କଟକ,୦୪/୦୨: କଟକ ମହାନଗର  ନିଗମ(ସିଏମ୍‌ସି)ରେ ଓପନ୍‌ ଜିମ୍‌ ନିର୍ମାଣ ଆଳରେ ଜିମ୍‌ ଯନ୍ତ୍ରାଂଶ କିଣାରେ ହୋଇଛି ସାଂଘାତିକ ଘୋଟାଲା ।  ୨୦୨୨ ମସିହାରେ କିଣା ହୋଇଥିବା ଦେଢ଼ କୋଟିର  ଜିମ୍‌ ଯନ୍ତ୍ରାଂଶର ମାତ୍ର ୪୦ ପ୍ରତିଶତ ବ୍ୟବହାର ହୋଇ  ବାକି ୬୦ ପ୍ରତିଶତ ଖତ ଖାଉଛି । ସେଠାରେ ପୁଣି  ୨୦୨୪ ମସିହାରେ କାର୍ଯ୍ୟାଦେଶ ଦେଇ ବର୍ଷକ ପରେ  ଏବେ କିଣା ହେଉଛି ୫ କୋଟିର ଜିମ୍‌ ଯନ୍ତ୍ରାଂଶ ।  ତାହା ପୁଣି କାଉନ୍‌ସିଲ୍‌ ଓ ଷ୍ଟାଣ୍ଡିଂ କମିଟିର ବିନା ଅନୁମୋଦନରେ ସିଟି ଇଞ୍ଜିନିୟର୍‌ ତଥା ନଗର  ଯନ୍ତ୍ରୀ ନିର୍ଦ୍ଦିଷ୍ଟ ସଂସ୍ଥାରୁ ୫ କୋଟିର ସାମଗ୍ରୀ କିଣିବାକୁ  କାର୍ଯ୍ୟାଦେଶ ଦେଇଛନ୍ତି । ଯାହା ସରକାରୀ ନିୟମକୁ  ଉଲ୍ଲଙ୍ଘନ କରୁଥିବାରୁ ନଗର ଯନ୍ତ୍ରୀଙ୍କ ବିରୋଧରେ  ଭିଜିଲାନ୍ସରେ ଲିଖିତ ଅଭିଯୋଗ କରାଯାଇଛି ।  ତେବେ ମୁଖ୍ୟ କଥା ହେଉଛି, ଏଭଳି ଅନିୟମିତତା  ବାରମ୍ବାର ସାମ୍ନାକୁ ଆସୁଥିବାବେଳେ କାହା ଇଙ୍ଗୀତରେ  କୋଟି କୋଟି ଟଙ୍କା ଅପବ୍ୟୟ ହେଉଛି ତାକୁ  ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

ସହରର ବିଭିନ୍ନ ପାର୍କ ଓ ଖୋଲା ସ୍ଥାନରେ ନିଗମ  ପକ୍ଷରୁ ଜିମ୍‌ ଯନ୍ତ୍ରାଂଶ ଖଞ୍ଜାଯାଉଛି । ଏଥିପାଇଁ ନିଗମ  ପ୍ରଥମେ ୨୦୨୨ ମସିହା ମେ ମାସରେ ଚିଠି ନମ୍ବର  ୮୧୬୪ ଦ୍ୱାରା ନାଗପୁରର ରାଜ୍‌ ଇକ୍ୟୁପ୍‌ମେଣ୍ଟ୍‌ସ୍‌ରୁ  ୧୧ ପ୍ରକାରର ସମୁଦାୟ ୧୬୫ଟି ଯନ୍ତ୍ରାଂଶ କିଣିଥିଲା ।  ଯାହାର ମୂଲ୍ୟ ଏକ କୋଟି ୪୮ ଲକ୍ଷ ଟଙ୍କା  ରହିଥିଲା । ସଂସ୍ଥା ପକ୍ଷରୁ ୨୦୨୨ ଡିସେମ୍ବର ସୁଦ୍ଧା  ମାତ୍ର ୪୦ ପ୍ରତିଶତ ସହରରେ ଲଗାଯାଇଥିଲା । ବାକି ୬୦ ପ୍ରତିଶତ ତଥା ୯୯ଟି ଯନ୍ତ୍ରାଂଶ ବର୍ତ୍ତମାନ  ସୁଦ୍ଧା ସିଏମ୍‌ସି ଷ୍ଟୋର୍‌ ରୁମ୍‌ରେ ଖତ ଖାଉଛି । ଏଭଳି  ସ୍ଥିତିରେ ସିଏମ୍‌ସି ନଗର ଯନ୍ତ୍ରୀ ଇଂ ଅତନୁ ସାମନ୍ତ  କାଉନ୍‌ସିଲ୍‌ ବିନା ଅନୁମୋଦନରେ ପୁଣି ୨୦୨୪  ମସିହା ଫେବ୍ରୁଆରୀରେ ଚିଠି ନମ୍ବର ୧୩୯୧(ପିଡବ୍ଲୁ) ରେ ଉକ୍ତ ସଂସ୍ଥାକୁ ୫କୋଟି ଟଙ୍କାର କାର୍ଯ୍ୟାଦେଶ  ପ୍ରଦାନ କରିଥିଲେ । ଏଥିରେ ପୁଣି ୫୫୫ଟି ଯନ୍ତ୍ରାଂଶ  ଦେବାକୁ କୁହାଯାଇଛି । ଯାହାର ମୂଲ୍ୟ ହେଉଛି  ସମୁଦାୟ ୫କୋଟି ଟଙ୍କା ।

 ଏହି କାର୍ଯ୍ୟାଦେଶ ବଳରେ  ଅଳ୍ପ କିଛି ଯନ୍ତ୍ରାଂଶ ଆସିଛି । ଏଠାରେ ସବୁ ନିୟମକୁ  ଦଳି ମକଚି ଦେଇ ନଗର ଯନ୍ତ୍ରୀ ଶ୍ରୀ ସାମନ୍ତ ୫ କୋଟି  ଟଙ୍କାର କାର୍ଯ୍ୟାଦେଶ ଠିକା ସଂସ୍ଥାକୁ କିଭଳି ଦେଲେ  ବୋଲି ସହରବାସୀ ପ୍ରଶ୍ନ କରିଛନ୍ତି । ସେହିପରି  ସହରବାସୀଙ୍କ ପକ୍ଷରୁ ଭିଜିଲାନ୍ସରେ ନଗର ଯନ୍ତ୍ରୀ  ଶ୍ରୀ ସାମନ୍ତଙ୍କ ବିରୋଧରେ ଅଭିଯୋଗ କରାଯାଇଛି । ଏହାର ଉଚ୍ଚସ୍ତରୀୟ ତଦନ୍ତ କରାଯାଇ ସରକାରୀ  ଅର୍ଥକୁ ମନ ଇଚ୍ଛା ଖର୍ଚ୍ଚ ଉପରେ ରୋକ୍‌ ଲଗାଇବାକୁ  ଅଭିଯୋଗ ପତ୍ରରେ ସହରବାସୀ ଦାବି କରିଛନ୍ତି ।