ନୂଆଦିଲ୍ଲୀ,୦୩/୦୮: ଅଧା ରହିଗଲା ଜଳଲାଗି । ବାଟରେ ଜଗିଥିଲା ମୃତ୍ୟୁ । ଉତ୍ତରପ୍ରଦେଶ ଗୋଣ୍ଡାରେ ଭୟଙ୍କର ସଡ଼କ ଦୁର୍ଘଟଣା ହୋଇଛି । ଆଖି ପିଛୁଳାକେ ଲିଭିଗଲା ୧୧ ଜୀବନ ଦୀପ । ନିୟନ୍ତ୍ରଣ ହରାଇ କେନାଲକୁ ଏକ  ଗାଡ଼ି ଖସି ପଡିବା ଫଳରେ ୧୧ ଜଣଙ୍କର ମୃତ୍ୟୁ ହୋଇଛି । ୪ ଜଣ ଆହତ ହୋଇଛନ୍ତି । ମୃତକଙ୍କ ମଧ୍ୟରେ ୩ ଶିଶୁ ରହିଛନ୍ତି ।  ଗାଡ଼ିରେ ମୋଟ୍ ୧୫ ଜଣ ଥିଲେ । ଆହତଙ୍କ ଅବସ୍ଥା ଗୁରୁତର ରହିଛି । ସମସ୍ତେ ପୃଥୀନାଥ ମନ୍ଦିରରେ ଜଳଲାଗି କରିବାକୁ ଯାଉଥିଲେ । ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଅଘଟଣକୁ ନେଇ ଶୋକ ପ୍ରକାଶ କରିଛନ୍ତି ।

ମିଳିଥିବା ସୂଚନା ଅନୁସାରେ, ଗୋଣ୍ଡା ମୋତିଜଙ୍ଗ ଥାନା ସିହାଗାଓଁ-ଖରଗୁପୁରରେ ଏହି ଭୟଙ୍କର ଦୁର୍ଘଟଣା ହୋଇଛି । ଘଟଣାସ୍ଥଳରେ ଉପସ୍ଥିତ ଲୋକ ପୁଲିସକୁ କହିଛନ୍ତି କି ଲଗାତାର ବର୍ଷା ଯୋଗୁଁ ନଦୀକୂଳ ରାସ୍ତା ଧୋଇ ହୋଇ ଯାଇଥିଲା ।  ଗାଡ଼ିର ସ୍ପିଡ଼ ଟିକେ ଅଧିକ ଥିଲା । ଅଚାନକ ଗାଡ଼ିଟି ନୟନ୍ତ୍ରଣ ହରାଇ ଦେଖୁ ଦେଖୁ କେନାଲକୁ ଖସି ପଡ଼ିଥିଲା । ସ୍ଥାନୀୟ ଲୋକ ପ୍ରଥମେ ସେଠାରେ ପହଞ୍ଚି ଲୋକଙ୍କ ଉଦ୍ଧାର କାର୍ଯ୍ୟରେ ଲାଗିଥିଲେ । ପୁଲିସକୁ ଅଘଟଣ ବାବଦରେ ଜଣାଇଥିଲେ । ସୂଚନା ପାଇ ପୁଲିସ ଓ ଉଦ୍ଧାରକାରୀ ଟିମ୍ ଘଟଣାସ୍ଥଳରେ ପହଞ୍ଚିଥିଲେ । ଅହତଙ୍କୁ ହସ୍ପିଟାଲରେ ପହଞ୍ଚାଇଥିଲେ । ଦୁର୍ଘଟଣାକୁ ନେଇ ଶୋକ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । ଅଧିକାରୀଙ୍କୁ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାରକାର୍ଯ୍ୟ ଦ୍ରୁତ ଗତିରେ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଆହତଙ୍କ ଉତ୍ତମ ଚିକିତ୍ସା ସୁନିଶ୍ଚିନ୍ତ କରିବାକୁ କହିଛନ୍ତି । ମୃତକଙ୍କ ପରିବାରକୁ ୫ ଲକ୍ଷ ଟଙ୍କା ଲେଖାଏଁ ଆର୍ଥିକ ସହାୟତା ଘୋଷଣା କରିଛନ୍ତି ।

ଗୋଣ୍ଡା ଜିଲ୍ଲା ମୋତିଗଞ୍ଜ ଥାନା ସିହା ଗାଁର ଦୁଇ ପରିବାର ୧୫ ଜଣ ବୋଲେରୋରେ ପ୍ରସିଦ୍ଧ ପୃଥୀନାଥ ମନ୍ଦିର ଯାଉଥିଲେ । ହେଲେ କିଏ ଜାଣିଥିଲା ସେମାନେ ଆଉ କେବେ ଘରକୁ ଫେରିବେ ନାହିଁ  । ବାଟରେ ତାଙ୍କୁ ଯମ ଜଗି ବସିଥିଲା ବୋଲି କେହି କଳ୍ପନା ବି କରିନଥିଲେ । ମୃତ ୧୧ ଜଣ ହେଲେ ବିଣା (୩୫). କାଜଲ (୨୨), ମହକ (୧୨), ଦୁର୍ଗେଶ, ନନ୍ଦୀନି, ଅଙ୍କିତ୍, ଶୁଭ, ସଞ୍ଜୁ ବର୍ମା, ଅଞ୍ଜୁ, ଅନସୁୟା ଓ  ସୌମ୍ୟା ।