ନୂଆଦିଲ୍ଲୀ ୧୮/୦୭: ପ୍ରାୟ ୧୦ ବର୍ଷ ତଳେ ଚୀନ୍ରୁ ଅନେକ ଫଟୋ ଓ ଭିଡିଓ ସାମ୍ନାକୁ ଆସିଲା, ଯେଉଁଥିରେ ଲୋକଙ୍କୁ ପ୍ରଦୂଷଣକୁ ନେଇ ଚିନ୍ତିତ ଥିବା ଦେଖିବାକୁ ମିଳିଲା । ଶୀତଦିନେ ସ୍ଥିତି ଆହୁରି ଖରାପ ହେଉଥିଲା । ଇତିମଧ୍ୟରେ ସରକାର ଅନେକ ନିୟମ ଲାଗୁ କଲେ । କୋଇଲା ଚାଳିତ କାରଖାନାଠୁ ଆରମ୍ଭ କରି ଗାଡ଼ି ଉପରେ କଠୋର ନିୟମ ଲାଗୁ ହେଲା । ଫଳରେ ୨୦୧୦ରୁ ୧୦ ବର୍ଷ ମଧ୍ୟରେ ସେଠାରେ ବିଷାକ୍ତ ଗ୍ୟାସ୍ ନିର୍ଗମନ ମାତ୍ରା ଖୁବ୍ କମିଗଲା । କିନ୍ତୁ ଏହି ସଫେଇ ପଦକ୍ଷେପ ସୂର୍ଯ୍ୟର ଉତ୍ତାପକୁ ରୋକୁଥିବା ସେହି ସ୍ତରକୁ ହଟାଇଦେଲା । ଅର୍ଥାତ୍ ବିଶ୍ୱ ଉତ୍ତାପନ ବଢ଼ିଲା ।
ପ୍ରଦୂଷଣ କମିଲେ ଉତ୍ତାପ କେମିତି ବଢ଼େ, ତାହା ବୁଝିବା ପୂର୍ବରୁ ସଦ୍ୟ ଅଧ୍ୟୟନ ବିଷୟରେ ଜାଣିବା ଆବଶ୍ୟକ । କମ୍ୟୁନିକେସନ୍ସ ଆର୍ଥ୍ ଆଣ୍ଡ ଏନ୍ଭିରନ୍ମେଣ୍ଟ ନାମକ ଅନ୍ତର୍ଜାତୀୟ ବିଜ୍ଞାନ ପତ୍ରିକାରେ ଏକ ସଦ୍ୟ ଅଧ୍ୟୟନ ପ୍ରକାଶ ପାଇଛି । ଅଧ୍ୟୟନ ଅନୁସାରେ, ବିଶ୍ୱ ଉତ୍ତାପନରେ ବର୍ତ୍ତମାନ ଯେଉଁ ବୃଦ୍ଧି ପରିଲକ୍ଷିତ ହେଉଛି, ପୂର୍ବ ଏସିଆରେ ସ୍ୱଚ୍ଛତା ମଧ୍ୟ ଏଥିପାଇଁ ଦାୟୀ । ଅଧ୍ୟୟନରେ ଆମେରିକା, ନରୱେ ଓ ବ୍ରିଟେନର ବୈଜ୍ଞାନିକମାନେ ମିଳିତ ଭାବେ କାମ କରିଛନ୍ତି । ସେମାନେ ଜାଣିବାକୁ ପାଇଛନ୍ତି, ୨୦୧୦ରୁ ପରବର୍ତ୍ତୀ ଦଶନ୍ଧିରେ ପୃଥିବୀର ହାରାହାରି ତାପମାତ୍ରା ୦.୨୩ ଡିଗ୍ରୀ ସେଲ୍ସିୟସ୍ ପର୍ଯ୍ୟନ୍ତ ବଢ଼ିବା କଥା । କିନ୍ତୁ ପ୍ରକୃତରେ ତାପମାତ୍ରା ୦.