ଦାରିଙ୍ଗବାଡି,୨୬/୦୫: କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ିର ସିର୍କାବର୍ଗ ଏକ ଉପାନ୍ତ ପଞ୍ଚାୟତ । ବ୍ଲକ୍ ହେଡକ୍ୱାର୍ଟର ଠାରୁ ୩୦ କିଲୋମିଟର ପାହାଡ଼ ପର୍ବତ ମଧ୍ୟରେ ଅବସ୍ଥିତ ଏହି ପଞ୍ଚାୟତ । ଉକ୍ତ ଗାଁକୁ ପ୍ରଧାନମନ୍ତ୍ରୀ ସଡ଼କ ଯୋଜନାରେ ରାସ୍ତା ନିର୍ମାଣ ହୋଇଥିଲା । ମାତ୍ର ୪ ବର୍ଷ ହେଲା ଏହି ରାସ୍ତାର ରକ୍ଷଣା ବେକ୍ଷଣ ହୋଇନଥିବାରୁ ଶୋଚନୀୟ ହୋଇପଡ଼ିଛି । ଦନେକବାଡ଼ି ଘାଟି ଠାରୁ ସିର୍କାବର୍ଗ ପର୍ଯ୍ୟନ୍ତ ଦୀର୍ଘ ୧୮ କିଲୋମିଟର ରାସ୍ତା ଉପରୁ ପିଚୁ ଉଠିବା ସହ ମେଟାଲ ବାହାରି ପଡ଼ିଲାଣି । ଫଳରେ ଘାଟି ଓ ପାହାଡ଼ ରାସ୍ତାରେ ଯାତାୟାତ ଏକ ପ୍ରକାର ଠପ୍ ହେବାକୁ ବସିଲାଣି । ରାସ୍ତା ନଷ୍ଟ ହୋଇଯାଇଥିବାରୁ ଏହି ଅଞ୍ଚଳରେ ବସ୍ ଚଳାଚଳ ବାଧାପ୍ରାପ୍ତ ହୋଇଛି । ଏନେଇ ବାରମ୍ବାର ଅଭିଯୋଗ ପରେ ବି ସମସ୍ୟାର କୌଣସି ସମାଧାନ ହେଲା ନାହିଁ । ଯାହା ଫଳରେ ଅଞ୍ଚଳବାସୀ ଆନ୍ଦୋଳନ ପାଇଁ ପ୍ରସ୍ତୁତ ହୋଇଛନ୍ତି ।
ସିର୍କାବର୍ଗ ପଞ୍ଚାୟତ ଅଞ୍ଚଳର ପ୍ରମୁଖ ସମସ୍ୟା କହିଲେ ରାସ୍ତା ଓ ବସ୍ ଯାତାୟାତ ସମସ୍ୟା । ଉକ୍ତ ରାସ୍ତା ଖାଲଖମା ଭର୍ତ୍ତି ହୋଇଥିବାରୁ କେତେବେଳେ ବି ଦୁର୍ଟଘଣା ଘଟିବା କେହି କହିପାରିବେ ନାହିଁ । ଅନେକ ସମୟରେ ଲୋକେ ଦୁର୍ଘଟଣାର ଶିକାର ମଧ୍ୟ ହେଇଛନ୍ତି । ଏଭଳିକି ଅନେକ ଲୋକ ଖଣ୍ଡିଆ ଖାବରା ମଧ୍ୟ ହେଉଛନ୍ତି । ଠିକାଦାର ରକ୍ଷଣା ବେକ୍ଷଣ କରୁନଥିବାରୁ ସମସ୍ୟା ଭୋଗୁଛନ୍ତି ସ୍ଥାନୀୟବାସିନ୍ଦା । ଗ୍ରାମ୍ୟ ଉନ୍ନୟନ ବିଭାଗ ଠିକାଦାରଙ୍କୁ ବାମମ୍ବାର ନୋଟିସ୍ ମଧ୍ୟ କରିସାରିଲାଣି । ହେଲେ ଏଯାଏ ରାସ୍ତା ମରାମତି କାମ ଆରମ୍ଭ ହେଇପାରୁନାହିଁ । ସିର୍କାବର୍ଗ ସରପଞ୍ଚ ସମେତ ସମିତି ସଭ୍ୟ ଓ ଅଞ୍ଚଳବାସୀ ଜିଲ୍ଲାପାଳଙ୍କୁ ମଧ୍ୟ ଏବାବଦରେ ଅବଗତ କରାଇଛନ୍ତି । ଅନଲାଇନ ମାଧ୍ୟମରେ ମୁଖ୍ୟମନ୍ତ୍ରୀଙ୍କୁ ୩ରୁ ଉର୍ଦ୍ଧ୍ୱ ଥର ଅଭିଯୋଗ କରିଥିଲେ ସୁଦ୍ଧା ଫଳଶୂନ ।
