ସଇଁତଳା,୨୪/୦୭: ଚାଷୀଙ୍କ ଜମିକୁ ମାଡ଼ୁନି ପାଣି, ଭେଦୁନି ମାଟି । ବୃହତ ଉଠାଜଳସେଚନ ପ୍ରକଳ୍ପ ଅଚଳ । ଦିଗହରା ହୋଇଛି କୃଷି କଲ୍ୟାଣ ଯୋଜନା । ବାରମ୍ବାର ଅଭିଯୋଗ ସତ୍ତ୍ବେ ସମସ୍ୟାର ସମାଧାନ ହେଉନଥିବାରୁ ରାସ୍ତାକୁ ଓହ୍ଲାଇଛନ୍ତି ଲୋକେ । ବଲାଙ୍ଗିର ଜିଲ୍ଲା ସଇଁତଲା ବ୍ଲକ୍ ୭ଟି ପଞ୍ଚାୟତର ଚାଷୀ ରାସ୍ତା ଅବରୋଧ କରି ପ୍ରତିବାଦ କରିଛନ୍ତି । ଚାଷୀଙ୍କ ସୁବିଧା ପାଇଁ କୋଟି କୋଟି ଟଙ୍କା ବ୍ୟୟରେ ବୃହତ ଉଠାଜଳସେଚନ ପ୍ରକଳ୍ପ ନିର୍ମାଣ ହୋଇଥିଲା । ହେଲେ ଏହି ଯୋଜନା ଏବେ ଅଚଳ । ୬ ମାସ ହେଲା ଗ୍ରୀଡ୍ ଓ ପମ୍ପ ହାଉସକୁ ବିଦ୍ୟୁତ୍ ସଂଯୋଗ ବିଚ୍ଛିନ୍ନ ହୋଇଛି । ପ୍ରକଳ୍ପରେ ନିୟୋଜିତ କର୍ମଚାରୀଙ୍କୁ ୬ ମାସର ଦରମା ମଧ୍ୟ ମିଳିନାହିଁ । ଯାହା ଫଳରେ କର୍ମଚାରୀମାନେ କାମ ଛାଡି ଚାଲିଯାଇଛନ୍ତି । ବର୍ତ୍ତମାନ ପ୍ରକଳ୍ପରେ ଝୁଲୁଛି ତାଲା । ଆଉ ଏବେପଟେ ଚାଷୀ ମରୁଡ଼ି ଚିନ୍ତାରେ ଜୁଝି ହେଉଛନ୍ତି । ଚଳିତ ଖରିଫ୍ ଋତୁରେ ନିଅଣ୍ଟ ବର୍ଷା ଏବଂ ଶ୍ରାବଣର ଦ୍ୱିତୀୟ ସପ୍ତାହରେ ପାଣିର ଅଭାବ ସେମାନଙ୍କ ଦୁଃଖକୁ ଦ୍ବିଗୁଣିତ କରିଛି । ଜମି ଶୁଖିଲା ପଡ଼ିଥିବାରୁ ବେଉଷଣ ହେଇପାରୁନାହିଁ । କିଛି ସ୍ଥାନରେ ମାଟି ଫାଟି ଆଁ କଲାଣି ।
ଏନେଇ ଚାଷୀମାନେ ପ୍ରଶାସନ ପାଖରେ ଉଠାଜଳସେଚନକୁ ଚଲାଇବା ପାଇଁ ଅନେକ ଥର ଅଭିଯୋଗ କରିଥିଲେ । ହେଲେ କୌଣସି ସୁଫଳ ନମିଳିବାରୁ ଚାଷୀମାନେ ସ୍ଥାନୀୟ ବିଧାୟକ, ଉପମୁଖ୍ୟମନ୍ତ୍ରୀଙ୍କୁ ଭେଟି ଦୁଃଖ ଜଣାଇଥିଲେ । ସମସ୍ୟା ସମାଧାନ ନହେବାରୁ ଆଜି ବଲାଙ୍ଗୀର-ଭବାନୀପାଟଣା ୨୬ନଂ ଜାତୀୟ ରାଜପଥକୁ ଅବରୋଧ କରିଛନ୍ତି ।