ନୂଆଦିଲ୍ଲୀ,୨୬/୦୪: ଛତିଶଗଡ଼-ତେଲଙ୍ଗାନା ସୀମାରେ ନକ୍ସଲଙ୍କ ବିରୋଧରେ ଭାରତ ସବୁଠାରୁ ବଡ ଅପରେସନ ଚଳାଇଛି । ଦୀର୍ଘ ୭୨ ଘଣ୍ଟାରୁ ଅଧିକ ସମୟ ଧରି ଏହି ଅପରେସନ ଜାରି ରହିଛି । ପାହାଡ ଓ ଜଙ୍ଗଲ ଅଞ୍ଚଳରେ ୧ ହଜାରରୁ ଅଧିକ ନକ୍ସଲଙ୍କୁ ୧୦ ହଜାରରୁ ଅଧିକ ଯବାନ ଘେରି ରହିଛନ୍ତି । ନକ୍ସଲଙ୍କ ପାଖରେ ଆତ୍ମସମର୍ପଣ ନଚେତ ମରିବା ଛଡା ଅନ୍ୟ ତୃତୀୟ ବିକଳ୍ପ ନାହିଁ । ଏଭଳି ସମୟରେ ନକ୍ସଲମାନେ ଅପରେସନ ରୋକିବାକୁ ସୁରକ୍ଷା ବାହିନୀ ନିକଟରେ ଅପିଲ କରିଛନ୍ତି । କହିଛନ୍ତି ସେମାନେ ସରକାରଙ୍କ ସହ ଆଲୋଚନା କରିବାକୁ ପ୍ରସ୍ତୁତ ଅଛନ୍ତି ।
ନକ୍ସଲ ସଙ୍ଗଠନର ଉତ୍ତର ପଶ୍ଚିମ ସବ-ଜୋନାଲ ବ୍ୟୁରୋର ପ୍ରଭାରୀ ରୁପେଶ ଏକ ପ୍ରେସ ଇସ୍ତାହାର ଜାରି କରି ଏହି ଅପିଲ କରିଛି । ସେଥିରେ ସେ ଲେଖିଛି ମାଓବାଦୀ ସଙ୍ଗଠନ ଆଲୋଚନା କରିବାକୁ ପ୍ରସ୍ତୁତ ଅଛନ୍ତି । କେନ୍ଦ୍ରୀୟ ସଙ୍ଗଠନ ମଧ୍ୟ ଏ ସମ୍ପର୍କରେ ଚିଠି ଲେଖିସାରିଛି । ତେଣୁ ସରକାରଙ୍କ ନିକଟରେ ଆମେ ଅପିଲ କରୁଛୁ କି ଆଲୋଚନା ମାଧ୍ୟମରେ ସମସ୍ୟାର ସମାଧାନ ବାହାର କରାଯାଉ ଏବଂ ସୈନ୍ୟ ଅପରେସନକୁ ତୁରନ୍ତ ରୋକାଯାଉ । କାରଣ ନକ୍ସଲମାନେ ଭଲ ଭାବେ ଜାଣି ସାରିଲେଣି ଯେ ସେମାନେ ଯଦି ଆତ୍ମସମର୍ପଣ ନ କରିବେ ତେବେ ନିପାତ ହେବେ । ତେଣୁ ସେମାନେ ଭୟଭୀତ ହୋଇସରକାରଙ୍କ ନିକଟରେ ଏଭଳି ଅନୁରୋଧ କରିଛନ୍ତି । ପୂର୍ବରୁ ନକ୍ସଲ ସଙ୍ଗଠନ ଛତିଶଗଡ ସରକାରଙ୍କୁ ଦୁଇଥର ଚିଠି ଲେଖି ଆଲୋଚନା ପାଇଁ କହିଥିଲା । କିନ୍ତୁ ଛତିଶଗଡ ସରକାର ସସର୍ତ୍ତ କଥାବାର୍ତ୍ତାକୁ ମନା କରିଦେଇଥିଲେ ।
ଛତିଶଗଡ-ମହାରାଷ୍ଟ୍ର-ତେଲଙ୍ଗାନା ସୀମାରେ ଥିବା କାରେଗୁଟ୍ଟା ଓ ନିଲମ ସରାୟ ପାହାଡ ଅଞ୍ଚଳରେ ନକ୍ସଲ ଦମନ ଲାଗି ଚାଲିଛି ବଡ ଅପରେସନ । ଛତିଶଗଡର ଡିଆରଜି, ଏସ୍ଟିଏଫ, କୋବ୍ରା, ସିଆରପିଏଫ, ବସ୍ତର ଫାଇଟର୍ସ, ମହାରାଷ୍ଟ୍ରର ସି-୬୦ କମାଣ୍ଡୋ, ଆନ୍ଧ୍ରପ୍ରଦେଶର ଗ୍ରେହାଉଣ୍ଡ ବାହିନୀ ସମେତ ବାୟୁସେନାର ପ୍ରାୟ ୧୦ ହଜାର ଯବାନ ଏହି ଅପରେସନରେ ସାମିଲ ହୋଇଛନ୍ତି । ସେମାନେ ପାହାଡ ଓ ଜଙ୍ଗଲ ଭିତରେ ଲୁଚି ରହିଥିବା ୧ ହଜାରରୁ ଅଧିକ ନକ୍ସଲଙ୍କୁ ଚାରିପଟୁ ଘେରି ରହିଛନ୍ତି । ବାୟୁସେନାର ଏମ୍ଆଇ-୧୭ ହେଲିକପ୍ଟର ଓ ଡ୍ରୋନକୁ ମଧ୍ୟ ନିୟୋଜିତ କରାଯାଇଛି । ହେଲିକପ୍ଟର ମାଧ୍ୟମରେ ଯବାନଙ୍କୁ ଖାଦ୍ୟ ଓ ପାନୀୟ ଯୋଗାଇ ଦିଆଯାଉଥିଲା ବେଳେ ଡ୍ରୋନ ମାଧ୍ୟମରେ ନକ୍ସଲଙ୍କ ଗତିବିଧି ଉପରେ ନଜର ରଖାଯାଇଛି । ଏହି ଅପରେସନ ଉପରେ କେବଳ ଛତିଶଗଡ ନୁହେଁ ସମଗ୍ର ଦେଶର ମଧ୍ୟ ନଜର ରହିଛି । ବିଜାପୁର ସମେତ ମହାରାଷ୍ଟ୍ର ଓ ତେଲଙ୍ଗାନା ପୁଲିସର ଉଚ୍ଚ ଅଧିକାରୀମାନେ ଏହି ଅପରେସନ ଉପରେ ନିୟମିତ ତଦାରଖ କରୁଛନ୍ତି । ଅପରେସନ ସମୟରେ କିଛି ଯବାନ ପ୍ରବଳ ଖରା ଯୋଗୁ ଅସୁସ୍ଥ ହୋଇପଡିଛନ୍ତି । ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।
ପୁଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଯବାନଙ୍କ ଘେରରେ ଅନେକ ନକ୍ସଲ କମାଣ୍ଡର ଫସିଛନ୍ତି । ସେମାନଙ୍କ ମଧ୍ୟରେ ଦୁର୍ଦ୍ଦର୍ଶ ନକ୍ସଲ ହିଡ୍ମା, ଦାମୋଦର, ଦେବା, ବିକାଶ ଓ ଅନ୍ୟ ବହୁ ନକ୍ସଲ ନେତା ଓ ସେମାନଙ୍କ ବାଟାଲିୟନ ସଦସ୍ୟ ଅଛନ୍ତି । ଏଥିସହ ତେଲଙ୍ଗାନା-ମହାରାଷ୍ଟ୍ର- ଆନ୍ଧ୍ର ସେଣ୍ଟାଲ କମିଟି, ଦଣ୍ଡକାରଣ୍ୟ ସ୍ପେଶାଲ ଜୋନାଲ କମିଟି, ଡିଭିଜନାଲ କମିଟି ସଦସ୍ୟ, ଏରିଆ କମିଟି ସଦସ୍ୟ, ସଙ୍ଗଠନ ସଚିବ ଭଳି ବଡ କ୍ୟାଡରର ନକ୍ସଲମାନେ ଏଠାରେ ରହିଥିବା ସୂଚନା ମିଳିଛି । ବସ୍ତର ପୁଲିସ ଆଇଜି ପି. ସୁନ୍ଦରରାଜଙ୍କ ଅନୁସାରେ କେବଳ କାରେଗୁଟ୍ଟା ପାହାଡରେ ୩୦୦ରୁ ଅଧିକ ନକ୍ସଲ ଥିବା ଗୁଇନ୍ଦା ସୂତ୍ରରୁ ଜଣାପଡିଛି । ଏହି ଅଞ୍ଚଳରେ ନକ୍ସଲ ସଙ୍ଗଠନର ବାଟାଲିୟନ ନଂ-୧ ଓ ନଂ-୨ ସମେତ ଅନ୍ୟ କମ୍ପାନି ସକ୍ରିୟ ରହିଛି । ନକ୍ସଲଙ୍କ ପାଖରେ ପର୍ଯ୍ୟାପ୍ତ ପରିମାଣର ଖାଦ୍ୟ ଓ ପାନୀୟ ନାହିଁ । ସେମାନଙ୍କର ସମସ୍ତ ଯେଗାଣ ରୁଟ ଓ ଖସିବାର ବାଟକୁ ଯବାନମାନେ ଚାରିପଟୁ ବନ୍ଦ କରିଦେଇଛନ୍ତି । ଅନ୍ୟପକ୍ଷରେ ଅପରେସନରେ ସାମିଲ ଯବାନଙ୍କ ପାଇଁ ହେଲିକପ୍ଟରେ ଖାଦ୍ୟ ଓ ପାନୀୟ ପଠାଯାଉଛି ।