ନୂଆଦିଲ୍ଲୀ,୭।୭: ରୁଷର ପୂର୍ବତନ ପରିବହନ ମନ୍ତ୍ରୀ ରୋମନ ଷ୍ଟାରଭୋଏଟ୍ କରିଛନ୍ତି ଆତ୍ମହତ୍ୟା। ଜୀବନ ହାରିବାର କିଛି ଘଣ୍ଟା ପୂର୍ବରୁ ରୁଷ ରାଷ୍ଟ୍ରପତି ବ୍ଲାଦିମିର ପୁଟିନ୍ ତାଙ୍କୁ ପଦରୁ ବରଖାସ୍ତ କରିଥିଲେ। ରୁଷର ଯାଞ୍ଚ କମିଟି ଏହା ସ୍ପଷ୍ଟ କରିଛି ଯେ, ରୋମନ ସୋମବାର ଆତ୍ମହତ୍ୟା କରିଛନ୍ତି। ତାଙ୍କ ମୃତଦେହ ମସ୍କୋର ଏକ ସହରରୁ ଉଦ୍ଧାର କରାଯାଇଛି।

ଉଲ୍ଲେଖନୀୟ ଯେ, ୫୩ ବର୍ଷୀୟ ରୋମନ୍ ମଇ ୨୦୨୪ ରେ ରୁଷର ପରିବହନ ମନ୍ତ୍ରୀ ଭାବରେ ଦାୟିତ୍ବ ଗ୍ରହଣ କରିଥିଲେ। ଏହା ପୂର୍ବରୁ ପୁଟିନ୍ ତାଙ୍କୁ କୁର୍ସ୍କର ଗଭର୍ଣ୍ଣର ମଧ୍ୟ କରିଥିଲେ। ରୁଷ ଯାଞ୍ଚ କମିଟି କହିଛି, ଆଜି ପୂର୍ବତନ ପରିବହନ ମନ୍ତ୍ରୀଙ୍କ ମୃତଦେହ ଓଣ୍ଡିଟସୋଭୋ ଜିଲ୍ଲାରେ ଥିବା ନିଜ କାର ଭିତରୁ ମିଳିଛି। ତାଙ୍କ ଶରୀରରେ ଗୁଳି ଚିହ୍ନ ରହିଛି।’ କୁହାଯାଉଛି ଯେ, ସେ ନିଜକୁ ଗୁଳି କରି ଆତ୍ମହତ୍ୟା କରିଛନ୍ତି।

ମୃତ୍ୟୁର କିଛି ଘଣ୍ଟା ପୂର୍ବରୁ କ୍ରେମାଲିନ୍ ପୁଟିନଙ୍କ ଦ୍ବାରା ଦସ୍ତଖତ ହୋଇଥିବା ଏକ ନିର୍ଦେଶର ଘୋଷଣା କରି କହିଥିଲା ରୋମନଙ୍କୁ ତାଙ୍କ ଦାୟିତ୍ବରୁ ମୁକ୍ତ କରାଯାଉଛି। ତେବେ ଏଥିରେ କୌଣସି କାରଣ ଉଲ୍ଲେଖ କରାଯାଇନଥିଲା। ନିର୍ଦେଶରେ କେବଳ ଏତିକି କୁହାଯାଇଥିଲା, ରୋମନଙ୍କୁ ପରିବହନ ମନ୍ତ୍ରୀ ପଦରୁ ମୁକ୍ତ କରି ଦିଆଯାଇଛି। କୁହାଯାଉଛି ଯେ, ଗତ ସପ୍ତାହ ୟୁକ୍ରେନ୍ର ଡ୍ରୋନ୍ ହମଲା ପରେ ରୁଷ ବିମାନ ବନ୍ଦରରେ ଅରାଜକତା ପରେ ରୋମନଙ୍କୁ ବରଖାସ୍ତ କରାଯାଇଥିଲା। ସେଭଳି ରୁଷ ମିଡିଆ ରିପୋର୍ଟ ଅନୁସାରେ, କୁର୍ସ୍କ ଅଞ୍ଚଳରେ ଦୁର୍ନୀତି ମମଲାରେ ସମ୍ପୃକ୍ତ ଥିବା କାରଣରୁ ପୁଟିନ୍ ତାଙ୍କୁ ପଦରୁ ବରଖାସ୍ତ କରିଛନ୍ତି। ତେବେ କ୍ରେମାଲିନ୍ ମୁଖପାତ୍ର ଦିମିତ୍ରି ପେସ୍କୋଭେ ଏଭଳି କଥାକୁ ଖଣ୍ଡନ କରିଛନ୍ତି।