ନବରଙ୍ଗପୁର, ୧୩/୦୩ : ‘ଜଙ୍ଗଲ ଆମ ମାଆ । ସବୁଜ ବନାନୀ ବଞ୍ଚିଲେ ଆମେ ବଞ୍ଚିବୁ ।’ ଏକଥାକୁ ଭଲଭାବେ ବୁଝିପାରିଛନ୍ତି ରାଇଘର ବ୍ଲକ ନାକଟିସେମଡ଼ା ଗାଁର ୫୦ ମହିଳା । ଦୀର୍ଘ ୧୦ ବର୍ଷ ହେଲା ସେମାନେ ପ୍ରାୟ ୧୦୦ ହେକ୍ଟର ବିସ୍ତୀର୍ଣ୍ଣ ଜଙ୍ଗଲକୁ ସୁରକ୍ଷା ଦେଇ ଆସୁଛନ୍ତି । ଠେଙ୍ଗାବାଡ଼ି ଧରି ପାଳିକରି ଜଗୁଛନ୍ତି । ଏମିତିକି ଜଙ୍ଗଲ ଭିତରେ ଚକଅଖ ଯେମିତି ନଗଡ଼ିବ, ସେଲାଗି ଜାରି କରିଛନ୍ତି ଫତୱା । ମାଫିଆମାନଙ୍କ ଉପରେ ରଖିଛନ୍ତି ଦିନରାତି କଡ଼ା ନଜର । ଏବେ ସବୁଜିମାରେ ହସୁଛି ପୂରା ଜଙ୍ଗଲ । ମହିଳାମାନଙ୍କ ଏଭଳି ଅଦମ୍ୟ ସାହସ ଓ ଉଦ୍ୟମକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଛି ।

ନାକ୍‌ଟିସେମଡ଼ା ଗାଁ ନିକଟରେ ରହିଛି ଏହି ଜଙ୍ଗଲ । ଗାଁର ତୁଳନୀ ଗଣ୍ଡ, ନୁର୍ଜ୍ୟବାଈ ଗଣ୍ଡ ପ୍ରମୁଖ କହିଛନ୍ତି, ଆଗରୁ ଏହି ଜଙ୍ଗଲରୁ ପ୍ରଚୁର ଜଙ୍ଗଲଜାତ ଦ୍ରବ୍ୟ ମିଳୁଥିଲା । ସେଗୁଡ଼ିକୁ ସଂଗ୍ରହ କରି ସେମାନେ ଜୀବିକା ନିର୍ବାହ କରୁଥିଲେ । ଅଥଚ କାଠ ମାଫିଆଙ୍କ ଲାଗି ଲୋପ ପାଇବାରେ ଲାଗିଥିଲା ବିଭିନ୍ନ ଫଳନ୍ତି ବୃକ୍ଷ । ଏବେ କେବଳ ମହୁଲ, ଟୋଲ, ଚାରକୋଳି ମିଳୁଛି । ୧୦ ବର୍ଷ ତଳେ ଏହା ସେମାନଙ୍କୁ ବିଚଳିତ କରିଥିଲା । ଜଙ୍ଗଲକୁ ସୁରକ୍ଷା ନଦେଲେ ଆଗାମୀ ଦିନରେ ସେମାନଙ୍କ ଜୀବନ ଦୁର୍ବିଷହ ହୋଇପଡ଼ିବ ବୋଲି ଭାବିଥିଲେ । ଏଥିଲାଗି ଆରମ୍ଭ କରିଥିଲେ ଜଙ୍ଗଲ ସୁରକ୍ଷା ଅଭିଯାନ । ସେବେଠାରୁ ପ୍ରତିଦିନ ଗାଁର ୨୦ରୁ ୨୫ ମହିଳା ଠେଙ୍ଗାବାଡ଼ି ଧରି ପାଳିକରି ଜଙ୍ଗଲ ଜଗୁଛନ୍ତି । ଯଦି ପାଳିରେ ଥିବା ମହିଳାଙ୍କ ମଧ୍ୟରୁ ଜଙ୍ଗଲ ଜଗିବାକୁ କେହି ନଆସନ୍ତି, ସେଥିପାଇଁ ୨୦ ଟଙ୍କା ଜୋରିମନା ଆଦାୟ କରୁଛନ୍ତି । ସବୁଠୁ ବଡ଼ କଥା ହେଲା, ଜଙ୍ଗଲକୁ ସୁରକ୍ଷା ଦେବା ଲାଗି ଘରୁ ଘରୁ ଚାନ୍ଦା ଆଦାୟ କରି ପ୍ରାୟ ୩ ଲକ୍ଷ ଟଙ୍କାରେ ତାରବାଡ଼ ଘେରାଇଛନ୍ତି । ସେବେଠାରୁ କୌଣସି ମାଫିଆ ଜଙ୍ଗଲ ଭିତରକୁ ପଶିବା କିମ୍ବା ଗଛ କାଟିବା ଲାଗି ସାହସ କରିପାରି ନାହାନ୍ତି । ଜଙ୍ଗଲ ଭିତରେ ସାଇକେଲ୍‌,ବାଇକ୍‌, ଟ୍ରାକ୍ଟର, ଲଙ୍ଗଳ ଓ ଶଗଡ଼ ଚଳାଚଳ ମନା । ଏଥିସହ ଖରା ଦିନେ ନିଆଁ ଦାଉରୁ ଜଙ୍ଗଲକୁ ରକ୍ଷା କରିବା ଲାଗି ବିଶେଷ ଧ୍ୟାନ ଦେଇଆସୁଛନ୍ତି ।

