ପାଟନା:  ଜେଲ୍‌ରୁ ମୁକୁଳିବାକୁ ଚାହୁଁ ନାହାନ୍ତି ଜନ ସୁରାଜ ପାର୍ଟିର ମୁଖ୍ୟ ପ୍ରଶାନ୍ତ କିଶୋର । ତାଙ୍କୁ କୋର୍ଟ ଜାମିନ ଦେଇଥିବା ବେଳେ ସେ ଏଥିପାଇଁ ଏକ ଜାମିନ କାଳୀନ ବଣ୍ଡ ଦେବାକୁ ମନା କରିଦେଇଛନ୍ତି । ବିପିଏସ୍‌ସି ପରୀକ୍ଷା ରଦ୍ଦ କରିବା ଦାବିରେ ଜେଲରେ ଆମରଣ ଅନଶନ କରିବାକୁ ଜିଦ ଧରି ବସିଛନ୍ତି । ପାଟନା ପୋଲିସ ଦ୍ବାରା ଗିରଫ ହେବା ପରେ ପରେ ତାଙ୍କୁ ଏକ କୋର୍ଟ ଜାମିନ ଦେଇଥିଲେ ।   ପ୍ରଶାନ୍ତ କିଶୋରଙ୍କ ସମର୍ଥକଙ୍କ ତୀବ୍ର ଆନ୍ଦୋଳନ ପରେ ତାଙ୍କୁ ଜାମିନ ମିଳିଥିଲା କିନ୍ତୁ ସେ ଜେଲ୍‌ରେ ରହି ଆମରଣ ଅନଶନ କରିବାକୁ ଚାହୁଁଥିବା କୁହାଯାଉଛି । 

 ପାଟନାର ଗାନ୍ଧୀ ମୈଦାନରେ ଗାନ୍ଧୀଙ୍କ ମୂର୍ତ୍ତୀ ତଳେ ଆନ୍ଦୋଳନ କରୁଥିଲେ ପ୍ରଶାନ୍ତ କିଶୋର । ବିହାର ପ୍ରଶାସନିକ ସେବା ପରୀକ୍ଷା ଆଶାୟୀଙ୍କ ସମର୍ଥନରେ ସେ ଆନ୍ଦୋଳନ କରୁଥିବା ବେଳେ ପୋଲିସ ତାଙ୍କୁ ସେଠାରୁ ବାହାର କରିଥିଲା । ଯୁବବର୍ଗଙ୍କ ପାଇଁ ହୋଇଥିବା ଅନ୍ୟାୟ ବିରୋଧରେ ଲଢ଼ିବା ଯଦି ଅପରାଧ ତେବେ ଜେଲ୍‌ ଯିବାକୁ ସେ ପସନ୍ଦ କରିବେ ବୋଲି କହିବା ସହ ଜେଲ୍‌ରେ ଆମରଣ ଅନଶନ କରିବେ ବୋଲି ଚେତାବନୀ ଦେଇଥିଲେ ପ୍ରଶାନ୍ତ କୁମାର (ପିକେ) । 

 ଜଣେ ପୋଲିସ ଅଧିକାରୀଙ୍କ ଅନୁସାରେ, ପ୍ରଶାନ୍ତ କିଶୋର ଏବଂ ତାଙ୍କର ସମର୍ଥକ ପ୍ରତିବନ୍ଧିତ ଅଞ୍ଚଳରେ ଆନ୍ଦୋଳନ କରୁଥିବା ବେଳେ ସେମାନଙ୍କୁ ସେଠାରୁ ହଟାଇ ଦିଆଯାଇଥିଲା । ବିହାର ପିଏସ୍‌ସି ପରୀକ୍ଷାରେ ଅନିୟମତତା ବିରୋଧରେ ଆନ୍ଦୋଳନ କରୁଥିବା ବେଳେ ପ୍ରଶାନ୍ତ କିଶୋରଙ୍କୁ ପୋଲିସ ଗିରଫ କରିଥିଲା । ସେପଟେ ଗିରଫ ସମୟରେ ପୋଲିସ ପ୍ରଶାନ୍ତ କିଶୋରଙ୍କୁ ମାଡ଼ ମାରିଥିବା ନେଇ ଜନ ସୁରାଜ ପାର୍ଟିର ସମର୍ଥକମାନେ ଅଭିଯୋଗ କରିଛନ୍ତି । ପାଟନା ଜିଲ୍ଲାପାଳଙ୍କ ଅନୁସାରେ, ବେଆଇନ ସ୍ଥାନରେ ଧାରଣା ଦେଇଥିବାରୁ ପ୍ରଶାନ୍ତ କିଶୋରଙ୍କୁ ଗିରଫ କରାଯାଇଛି ।