍ୟନ୍ତରୀଣ ଦକ୍ଷିଣରେ ସ୍ୱଳ୍ପରୁ ମଧ୍ୟମ ପରିମାଣର ବର୍ଷା ହୋଇପାରେ । ୧୮ ତାରିଖ ଯାଏ ପ୍ରାୟ ସବୁ ସ୍ଥାନରେ କିଛି କିଛି ବର୍ଷା ହେବ । ସମ୍ବଲପୁର, ବରଗଡ଼, ଝାରସୁଗୁଡ଼ା, ସୁନ୍ଦରଗଡ଼, ଦେବଗଡ଼, ମୟୂରଭଞ୍ଜ ଓ କେନ୍ଦୁଝର(ଉତ୍ତର ଆଭ୍ୟନ୍ତର)ରେ ୧୩ ତାରିଖରୁ ୨୦ ତାରିଖ ଯାଏ ସ୍ୱଳ୍ପ ବର୍ଷା ହୋଇପାରେ । 

ଏ ସବୁ ସ୍ଥାନରେ ପ୍ରାୟ ୬୦ ମିମି ପର୍ଯ୍ୟନ୍ତ ବର୍ଷା ସମ୍ଭାବନା ଅଛି । ଅନ୍ୟ ଜିଲ୍ଲାରେ ହାରାହାରି ବର୍ଷା ପରିମାଣ ୧୦୦ରୁ ୧୨୦ ମିମି ରହିବ ବୋଲି ସେ ଆକଳନ କରିଛନ୍ତି । ଉତ୍ତର ଆଭ୍ୟନ୍ତର ଜିଲ୍ଲାରେ ଏବେସୁଦ୍ଧା ବର୍ଷା ସ୍ୱାଭାବିକ ରହିଛି । କିନ୍ତୁ ୨୦ ତାରିଖ ବେଳକୁ ନିଅଣ୍ଟିଆ ସ୍ଥିତି ଉପୁଜିପାରେ ବୋଲି ସେ ଆଶଙ୍କା କରିଛନ୍ତି । ଅଗଷ୍ଟ ମାସରେ ପ୍ରତିଦିନ ହାରାହାରି ୧୧ ମିମି ବର୍ଷା ସମ୍ଭାବନା ଅଛି । ଅଗଷ୍ଟ ୨୦ ତାରିଖ ଯାଏ ସ୍ୱାଭାବିକ ଭାବେ ୧୪୫ମିମିରୁ ୧୫୦ ମିମି ବର୍ଷା ହେବା କଥା । କିନ୍ତୁ ସ୍ୱାଭାବିକ ପରିମାଣର ବର୍ଷା ହେବନି ବୋଲି ସେ ଆକଳନ କରିଛନ୍ତି । ଧାନ ଚାଷ ପାଇଁ ରୁଆ, ବେଉଷା ପାଇଁ ସମୟ ଅଛି । ଧାନ ତଳି ମରିନି । ଆଗକୁ ଲଘୁଚାପ ବର୍ଷା ଥିବାରୁ ତଳି ରୋଇବା ବେଳେ ପର୍ଯ୍ୟାପ୍ତ ସାର ପ୍ରୟୋଗ କରିବାକୁ ପ୍ରଫେସର ପଶୁପାଳକ ଚାଷୀଙ୍କୁ ପରାମର୍ଶ ଦେଇଛନ୍ତି ।



Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.