ନୂଆଦିଲ୍ଲୀ: ଦିଲ୍ଲୀର ଜଣେ ୪୦ ବର୍ଷୀୟ ବ୍ୟବସାୟୀ ଆତ୍ମହତ୍ୟା କରିଛନ୍ତି । ନିଜ ଘରେ ଝୁଲନ୍ତା ମୃତଦେହ ମିଳିବା ପରେ ପୋଲିସ ପ୍ରାଥମିକ ତଦନ୍ତରୁ ଏହା ଆତ୍ମହତ୍ୟା ବୋଲି କହିଛି । ଦିଲ୍ଲୀର ଏକ ଲୋକପ୍ରିୟ କାଫେର ମାଲିକ ପୁନୀତ ଖୁରାନାଙ୍କ ମୃତଦେହ ମଡେଲ ଟାଉନ୍‌ର କଲ୍ୟାଣ ବିହାର ଅଞ୍ଚଳରେ ଥିବା ତାଙ୍କ ଘରୁ ଉଦ୍ଧାର ହୋଇଛି । ଖୁରାନା ଏବଂ ତାଙ୍କ ପତ୍ନୀ ମନୀକା ଜଗଦିଶ ପାହ୍ବାଙ୍କ ମଧ୍ୟରେ ଛାଡ଼ପତ୍ର ମାମଲା ଚାଲିଛି ।  ଦିଲ୍ଲୀରେ ଉଡବକ୍ସ କାଫେର ସ୍ବାମୀ ଓ ସ୍ତ୍ରୀ ମାଲିକ ଥିଲେ । ତେବେ ବ୍ୟବସାୟକୁ ନେଇ ଉଭୟଙ୍କ ମଧ୍ୟରେ ମତଭେଦ ଥିଲା ବୋଲି ପୋଲିସ କହିଛି । ଖୁରାନା ଏବଂ ମନୀକା ୨୦୧୬ରେ ବିବାହ କରିଥିଲେ । 

ମିଳିଥିବା ସୂଚନା ଅନୁସାରେ, ଘଟଣା ପୂର୍ବରୁ ପୁନୀତ ଏବଂ ମନୀକାଙ୍କ ମଧ୍ୟରେ ଫୋନରେ ଝଗଡ଼ା ହୋଇଥିଲା । ୧୬ ମିନିଟର ଏକ ଅଡିଓ ସାମନାକୁ ଆସିଛି । ଏହାପରେ ୫୯ ମିନିଟର ଏକ ଭିଡିଓ କରି ପୁନୀତ ରଶି ଲଗାଇ ଝୁଲି ପଡ଼ିଥିବା ଜଣାପଡ଼ିଛି । ଏବେ ଏହି ଘଟଣାକୁ ଗତ ମାସରେ ବେଙ୍ଗାଲୁରୁରେ ଆତ୍ମହତ୍ୟା କରିଥିବା ଅତୁଲ ସୁଭାଷଙ୍କ ସହ ତୁଳନା କରାଯାଉଛି । ପତ୍ନୀ ନିର୍ଯାତନା ଅସହ୍ୟ ହେବା ପରେ ଅତୁଲ ସୁଭାଷ ଭିଡିଓ କରି ଆତ୍ମହତ୍ୟା କରିଥିଲେ । ଅତୁଲ ସୁଭାଷଙ୍କ ଆତ୍ମହତ୍ୟା ଘଟଣା ସାରା ଦେଶରେ ଚାଞ୍ଚଲ୍ୟ ସୃଷ୍ଟି କରିଥିଲା ।

ଦିଲ୍ଲୀ ପୋଲିସ ଦେଇଥିବ ସୂଚନା ଅନୁସାରେ, ମଙ୍ଗଳବାର ଅପରାହ୍ଣ ୪.୧୮ ମିନିଟରେ ମଡେଲ ଟାଉନର କଲ୍ୟାଣ ବିହାରରେ ଆତ୍ମହତ୍ୟା ନେଇ ସୂଚନା ମିଳିଥିଲା । ଘଟଣାସ୍ଥଳରେ ପୋଲିସ ପହଞ୍ଚିବା ବେଳକୁ ପୁନୀତଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ଥିଲା । ପୁନୀତ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଥିବା ପୋଲିସକୁ ସୂଚନା ଦିଆଯାଇଥିଲା । ପୁନୀତକୁ ବିଜେଆରଏମ ହସ୍ପିଟାଲକୁ ନିଆଯାଇଥିଲା । ପୋଷ୍ଟମର୍ଟମ ପରେ ପୁନୀତଙ୍କ ଶବକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି ।

