ଭୁବନେଶ୍ୱର, ୨୦।୪: ରାଜ୍ୟ ସରକାରଙ୍କୁ ବିଜେଡିର ଶାଣିତ ପ୍ରଶ୍ନ । ସିଏମ୍ କିଷାନ ଯୋଜନାରେ ହିତାଧିକାରୀଙ୍କ ସଂଖ୍ୟା ହ୍ରାସକୁ ନେଇ ବିଜେପି ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି ବିରୋଧୀ ଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟ । ୫୧ ଲକ୍ଷରୁ ହିତାଧିକାରୀ ସଂଖ୍ୟା କିପରି ଏକାଥରକେ ୪୧ ଲକ୍ଷକୁ ଖସି ଆସିଲା, ସେନେଇ ସରକାରଙ୍କୁ ଜବାବ ମାଗିଛି ବିରୋଧୀ ଦଳ । ୧୦ ଲକ୍ଷ ଚାଷୀ କୁଆଡ଼େ ଗଲେ ବୋଲି ବିଜେଡି ପ୍ରଶ୍ନ କରିଛି । ବିରୋଧୀ ଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟ କହିଛନ୍ତି ଯେ, ହିତାଧିକାରୀଙ୍କ ସଂଖ୍ୟା ହ୍ରାସ ପାଇଛି । ପୂର୍ବରୁ ସିଏମ୍ କିଷାନ କିସ୍ତି ବଣ୍ଟନ ସମୟରେ ୫୧ ଲକ୍ଷରୁ ଅଧିକ ଚାଷୀ ସହାୟତା ପାଇଥିଲେ । କିନ୍ତୁ ଚଳିତ ଥର ମାତ୍ର ୪୧ ଲକ୍ଷ ୬୮ ହଜାର ଚାଷୀଙ୍କୁ ଏହି ସୁବିଧା ମିଳିଛି । ପାଖାପାଖି ୧୦ ଲକ୍ଷରୁ ଅଧିକ ଚାଷୀଙ୍କ ନାଁ ତାଲିକାରୁ କାଟି ଦିଆଯାଇଛି । ସେମାନଙ୍କୁ କେଉଁ ଆଧାରରେ ବାଦ୍ ଦିଆଗଲା, ତାହାର ସ୍ପଷ୍ଟୀକରଣ ଦରକାର ।
ଏହା ବି ପଢ଼ନ୍ତୁ... ୯.୮ ଲକ୍ଷ ଭୋଟର କଟିବା ପରେ ଚିନ୍ତାରେ ଗୃହ ନିର୍ବାଚନ ଵିଭାଗ; ସ୍ଥଗିତ ରହିଲା ୨ ଲକ୍ଷ Form-7
ଧାନ ସଂଗ୍ରହରେ ଅବ୍ୟବସ୍ଥା ପରେ ଏବେ ସହାୟତା ରାଶି କାଟି ସରକାର ଚାଷୀଙ୍କ ପେଟକୁ ଲାତ ମାରିଛନ୍ତି ବୋଲି ଶ୍ରୀ ଆଚାର୍ଯ୍ୟ ଅଭିଯୋଗ କରିଛନ୍ତି । "ଏହା କ’ଣ ଚାଷୀଙ୍କୁ ଅକ୍ଷୟ ତୃତୀୟାରେ ସରକାରଙ୍କ ଉପହାର ? ଧାନ ସଂଗ୍ରହ ନକରି ପ୍ରଥମେ ହଇରାଣ କଲେ, ଏବେ ସିଏମ୍ କିଷାନ ଅର୍ଥ କାଟି ଚାଷୀଙ୍କ ସହ ବିଶ୍ୱାସଘାତକତା କରିଛନ୍ତି ।" ବିରୋଧୀ ଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟଙ୍କ ଏ ଅଭିଯୋଗ ପରେ ଏହି ଘଟଣାକୁ ନେଇ ଏବେ ରାଜ୍ୟ ରାଜନୀତିରେ ଆରୋପ-ପ୍ରତ୍ୟାରୋପର ଲଢ଼େଇ ତେଜିବାରେ ଲାଗିଛି । ସରକାରଙ୍କ ପକ୍ଷରୁ ଏ ସମ୍ପର୍କରେ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ ।