ନୂଆଦିଲ୍ଲୀ: ସାଉଦି ଆରବର ଜେଦ୍ଦାରେ ଅନୁଷ୍ଠିତ ଇସଲାମିକ୍ ସହଯୋଗ ସଂଗଠନ (OIC)ର ୨୫ତମ ସ୍ୱାଧୀନ ସ୍ଥାୟୀ ମାନବାଧିକାର କମିଶନ (IPHRC) ଅଧିବେଶନରେ ପାକିସ୍ତାନ ଭାରତ ଉପରେ ଅଭିଯୋଗ ଆଣିଛି । ଭାରତ ଏକପାଖିଆ ଭାବରେ ସିନ୍ଧୁ ଜଳ ଚୁକ୍ତିକୁ ଦୁର୍ବଳ କରୁଥିବା ଅଭିଯୋଗ କରିଛି ପାକିସ୍ତାନ । ଏହି ଅଧିବେଶନ 'ଜଳ ଅଧିକାର' ବିଷୟ ଉପରେ କେନ୍ଦ୍ରିତ ଥିଲା, ଯେଉଁଥିରେ ପାକିସ୍ତାନର ସ୍ଥାୟୀ ପ୍ରତିନିଧି ସୟଦ ଫୱାଦ ଶେର ଭାରତର ମନୋଭାବ ଉପରେ ଚିନ୍ତା ପ୍ରକାଶ କରିଥିଲେ । ତାଙ୍କ ଭାଷଣରେ ସୟଦ ଫୱାଦ ଶେର କହିଥିଲେ ଯେ, ସିନ୍ଧୁ ଜଳ ଚୁକ୍ତିନାମାର ନିୟମକୁ ଏକପାଖିଆ ଭାବରେ ପରିବର୍ତ୍ତନ କରିବାର ଭାରତର ପ୍ରୟାସ ପାକିସ୍ତାନ ପାଇଁ ଏକ ଗମ୍ଭୀର ସଙ୍କଟ ସୃଷ୍ଟି କରିପାରେ । ପୂର୍ବରୁ ଜଳ ସଙ୍କଟର ସମ୍ମୁଖୀନ ହେଉଛି ପାକିସ୍ତାନ ।
ସେ କହିଥିଲେ ଯେ, ଜଳର ଅଧିକାର କେବଳ ଆଇନଗତ ଭାବରେ ଗୁରୁତ୍ୱପୂର୍ଣ୍ଣ ନୁହେଁ, ବରଂ ନୈତିକ ଏବଂ ସାମାଜିକ ଭାବରେ ମଧ୍ୟ ଗୁରୁତ୍ୱପୂର୍ଣ୍ଣ । ଭାରତର କଠୋର ଆଭିମୁଖ୍ୟ ଦକ୍ଷିଣ ଏସିଆରେ ପୂର୍ବରୁ ଥିବା ଜଳବାୟୁ ଚ୍ୟାଲେଞ୍ଜକୁ ଆହୁରି ତୀବ୍ର କରିପାରେ। ଫୱାଦ ଶେର କହିଛନ୍ତି ଯେ, OICର ବୈଦେଶିକ ମନ୍ତ୍ରୀମାନେ ପୂର୍ବରୁ ଭାରତର ନିଷ୍ପତ୍ତି ଉପରେ ଚିନ୍ତା ପ୍ରକାଶ କରିଥିଲେ । ଏହା ବ୍ୟତୀତ, ବିଶ୍ୱର ଅନେକ ଦେଶ ଏବଂ ସଂଗଠନ ସିନ୍ଧୁ ଜଳ ଚୁକ୍ତି ଜାରି ରଖିବାକୁ ଆବେଦନ କରିଥିଲେ ।
ସେପଟେ ପାକିସ୍ତାନ ଏହାର ଜଳ ଅଧିକାରକୁ ସୁରକ୍ଷା ଦେବା ପାଇଁ ଅନ୍ତର୍ଜାତୀୟ ମଞ୍ଚରେ ଏହି ପ୍ରସଙ୍ଗ ଉଠାଇବ ବୋଲି ସେ ଦୃଢ଼ୋକ୍ତି ବାଢ଼ିଛନ୍ତି । ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ, ସିନ୍ଧୁ ଜଳ ଚୁକ୍ତିନାମାକୁ ସ୍ଥଗିତ ରଖାଯାଇଛି ଏବଂ ଏହି ସମୟ ମଧ୍ୟରେ, ଭାରତ ଜମ୍ମୁ ଏବଂ କାଶ୍ମୀରରେ ଚାରୋଟି ବଡ଼ ଜଳବିଦ୍ୟୁତ ପ୍ରକଳ୍ପ ଉପରେ ଦ୍ରୁତ ଗତିରେ କାମ ଆରମ୍ଭ କରିଛି । ହିନ୍ଦୁସ୍ତାନ ଟାଇମ୍ସର ଏକ ରିପୋର୍ଟ ଅନୁଯାୟୀ, ଚେନାବ ନଦୀ କୂଳରେ ପାକାଲ ଦୁଲ, କିରୁ, କ୍ୱାର ଏବଂ ରାଟଲେ ପ୍ରକଳ୍ପ ଉପରେ କାମ ଚାଲିଛି । ଏହା ବ୍ୟତୀତ ଆଉ ଦୁଇଟି ଜଳବିଦ୍ୟୁତ ପ୍ରକଳ୍ପର ଡିଜାଇନ୍ ମଧ୍ୟ ପ୍ରସ୍ତୁତ କରାଯାଉଛି। ଭାରତ ସ୍ପଷ୍ଟ ଭାବରେ କହିଛି ଯେ, ଯେପର୍ଯ୍ୟନ୍ତ ପାକିସ୍ତାନ ସୀମାପାର ଆତଙ୍କବାଦକୁ ସମର୍ଥନ କରୁଥିବ, ସେପର୍ଯ୍ୟନ୍ତ ଏହି ପ୍ରକଳ୍ପଗୁଡ଼ିକ ପୂର୍ଣ୍ଣ ଗତିରେ ଆଗକୁ ବଢ଼ିବ।