ସେହିପରି ସିର୍କାବର୍ଗବାସୀଙ୍କ ଆଉ ଏକ ଦୁଃଖ ହେଲା ସରକାରୀ ବସ୍ ଚଳାଚଳ ସମସ୍ୟା । ସିର୍କାବର୍ଗ ପଞ୍ଚାୟତ ସମେତ ଦନେକବାଡ଼ି ପଞ୍ଚାୟତକୁ କୌଣସି ବେସରକାରୀ ବସ୍ ସେବା ନଥିବା ବେଳେ ଲକ୍ଷ୍ମୀ ଯୋଜନାରେ ଏହି ୨ଟି ପଞ୍ଚାୟତ ନିମନ୍ତେ ଏକ ଲକ୍ଷ୍ମୀ ବସ୍ ଦିନକୁ ୪ ଥର ଦନେକବାଡ଼ି ଓ ସିର୍କାବର୍ଗ ଯାଉଥିଲା । ହେଲେ ତତ୍କାଳୀନ ବିଡିଓ ଉକ୍ତ ବସ୍ ରୁଟ୍କୁ ପରିବର୍ତ୍ତନ କରି ବାଡାବାଙ୍ଗାକୁ ଯାତାୟାତ ପାଇଁ ଚିଠି କରିଥିଲେ । ଫଳରେ ଉକ୍ତ ବସ୍ଟି ସିର୍କାବର୍ଗ ଓ ଦନେକବାଡ଼ିକୁ ସକାଳେ ଓ ସନ୍ଧ୍ୟାରେ ମାତ୍ର ୨ ଥର ଯାଉଥିବା ବେଳେ ଦିନ ତମାମ ବନ୍ଦ ରହୁଛି । ଫଳରେ ସକାଳୁ ଆସିଥିବା ଲୋକେ କାମ ସାରିଥିଲେ ସୁଦ୍ଧା ସନ୍ଧ୍ୟା ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡୁଛି । ଫଳରେ ୨ଟି ପଞ୍ଚାୟତର ହଜାର ହଜାର ଲୋକ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି ।
ସିର୍କାବର୍ଗ ସରପଞ୍ଚ ଚିରଞ୍ଜୀବୀ ପ୍ରଧାନ ଓ ଦନେକବାଡ଼ି ସରପଞ୍ଚ ନଞ୍ଜୟ ପ୍ରଧାନ ଏନେଇ ବିଡିଓ ପ୍ରୀତି ରଞ୍ଜନ ରଥଙ୍କୁ ଲିଖିତ ଅଭିଯୋଗ କରିଥିଲେ । ଏହା ସହ ଗ୍ରାମବାସୀ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣିରେ ମଧ୍ୟ ଅଭିଯୋଗ କରିଥିଲେ । ହେଲେ ଏବେ ସୁଦ୍ଧା କୌଣସି ସୁଫଳ ମିଳିନାହିଁ । ଫଳରେ ଅଞ୍ଚଳବାସୀ ଆନ୍ଦୋଳନକୁ ଓହ୍ଲାଇ ଦାରିଙ୍ଗବାଡି- ବ୍ରାହ୍ମଣୀଗାଁ ପୂର୍ତ୍ତବିଭାଗ ରାସ୍ତା ଅବରୋଧ କରିବେ ବୋଲି ଖୋଲାଖୋଲି ଭାବେ କହିଛନ୍ତି । ୧୫ଦିନ ମଧ୍ୟରେ ଯଦି ୨ଟି ଦାବିର ସମାଧାନ ନହୁଏ, ତାହାଲେ ରାସ୍ତା ଅବରୋଧ ସମୟରେ ପ୍ରଶାସନର କୌଣସି କଥାକୁ ଶୁଣାଯିବନି ବୋଲି ଅଞ୍ଚଳବାସୀ ରୋକ୍ ଠୋକ୍ କହିଛନ୍ତି ।