୩୩ ଡିଗ୍ରୀ ସେଲ୍ସିୟସ୍ରେ ପହଞ୍ଚିଗଲା । ଏହି ଅନ୍ତର ପଢ଼ିବା ଓ ଶୁଣିବା ପାଇଁ କମ୍ ମନେ ହେଉଥାଇପାରେ । କିନ୍ତୁ ବିଶ୍ୱସ୍ତରରେ ବହୁତ ଅଧିକ । ଏହି ବର୍ଦ୍ଧିତ ଗ୍ରାଫ୍ରୁ ପ୍ରାୟ ୦.୦୭ ଡିଗ୍ରୀ ଉତ୍ତାପ କେବଳ ପୂର୍ବ ଏସିଆର ସ୍ୱଚ୍ଛ ବାୟୁ ଯୋଗୁ ବଢ଼ିଛି ।
ଅର୍ଥାତ୍ ବାୟୁକୁ ସ୍ୱଚ୍ଛ କରିବାର ପ୍ରୟାସ ଅଜାଣତରେ ବିଶ୍ୱକୁ ଆହୁରି ଉତ୍ତପ୍ତ କରିଛି । କିନ୍ତୁ ଚୀନ୍ ଏମିତି କ’ଣ କଲା? ପ୍ରଦୂଷଣକୁ ନେଇ ନିରନ୍ତର ଚାଲିଥିବା ହୋ-ହଲ୍ଲା ମଧ୍ୟରେ ବେଜିଂ ନିଜର କାରଖାନା, ବିଜୁଳିଘର ଓ ଗାଡ଼ିରୁ ହେଉଥିବା ପ୍ରଦୂଷଣ ରୋକିବା ଉପରେ ଧ୍ୟାନ ଦେଲା । ଖାସ୍କରି ସଲ୍ଫର ଡାଇଅକ୍ସାଇଡ୍ ନାମକ ଗ୍ୟାସ୍କୁ କମାଇବା ଉପରେ ଫୋକସ୍ କଲା, ଯାହା ବାୟୁ ପ୍ରଦୂଷଣର ବଡ଼ କାରଣ । କୋଇଲାରୁ ପରିଚାଳିତ ପ୍ଲାଣ୍ଟ୍ଗୁଡ଼ିକୁ ବନ୍ଦ କରାଗଲା । କାରଖାନା ପାଇଁ କଡ଼ା ନିୟମ ଲାଗୁ ହେଲା । ଏହା ଦ୍ୱାରା ବାୟୁ ପରିଷ୍କାର ହେବାକୁ ଲାଗିଲା । କିନ୍ତୁ ବିଶ୍ୱ ଉପରେ ଏହାର ଓଲଟା ପ୍ରଭାବ ପଡ଼ିଲା । ବାୟୁରେ ଉପସ୍ଥିତ ସଲଫର ଡାଇଅକ୍ସାଇଡ୍ର କଣିକାକୁ ଏରୋସୋଲ୍ ମଧ୍ୟ କୁହାଯାଏ । ସୂର୍ଯ୍ୟର ଉତ୍ତାପ ଏହି କଣିକାରେ ବାଜି ପୁଣି ଫେରିଯାଏ । ଏହା ଦ୍ୱାରା ପୃଥିବୀରେ ସୂର୍ଯ୍ୟର ସେହି ତାପମାତ୍ରା ପହଞ୍ଚିପାରେ ନାହିଁ । ଚୀନ୍ ଯେତେବେଳେ ବାୟୁରୁ ଏରୋସୋଲ୍ ହଟାଇଦେଲା, ପରଦା ହଟିବାରୁ ଉତ୍ତାପ ସିଧା ତଳକୁ ପହଞ୍ଚିଲା । ବିଶ୍ୱ ତାପମାତ୍ରାରେ ଅତିରିକ୍ତ ବୃଦ୍ଧିରେ କେବଳ ଚୀନ୍ ନୁହେଁ, ଜାପାନ, ଦକ୍ଷିଣ କୋରିଆ ଭଳି ଦେଶ ମଧ୍ୟ ସାମିଲ ।
