ମୁମ୍ବାଇ: ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ଲାଗି ମହାବିକାଶ ଅଘାଡ଼ି (ଏମଭିଏ)  ମେଣ୍ଟରେ ଆସନ ବୁଝାମଣା ହୋଇଛି । କଂଗ୍ରେସ, ଶିବସେନା (ୟୁବିଟି) ଏବଂ ଏନସିପି (ଏସ୍‌ପି) ୮୫ଟି ଲେଖାଏଁ ଆସନରେ ନିର୍ବାଚନ ଲଢ଼ିବେ ବୋଲି ସ୍ଥିର ହୋଇଛି । ଏମଭିଏର ପ୍ରତି ସହଯୋଗୀଙ୍କୁ ୮୫ ଆସନ ମିଳିଥିବା ବେଳେ ମୋଟ ୨୫୫ ଆସନରେ ସହମତି ହୋଇଛି । ତେବେ ୨୮୮ ଆସନ ଥିବା ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ବାକି ସିଟ୍‌ ଏମଭିଏ ଅନ୍ୟ ଛୋଟ ସହଯୋଗୀ ଦଳଙ୍କ ଲାଗି ଛାଡ଼ିବ ବୋଲି ଜଣାପଡ଼ିଛି । ଏମଭିଏରେ ଆସନ ବୁଝାମଣା ଶେଷ ହୋଇଥିବା ନେଇ ଶିବସେନା (ୟୁବିଟି) ନେତା ସଂଜୟ ରାଉତ କହିଛନ୍ତି । 

 ସଂଜୟ ରାଉତ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି, ଆସନ ବୁଝାମଣା ନେଇ ଆମର ଶେଷ ବୈଠକ ଶରଦ ପାଓ୍ବାରଙ୍କ ସାମ୍ନାରେ ହୋଇଛି । ମୋତେ ଏନେଇ ସୂଚନା ଦେବାକୁ ସେ କହିଛନ୍ତି । ଆମେ ପିଡବ୍ଲୁପି, ସିପିଏମ, ସିପିଆଇ ଏବଂ ଆମ ଆଦମୀ ପାର୍ଟି କେତେକ ଆସନ ଦେବୁ ।’ ସେପଟେ ପ୍ରଦେଶ କଂଗ୍ରେସ ଅଧ୍ୟକ୍ଷ ନାନା ପଟୋଲେ କହିଛନ୍ତି, ଗୁରୁବାର ବାକି ଆସନର ଚିତ୍ର ସ୍ପଷ୍ଟ ହୋଇଯିବ । ମେଣ୍ଟ କରି ନିର୍ବାଚନ ଲଢ଼ିବାକୁ ଯାଉଥିବା ବେଳେ ଆମକୁ ହିଁ ବହୁମତ ମିଳିବ । 




 କଂଗ୍ରେସ, ଶରଦ ପାଓ୍ବାର ଏବଂ ଉଦ୍ଧବ ଠାକରେଙ୍କ ମଧ୍ୟରେ ଯେଉଁ ବାକି ଥିବା ଆସନ ସଂପର୍କରେ ଆଲୋଚନା ହେବ, ଏଥିରୁ କାହାକୁ କେତେ ଆସନ ମିଳିବ ତାହା ଖୁବଶୀଘ୍ର ସ୍ପଷ୍ଟ ହୋଇଯିବ । ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ଲଢ଼ିବା ଲାଗି ସମାଜବାଦୀ ପାର୍ଟି, ଆମ ଆଦମୀ ପାର୍ଟି ଏବଂ ଅନ୍ୟ ଦଳ ଇଚ୍ଛା ପ୍ରକାଶ କରିଛନ୍ତି । ତେବେ ଏଥର ମହାରାଷ୍ଟ୍ର ନିର୍ବାଚନରେ କେବଳ ଏମଭିଏ ନୁହେଁ ବରଂ ଇଣ୍ଡି ମେଣ୍ଟର ପ୍ରାର୍ଥୀମାନେ ମୈଦାନରେ ରହିବେ ।