ଦମାସ୍କସ: ସିରିଆର ଅନ୍ତରୀଣ ରାଷ୍ଟ୍ରପତି ଅହମଦ ଅଲ-ଶାରା ଡ୍ରୁଜ ସମ୍ପ୍ରଦାୟର ଅଧିକାର ସୁରକ୍ଷାକୁ ପ୍ରାଥମିକତା ବୋଲି ଘୋଷଣା କରିଛନ୍ତି। ଦକ୍ଷିଣ ସିରିଆର ସୁଏଡା ସହରରେ ସରକାରୀ ବାହିନୀ ଓ ଡ୍ରୁଜ ଯୋଦ୍ଧାଙ୍କ ମଧ୍ୟରେ ଚାରି ଦିନର ସଂଘର୍ଷରେ ୧୯୩ ଜଣ ନିହତ ହେବା ପରେ ଆମେରିକାର ମଧ୍ୟସ୍ଥତାରେ ଏହି ଯୁଦ୍ଧବିରତି ସ୍ଥାପନ ହୋଇଛି। ସିରିଆ ସରକର ସୁରକ୍ଷା ବାହିନୀକୁ ସୁଏଡାରୁ ପ୍ରତ୍ୟାହାର କରିଛନ୍ତି।
ଅନ୍ୟପଟେ ଶାରା ଇସ୍ରାଏଲ ଉପରେ ସିରିଆର ଏକତା ଭାଙ୍ଗିବା ଏବଂ ଅସ୍ଥିରତା ସୃଷ୍ଟିର ଅଭିଯୋଗ ଲଗାଇଛନ୍ତି। ଇସ୍ରାଏଲ ବୁଧବାର ଦମାସ୍କସରେ ବିମାନ ଆକ୍ରମଣ କରି ସୁଏଡାରୁ ସୈନ୍ୟ ପ୍ରତ୍ୟାହାର ଏବଂ ଡ୍ରୁଜ ସମ୍ପ୍ରଦାୟ ନିମନ୍ତେ ସୁରକ୍ଷା ଦାବି କରିଥିଲା। ତେବେ କାଲିର ଏହି ଘଟଣା ପରେ ଆମେରିକା ଉଭୟ ଦେଶ ମଧ୍ୟରେ ମଧ୍ୟସ୍ଥତା କରି ପିରସ୍ଥିତିକୁ ନିୟନ୍ତ୍ରଣକୁ ଆଣିବାକୁ ଚେଷ୍ଟା କରିଥିଲ। ଆମେରିକାର ଏହି ପ୍ରଚେଷ୍ଟାରେ ସିରିଆ ସରକାର ରାଜି ହୋଇଥିବା ବେଳେ ଇସ୍ରାଏଲ ପ୍ରଧାନମନ୍ତ୍ରୀ ନେତାନ୍ୟାହୁ ସୀମାବର୍ତୀ ଅଞ୍ଚଳକୁ ସୈନ୍ୟମୁକ୍ତ ରଖିବାକୁ ପ୍ରତିଶ୍ରୁତି ଦେଇଛନ୍ତି।
ସୂଚନା ମୁତାବକ, ଉଭୟ ଦେଶ ମଧ୍ୟରେ ହୋଇଥିବା ଏହି ସଂଘର୍ଷ ଏକ ବ୍ୟବସାୟୀଙ୍କ ଅପହରଣ ଓ ଲୁଟ ଘଟଣାରୁ ଆରମ୍ଭ ହୋଇ ତୀବ୍ରତର ହୋଇଥିଲା। ସ୍ଥାନୀୟ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ମୁତାବକ, ଏହି ଆକ୍ରମଣରେ ଗୋଟିଏ ଦିନରେ ଉଭୟ ପକ୍ଷର ପ୍ରାୟ ୬୦ରୁ ଅଧିକ ନାଗରିକଙ୍କ ମୃତ୍ୟୁ ହୋଇଛି। ଯେଉଁଥିରେ ମହିଳା, ଶିଶୁ ଓ ବୟସ୍କଙ୍କ ଭଳି ସାଧାରଣ ନାଗରିକ ମଧ୍ୟ ରହିଛନ୍ତି। ଆମେରିକା, ଆରବ ଓ ତୁର୍କୀର ରାଷ୍ଟ୍ରଦୂତଙ୍କ ସହାୟତାରେ ଉଭୟ ପକ୍ଷଙ୍କ ମଧ୍ୟରେ ଯୁଦ୍ଧବିରତି ହୋଇଥିବା ଜଣାପଡିଛି।
ସିରିଆରେ ସରକାର ପତନ ପରେ ଦେଶର ମଙ୍ଗ ସମ୍ଭାଳୁଥିବା ଶାରା କହିଛନ୍ତି ଯେ, "ଆମେ ଯୁଦ୍ଧକୁ ଭୟ କରୁନାହୁଁ, କିନ୍ତୁ ସିରିଆବାସୀଙ୍କ ସ୍ୱାର୍ଥ ଆମର ଅଗ୍ରାଧିକାର।" ସେ ଡ୍ରୁଜଙ୍କୁ ଜାତୀୟ ଏକତାର ଅଂଶ ବୋଲି କହି ସେ ବାହ୍ୟ ଦେଶର ହସ୍ତକ୍ଷେପକୁ ପ୍ରତ୍ୟାଖ୍ୟାନ କରିଛନ୍ତି। ତେବେ ତାଙ୍କ ଇସଲାମିସ୍ଟ ଅତୀତ ଓ ଏଚଟିଏସ ଭଳି ଉଗ୍ରବାଦି ସଂଗଠନ ସହ ସମ୍ପର୍କ ହେତୁ ଡ୍ରୁଜ ଓ ଅନ୍ୟ ସଂଖ୍ୟାଲଘୁଙ୍କ ମଧ୍ୟରେ ତାଙ୍କ ପ୍ରତି ଅବିଶ୍ୱାସ ରହିଛି। ଆଜି ସୁଦ୍ଧା ସୁଏଡାରେ ଶାନ୍ତି ବଜାୟ ରହିଛି, କିନ୍ତୁ ଏହି ଯୁଦ୍ଧବିରତିର ସ୍ଥାୟୀତ୍ୱ ଅନିଶ୍ଚିତ ବୋଲି ବିଶେଷଜ୍ଞମାନେ ମତ୍ତ ପ୍ରକାଶ କରିଛନ୍ତି।