କେବଳ ଗ୍ରାମ୍ୟ ଜଙ୍ଗଲ ନୁହେଁ, ଗାଁକୁ ଲାଗି ରହିଥିବା ଅନ୍ୟ ୨୦୦ ହେକ୍ଟର ସଂରକ୍ଷିତ ଜଙ୍ଗଲକୁ ମଧ୍ୟ ସୁରକ୍ଷା ଦିଆଯାଉଛି । ଗାଁର ୫୦୦ ପରିବାର ଏହି ଅଭିଯାନରେ ସାମିଲ ହୋଇଛନ୍ତି । ୨୦୨୫-୨୬ରେ ବନସୁରକ୍ଷା ସମିତି ଓ ବନ ବିଭାଗର ମିଳିତ ଉଦ୍ୟମରେ ଏହି ୨୦୦ ହେକ୍ଟର ସଂରକ୍ଷିତ ଜଙ୍ଗଲରୁ ପ୍ରାୟ ୧୦୦ ହେକ୍ଟର ଜବରଦଖଲମୁକ୍ତ ହୋଇଛି । ସେହି ଜମିରେ ଆଗରୁ ମକା ଚାଷ କରାଯାଉଥିଲା । ଫରେଷ୍ଟର ଭବାନୀ ବିଷୋୟୀ କହିଛନ୍ତି, ଜବରଦଖଲମୁକ୍ତ ହୋଇଥିବା ୧୦୦ ହେକ୍ଟର ଜଙ୍ଗଲ ଜମିରୁ ପ୍ରାୟ ୮୧ ହେକ୍ଟରରେ ଏବେ ବୃକ୍ଷରୋଣ କରାଯାଇଛି । ତାଙ୍କ ଚାକିରିକାଳ ଭିତରେ ଗାଁର ମହିଳା ଓ ପୁରୁଷମାନଙ୍କ ଦ୍ୱାରା ଜଙ୍ଗଲ ସୁରକ୍ଷା ଦିଗରେ ଏଭଳି ତତ୍ପରତା କେବେ ଦେଖିନଥିଲେ । ବନ ବିଭାଗର ସମସ୍ତ ଯୋଜନାକୁ ସଫଳ କରିବାରେ ମହିଳାମାନେ ସକ୍ରିୟ ସହଯୋଗ ରହିଆସିଛି । ଡିଏଫଓ ଶୁଭେନ୍ଦୁ ପ୍ରସାଦ ବେହେରା କହିଛନ୍ତି, ଦିନକୁ ଦିନ ନବରଙ୍ଗପୁର ଜିଲ୍ଲାରେ ଜଙ୍ଗଲ ସୁରକ୍ଷା ଦିଗରେ ଅଭିନବ ପରିବର୍ତ୍ତନ ଆସୁଛି । ଲୋକେ ଅଧିକ ସଚେତନ ହୋଇଛନ୍ତି । ନାକ୍‌ଡିସେମଡ଼ା ଗାଁର ମହିଳାମାନଙ୍କ ଉଦ୍ୟମ ବାସ୍ତବରେ ପ୍ରଶଂସନୀୟ ।

ଏହି ଖବରଟିକୁ ପଢନ୍ତୁ- ଘୋର ଗ୍ୟାସ୍ ସଙ୍କଟ : ବଢୁଛି ଇଣ୍ଡକ୍ସନ ଚାହିଦା, ୨ ରୁ ୪ ହଜାର ଟଙ୍କାରେ ବିକ୍ରି, ଷ୍ଟୋର ଗୁଡ଼ିକରେ ସରିଯାଉଛି ଷ୍ଟକ୍