ନୂଆଦିଲ୍ଲୀ,୦୮/୦୩:  ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ଦିଲ୍ଲୀର ବିଜେପି ସରକାର ମହିଳା ସମୃଦ୍ଧି ଯୋଜନା ଆରମ୍ଭ କରିବାକୁ ଯାଉଛନ୍ତି । ଏହି ଯୋଜନାରେ ମହିଳାଙ୍କୁ ପ୍ରତି ମାସ ୨୫ ଶହ ଟଙ୍କା ଦିଆଯିବ । ଯୋଜନାର ଲାଭ ସେହିମାନଙ୍କୁ ମିଳିବ, ଯେଉଁମାନଙ୍କ ବାର୍ଷିକ ଆୟ  ୩ ଲକ୍ଷ ଟଙ୍କାରୁ କମ୍‌ ହୋଇଥିବ ଏବଂ ଯେଉଁମାନେ ଆୟକର  ଦେଉ ନ ଥିବେ ।

୧୮ରୁ ୬୦ ବର୍ଷ ପର୍ଯ୍ୟନ୍ତ ବୟସର ମହିଳାମାନେ ଏଥିପାଇଁ ଆବେଦନ କରିପାରିବେ । ସରକାରୀ ଚାକିରି କରୁଥିବା  ମହିଳାଙ୍କୁ ଏହା ମିଳିବ ନାହିଁ । ଏଥିପାଇଁ ପଞ୍ଜିକରଣ ଲାଗି ମାର୍ଚ୍ଚ  ୮ରେ ସ୍ୱତନ୍ତ୍ର ପୋର୍ଟାଲ୍‌ ଓ ମୋବାଇଲ ଆପ୍ଲିକେସନ ଶୁଭାରମ୍ଭ  କରାଯିବ । ତେଣୁ ଇ-ପଞ୍ଜିକରଣ କରାଇବା ବାଧ୍ୟତାମୂଳକ । ମହିଳାମାନେ ଭୋଟର ପରିଚୟପତ୍ର, ବିପିଏଲ୍‌ କାର୍ଡ, ଆଧାର  କାର୍ଡ ଓ ଅନ୍ୟ ପ୍ରମାଣପତ୍ର ସହ ଆବେଦନ କରିପାରିବେ ।  ଦିଲ୍ଲୀରେ ମୋଟ ୭୨ ଲକ୍ଷ ମହିଳା ମତଦାତା ଥିବା ବେଳେ ପ୍ରାୟ ୨୦ ଲକ୍ଷ ଏହି ଯୋଜନାର ଫାଇଦା ପାଇପାରିବେ । ଜବାହରଲାଲ  ନେହରୁ ଷ୍ଟାଡିୟମ୍‌ରେ ଯୋଜନା ଆରମ୍ଭ କରାଯିବ ।