ନୂଆଦିଲ୍ଲୀ,୮।୧୦: ପାକିସ୍ତାନ ସେନା ଉପରେ ତହରିତ-ଇ-ତାଲିବାନ(ଟିଟିପି) ର ବଡ଼ ଧରଣର ଆକ୍ରମଣ । ଏଥିରେ ଜଣେ ଲେଫ୍ଟନାଣ୍ଟ କର୍ଣ୍ଣେଲ ଏବଂ ଜଣେ ମେଜରଙ୍କ ସମେତ ପ୍ରାୟ ୧୧ ଜଣ ସୈନିକ ମୃତ୍ୟୁ ହୋଇଛି। ଏହି ଆକ୍ରମଣ ଖାଇବର ପଖତୁନଖ୍ୱାର କୁରର୍ମ ଜିଲ୍ଲାରେ ଯେଉଁଠାରେ ବାରମ୍ବାର ଚରମପନ୍ଥୀ ଆକ୍ରମଣ ଦେଖିବାକୁ ମିଳିଛି। ଆକ୍ରମଣ ପାଇଁ ଟିଟିପି ନିଜକୁ ଦାୟୀ କରିଛି। ଘାତ ଲଗାଇ ବସିଥିବା ଆତଙ୍କୀ ପ୍ରଥମେ ଆଇଆଇଡି ବିସ୍ଫୋରଣ କରିଥିଲେ। ଏହାପରେ କରିଥିଲେ ଆଖିବୁଜା ଗୁଳିମାଡ଼।
ବାଲୁଚ୍ ବିଦ୍ରୋହୀଙ୍କ ଆକ୍ରମଣ ଭିତରେ ଟିଟିପିର ଆକ୍ରମଣ ପାକିସ୍ତାନ ସେନା ପାଇଁ ବଡ଼ ଚିନ୍ତା ପାଲଟିଛି। ପାକିସ୍ତାନ ସେନା କହିଛି ଯେ ଏହି ଆକ୍ରମଣ ଓରାକଜାଇ ପ୍ରଦେଶରେ ଏକ ଗୁପ୍ତ ଅପରେସନ ସମୟରେ ହୋଇଥିଲା। ଯେଉଁଥିରେ ୧୯ ଜଣ ଆତଙ୍କବାଦୀ ନିହତ ହୋଇଥିଲେ। ଏହି ଅପରେସନ ସମୟରେ ପାକିସ୍ତାନୀ ସେନା ମଧ୍ୟ ବହୁ କ୍ଷତି ସହିଥିଲା। ଅପରେସନର ନେତୃତ୍ୱ ନେଉଥିବା ଲେଫ୍ଟନାଣ୍ଟ କର୍ଣ୍ଣେଲ ଜୁନୈଦ ଆରିଫ୍ (୩୯) ଏବଂ ମେଜର ତୈୟବ ରାହତ (୩୩) ସହ ୯ ଜଣ ଯବାନଙ୍କ ମୃତ୍ୟୁ ହୋଇୀଛି।
ପାକିସ୍ତାନ ସେନାର ଜନସମ୍ପର୍କ ବିଭାଗ କହିଛି, ଆତଙ୍କବାଦ ସମ୍ପୂର୍ଣ୍ଣ ଭାବରେ ନିପାତ ନହେବା ପର୍ଯ୍ୟନ୍ତ ଏହି ଅପରେସନ ଜାରି ରହିବ। ସେପଟେ ପାକିସ୍ତାନର ପ୍ରଧାନମନ୍ତ୍ରୀ ଶାହବାଜ ସରିଫ ତାଙ୍କ ବିବୃତ୍ତିରେ କହିଛନ୍ତି, ‘ଆମର ସାହସୀ ସୈନିକଙ୍କ ବଳିଦାନ ବ୍ୟର୍ଥ ଯିବ ନାହିଁ।’ ତେବେ ଏସବୁ ଭିତରେ ପାକିସ୍ତାନ ସେନା ଭାରତକୁ ଦାୟୀ କରିଛି। ଯଦିଓ ଏହାର କୌଣସି ପ୍ରମାଣ ଦେଇପାରିନି କିନ୍ତୁ ସବୁଥର ଭଳି ଦାୟୀ କରିଛି। ପାକିସ୍ତାନରେ ଚଳିତ ବର୍ଷର ତିନି ମାସ ମଧ୍ୟରେ ୪୬% ଆତଙ୍କୀ ଘଟଣା ବୃଦ୍ଧି ପାଇଛି।