ପୋଲିସର କହିବା ଅନୁସାରେ, ପୁନୀତଙ୍କୁ ତାଙ୍କ ପତ୍ନୀ ଏବଂ ଶ୍ବଶୁର ଘର ଲୋକ ନିର୍ଯାତନା ଦେଉଥିବା ନେଇ ମୃତକଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି । ପୁନୀତଙ୍କ ମାଆ କହିଛନ୍ତି ଯେ ବିବାହର ବର୍ଷେ ଯାଏ ସବୁକିଛି ଠିକ୍ ଚାଲିଥିଲା । କିନ୍ତୁ ପରେ ଦୁହିଁଙ୍କ ମଧ୍ୟରେ ଝଗଡ଼ା ହେବା ଆରମ୍ଭ ହୋଇଥିଲା । ପୁନୀତଙ୍କୁ ତାଙ୍କ ପତ୍ନୀ ନିର୍ଯାତନା ଦେଉଥିଲା । ଏହି କାରଣରୁ ସେ ଏଭଳି ଏକ ପଦକ୍ଷେପ ନେଇଛି । ଗତକାଲି ଅପରାହ୍ଣ ୩ଟା ଯାଏ ସେ କବାଟ ନଖୋଲିବା ପରେ ଆମେ କବାଟ ଭାଙ୍ଗିଥିଲୁ । ଶୋଇବା ଘରେ ପୁନୀତ ଝୁଲନ୍ତା ଅବସ୍ଥାରେ ମିଳିଥିଲା ବୋଲି ତାଙ୍କ ପରିବାର ଲୋକେ ପୋଲିସକୁ କହିଛନ୍ତି ।  

ମୃତକଙ୍କ ପରିବାର ଲୋକଙ୍କ କହିବା ଅନୁସାରେ, ପୁନୀତ ନିଜ ପତ୍ନୀ ସହ ମିଶି ଏକ ବେକେରି ବ୍ୟବସାୟ କରୁଥିଲେ । ଦୁହିଁଙ୍କ ମଧ୍ୟରେ ଛାଡ଼ପତ୍ର ସହ ବ୍ୟବସାୟକୁ ନେଇ ମଧ୍ୟ ବିବାଦ ଲାଗି ରହିଥିଲା । ପୁନୀତ ଏବଂ ତାଙ୍କ ପତ୍ନୀଙ୍କ ମଧ୍ୟରେ ସୋମବାର ରାତି ୩ଟାରେ ଝଗଡ଼ା ହୋଇଥିଲା । ୧୬ ମିନିଟର ଅଡିଓ କ୍ଲିପରେ ଦୁହିଁଙ୍କ ମଧ୍ୟରେ ହୋଇଥିବା ବଚସା ଶୁଣିବାକୁ ମିଳିଛି । ପୋଲିସ ପୁନୀତଙ୍କ ଫୋନକୁ ଜବତ କରି ମାମଲାର ତଦନ୍ତ କରୁଛି । ପୁନୀତଙ୍କ ପତ୍ନୀଙ୍କୁ ପଚରାଉଚରା କରିବା ପାଇଁ ପୋଲିସ ନୋଟିସ କରିଥିବା ଜଣାପଡ଼ିଛି । 

ପୁନୀତଙ୍କ ଭଉଣୀଙ୍କ କହିଛନ୍ତି, ମୃତ୍ୟୁ ପୂର୍ବରୁ ତାଙ୍କ ଭାଇ ୫୯ ମିନିଟର ଏକ ଭିଡିଓ ରେକର୍ଡ କରିଛନ୍ତି । ଏଥିରେ ତାଙ୍କୁ କିଭଳି ନିର୍ଯାତନା ଦିଆଯାଉଥିଲା ତାହା ସେ କହିଛନ୍ତି । ତାଙ୍କୁ ଆତ୍ମହତ୍ୟା କରିବା ପାଇଁ ବାଧ୍ୟ କରାଯାଇଛି । ପତ୍ନୀ ଏବଂ ତାଙ୍କ ପରିବାର ଲୋକ ଏତେ ଅଧିକ ନିର୍ଯାତନା ଦେଲେ ଯେ ଶେଷରେ ସେ ଏଭଳି ପଦକ୍ଷେପ ନେବାକୁ ବାଧ୍ୟ ହୋଇଛନ୍ତି । ଭାଇ କରିଥିବା ଭିଡିଓ ତା’ ଫୋନରେ ଅଛି । ପୋଲିସକୁ ଭିଡିଓ ଦେଖାଯାଇଛି । ଆମେ ବି ଭିଡିଓ ଦେଖିଛୁ । ତେବେ ବେଙ୍ଗାଲୁରୁର ଜଣେ ସଫ୍ଟଓ୍ବେୟର ଇଞ୍ଜିନିୟର ଅତୁଲ ସୁଭାଷ ମଧ୍ୟ ପତ୍ନୀ ନିର୍ଯାତନା ସହିନପାରି ଆତ୍ମହତ୍ୟା କରିଥିଲେ । ଏହାକୁ ନେଇ ବିତର୍କ ଜାରି ରହିଥିବା ବେଳେ ଦିଲ୍ଲୀର ଆଉ ଜଣେ ନିର୍ଯାତିତ ପୁରୁଷଙ୍କ ଆତ୍ମହତ୍ୟା ଚାଞ୍ଚଲ୍ୟ ସୃଷ୍ଟି କରିଛି ।