ପୁରୀ, ୫।୭ : ପୁରୀ ସମୁଦ୍ରରେ ଫସିଥିବା ଆନ୍ଧ୍ରପ୍ରଦେଶର ୧୦ ଜଣ ମତ୍ସ୍ୟଜୀବୀଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିଛି ପୁରୀ ପୋଲିସ । ପୁରୀ ଏସପି ପ୍ରତୀକ ସିଂଙ୍କ ପ୍ରତ୍ୟକ୍ଷ ନିର୍ଦ୍ଦେଶ ଏବଂ ପୋଲିସର ତ୍ୱରିତ ସମନ୍ୱୟ ଯୋଗୁଁ ମତ୍ସ୍ୟଜୀବୀମାନଙ୍କ ଜୀବନ ରକ୍ଷା ହୋଇ ପାରିଛି ।

ଆନ୍ଧ୍ରପ୍ରଦେଶର କାକିନାଡା ଫିସିଙ୍ଗ ହାର୍ବରରୁ ଏକ ମାଛଧରା ଡଙ୍ଗା ସମୁଦ୍ରକୁ ଯାଇଥିଲା । ମାତ୍ର ସମୁଦ୍ର ମଧ୍ୟରେ ହଠାତ୍ ଡଙ୍ଗାଟିର ଇଞ୍ଜିନ ସମ୍ପୂର୍ଣ୍ଣ ଅଚଳ ହୋଇଯାଇଥିଲା । ଫଳରେ ଡଙ୍ଗାଟି ପୁରୀର ତାଜ ହୋଟେଲ ଉପକୂଳଠାରୁ ପ୍ରାୟ ୨ରୁ ୩ କିଲୋମିଟର ଦୂର ସମୁଦ୍ର ଭିତରେ ଫସି ରହିଥିଲା ।

ଡଙ୍ଗାଟି ଫସି ରହିଥିବା ନେଇ ସୂଚନା ପାଇବା ମାତ୍ରେ ପୁରୀ ଏସପି ପ୍ରତୀକ ସିଂ ତୁରନ୍ତ ଉଦ୍ଧାର କାର୍ଯ୍ୟ ପାଇଁ ନିର୍ଦ୍ଦେଶ ଦେଇଥିଲେ । ବଳିଆପଣ୍ଡା ଥାନା ଏବଂ ପେଣ୍ଠକଟା ମେରାଇନ୍ ପୋଲିସ ମିଳିତ ଭାବେ ଉଦ୍ୟମ କରିଥିଲେ। ସମୁଦ୍ର ମଧ୍ୟରେ ଥିବା ଅନ୍ୟ ନିକଟସ୍ଥ ମାଛଧରା ଡଙ୍ଗାଗୁଡ଼ିକ ସହ ଯୋଗାଯୋଗ ସ୍ଥାପନ କରିଥିଲେ । ବିଶାଖାପାଟଣାର ଏକ ନିକଟବର୍ତ୍ତୀ ମାଛଧରା ଡଙ୍ଗା ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲା ଏବଂ ଫସି ରହିଥିବା ସମସ୍ତ ୧୦ ଜଣ ମତ୍ସ୍ୟଜୀବୀଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିଥିଲା । ଉଦ୍ଧାର ହୋଇଥିବା ସମସ୍ତ ମତ୍ସ୍ୟଜୀବୀ ଆନ୍ଧ୍ରପ୍ରଦେଶ ବିଜୟନଗରମ ଜିଲ୍ଲାର ଚିନ୍ତାପଲ୍ଲୀ ଗ୍ରାମର ବାସିନ୍ଦା ବୋଲି ଜଣାପଡ଼ିଛି । ଉଦ୍ଧାର ହେବା ପରେ ସମସ୍ତ ମତ୍ସ୍ୟଜୀବୀ ନିଜ ନିଜ ଘରକୁ ଫେରିଯାଇଛନ୍ତି । ଅନ୍ୟପକ୍ଷରେ ସମୁଦ୍ରରେ ଥିବା ଅଚଳ ଡଙ୍ଗାଟିକୁ ସୁରକ୍ଷିତ ସ୍ଥାନକୁ ଆଣିବା ପାଇଁ ପୋଲିସ ପକ୍ଷରୁ ଆବଶ୍ୟକ ବ୍ୟବସ୍ଥା କରାଯାଉଛି।

ଆହୁରି ପଢନ୍ତୁ : ଆରଡିସି ଏବଂ ଜିଲ୍ଲାପାଳଙ୍କୁ ରାଜସ୍ୱ ସଚିବଙ୍କ ଚିଠି , ଭୂଦାନ ଜମିର ବଣ୍ଟନ ଏବଂ ମ୍ୟୁଟେସନ୍ ଉପରେ ସ୍ଥଗିତ ନିର୍ଦ୍ଦେଶ