ନୂଆଦିଲ୍ଲୀ, ୨୭।୨: ଆମେରିକା ମହାକାଶ ବିଜ୍ଞାନ ଗବେଷଣା କେନ୍ଦ୍ରର ନୂଆ ପରୀକ୍ଷଣ । ଚନ୍ଦ୍ର ପୃଷ୍ଟରେ ପାଣି ଖୋଜିବ ନାସାର ସାଟେଲାଇଟ୍ । ଏହି ସାଟେଲାଇଟ୍‌ର ନାଁ ଲୁନାର ଟ୍ରେଲ୍‌ବ୍ଲେଜର ଅର୍‌ବିଟର । ଚନ୍ଦ୍ରରେ ପାଣିର ସନ୍ଧାନ ମିଳିଲେ, ମହାକାଶ ବିଜ୍ଞାନ କ୍ଷେତ୍ରରେ ଏହା ଏକ ଅଦ୍ଭୁତପୂର୍ବ ସଫଳତା । ଅଧିକ ପରୀକ୍ଷଣ ପାଇଁ ଚନ୍ଦ୍ରକୁ ଯିବେ ମହାକାଶ ବିଜ୍ଞାନୀ ।

ଚନ୍ଦ୍ରପୃଷ୍ଠରେ ପାଣି ଖୋଜିବ ନାସା । ଜହ୍ନରେ ପାଣିର ସନ୍ଧାନ ପାଇଁ ନାସା ଏକ ସ୍ବତନ୍ତ୍ର ଉପଗ୍ରହ ପଠାଇଛି । ଏନେଇ ବୁଧବାର ଏକ ସାଟେଲାଇଟ୍ ଉତ୍‌କ୍ଷେପଣ କରିଛି ଆମେରିକା ମହାକାଶ ବିଜ୍ଞାନ ଗବେଶଣା କେନ୍ଦ୍ର । ସ୍ପେଶ୍ ଏକ୍ସ ଫାଲକନ୍‌ ନାଇନ୍ ରକେଟ୍ ସାହାଯ୍ୟରେ ଏହି ସାଟେଲାଇଟ୍‌କୁ ଫ୍ଲୋରିଡ଼ାରୁ ୨୬ ତାରିଖରେ ମହାକାଶକୁ ସଫଳତାର ସହ ଉତ୍‌କ୍ଷେପଣ କରାଯାଇଛି । ଏହି ସାଟେଲାଇଟ୍‌ର ନାଁ ଲୁନାର ଟ୍ରେଲ୍‌ବ୍ଲେଜର ଅର୍‌ବିଟର । ୨୦୦ କିଲୋ ଓଜନର ଏହି ସାଟେଲାଇଟ୍‌ର ଲମ୍ବ ୧୧.୫ ଫୁଟ୍ । ଏହି ସାଟେଲାଇଟ୍ ଚନ୍ଦ୍ର ପୃଷ୍ଠରେ ପାଣିର ସନ୍ଧାନ କରିବ । ଚନ୍ଦ୍ରପୃଷ୍ଠ ସବୁବେଳେ ଶୁଷ୍କ ବୋଲି ଧାରଣା ରହିଛି । ହେଲେ ନିକଟ ଅତୀତରେ ଅନେକ ଗବେଷଣାରେ ଚନ୍ଦ୍ରମାରେ ପାଣି ଥିବା ଅନୁମାନ କରାଯାଉଛି । ଲୁନାର ପୋଲ୍‌ରେ ଗରମ ‌ସୂର୍ଯ୍ୟକିରଣ ପଡ଼ୁଥିବା ସ୍ଥାନରେ ପାଣି ଥିବାର ଅନୁମାନ କରାଯାଉଛି ।‌ ଏହି ସ୍ଥାନରେ ବରଫ ଆକାରରେ ଜଳ ଥିବା ସମ୍ଭାବନା ରହିଛି । ଆଗାମୀ ଦିନର ମହାକାଶ ବିଜ୍ଞାନ କ୍ଷେତ୍ରରେ ଅଧିକ ପରୀକ୍ଷଣ ପାଇଁ ଚନ୍ଦ୍ରକୁ ମହାକାଶ ବିଜ୍ଞାନୀଙ୍କୁ ପଠାଇବାକୁ ଚିନ୍ତା କରାଯାଉଛି । ଏଥିପାଇଁ ଚନ୍ଦ୍ରରେ ପାଣି ଖୋଜିବା ଏକ ଗୁରୁତ୍ବପୂର୍ଣ୍ଣ ମିଶନ । ଯଦି ଜହ୍ନରେ ପାଣି ମିଳିଯାଏ, ଏହା ମହାକାଶ ବିଜ୍ଞାନ କ୍ଷେତ୍ରରେ ଏକ ଅଦ୍ଭୁତପୂର୍ବ ସଫଳତା ହେବ ।