ଏ ସମସ୍ତ ଦେଶ ମିଶି ସୋଲାର ଜିଓଇଞ୍ଜିନିୟରିଙ୍ଗ କରୁଛନ୍ତି । ଏହାର ଅର୍ଥ ଜାଣିଶୁଣି ବାୟୁରେ ଏଭଳି କଣିକା(ଏରୋସୋଲ୍) ଛାଡ଼ିବା, ଯାହା ସୂର୍ଯ୍ୟ ରଶ୍ମିକୁ ଫେରାଇଦେବ । ଆଗ୍ନେୟଗିରି ବିସ୍ଫୋରଣକୁ ଦେଖି ଏହି ବିଚାର ସେମାନଙ୍କ ମନକୁ ଆସିଲା । ଯେତେବେଳେ କୌଣସି ବଡ଼ ବିସ୍ଫୋରଣ ହୁଏ, ଆଖପାଖରେ ଧୂଳି ଓ ଧୂଆଁ ବ୍ୟାପିଯାଏ । ଏହା ପରେ ଉକ୍ତ କ୍ଷେତ୍ରର ତାପମାତ୍ରା ବହୁତ ଦିନ ପର୍ଯ୍ୟନ୍ତ କମ୍ ରହେ । ଏଥିରୁ ଉପରୋକ୍ତ ଦେଶ ସୋଲାର ଜିଓଇଞ୍ଜିନିୟରିଙ୍ଗ୍ର ବିଚାର ପାଇଲେ । ଏହି ବିଚାରକୁ ନେଇ ୨୦୨୨ରେ ମେକ୍ସିକୋରେ ସବୁଠୁ ବଡ଼ ପ୍ରୟୋଗ ହେଲା । ଏକ ଆମେରିକୀୟ କମ୍ପାନି ତାପମାତ୍ରା ହ୍ରାସ କରିବା ଲାଗି ଚୁପ୍ଚାପ୍ ବାୟୁରେ ସଲ୍ଫର ଡାଇଅକ୍ସାଇଡ୍ପୂର୍ଣ୍ଣ ବେଲୁନ୍ ଛାଡ଼ିଲା । କିନ୍ତୁ ମାମଲା ସାମ୍ନାକୁ ଆସିବା ପରେ ହଙ୍ଗାମା ହେଲା । ମେକ୍ସିକୋର ବୈଜ୍ଞାନିକମାନେ ବିରୋଧ କଲେ । ଏରୋସୋଲ୍ର ସନ୍ତୁଳନ ବିଗିଡ଼ିଲେ, ଭୟଙ୍କର ବର୍ଷା-ମରୁଡ଼ି କିମ୍ବା ଅତିଶୟ ଥଣ୍ଡା ଭଳି ଅନେକ ଚରମ ସ୍ଥିତି ଉପୁଜିବ ବୋଲି ଚେତାବନୀ ଦେଲେ । ଶେଷରେ କମ୍ପାନି ପ୍ରୟୋଗକୁ ବନ୍ଦ କରିଦେଲା । କିନ୍ତୁ ବିଶ୍ୱ ଉତ୍ତାପନକୁ ରୋକିବା ପାଇଁ ଏହି ନୂଆ କୌଶଳ ଚର୍ଚ୍ଚାକୁ ଆସିଲା । ବାୟୁ ପ୍ରଦୂଷଣକୁ ହ୍ରାସ କରିବାର ଏହି ଉପାୟ ଭୁଲ ନୁହେଁ । କିନ୍ତୁ ସଲ୍ଫର ଡାଇଅକ୍ସାଇଡ୍ ସହିତ କାର୍ବନ୍ ଡାଇଅକ୍ସାଇଡ୍ ଓ ଅନ୍ୟ ଗ୍ରୀନ୍ ହାଉସ୍ ଗ୍ୟାସ୍ଗୁଡ଼ିକୁ ମଧ୍ୟ କମାଇବା ଜରୁରି, ଯାହା ଯୋଗୁ ବିଶ୍ୱ ତାପନ ବଢୁଛି ।