କଟକ,୧୪/୧୦: ସରକାରୀ ଅଧିକାରୀମାନେ ପ୍ରତିବର୍ଷ ନିଜ ସମ୍ପତ୍ତି ତାଲିକା ପ୍ରଦାନ ପାଇଁ ନିର୍ଦ୍ଦେଶ ରହିଛି । କିନ୍ତୁ ଏହି ନିର୍ଦ୍ଦେଶକୁ ବିଭିନ୍ନ ବିଭାଗର ଅଫିସରମାନେ ମାନୁନଥିବା ଜଣାପଡ଼ିଛି । ନିଜ ସମ୍ପତ୍ତି ତାଲିକା ସରକାରଙ୍କୁ ଦେବାକୁ ଅନେକ ସମୟରେ ଅଫିସରମାନେ କୁନ୍ଥକୁନ୍ଥ ହେଉଛନ୍ତି । ଏମିତି ନିଜ ସମ୍ପତ୍ତି ତାଲିକା ଦାଖଲ କରିନଥିବାରୁ ୧୧୭ ସବ୍ଇନ୍ସପେକ୍ଟରଙ୍କୁ ଡିଜିପି ପଦୋନ୍ନତିରୁ ବାଦ୍ ଦେଇଛନ୍ତି । ଫଳରେ ପୁଲିସ ଏଷ୍ଟାବ୍ଲିସମେଣ୍ଟ ବୋର୍ଡ ଦ୍ୱାରା ପ୍ରସ୍ତୁତ ଇନ୍ସପେକ୍ଟର ପଦୋନ୍ନତି ସୁଯୋଗରୁ ଏହି ୧୧୭ ଜଣ ସବଇନ୍ସପେକ୍ଟର ବଞ୍ଚିତ ହୋଇଛନ୍ତି । ଏହା ଏବେ ପୁଲିସ ବିଭାଗରେ ଚର୍ଚ୍ଚାର ବିଷୟ ହୋଇଛି ।
ସରକାରୀ ଅଧିକାରୀମାନେ ନିଜ ସମ୍ପତ୍ତି ତାଲିକା ଜଣାଇବା ୨୦୨୧ରୁ ବାଧ୍ୟତାମୂଳକ ହୋଇଛି । ଅଧିକାରୀମାନେ ଏଚ୍ଆର୍ଏମ୍ଏସ୍ ପୋର୍ଟାଲ୍ରେ ବାର୍ଷିକ ନିଜ ସମ୍ପତ୍ତି ତାଲିକା ଦାଖଲ କରିବା ପାଇଁ ବ୍ୟବସ୍ଥା ଥିଲେ ହେଁ ସେଥିରେ ଉଲ୍ଲଂଘନ ହେଉଛି । ରାଜ୍ୟ ସରକାରଙ୍କ ଏହି ନିର୍ଦ୍ଦେଶନାମାକୁ ନମାନି ଧାର୍ଯ୍ୟ ସମୟରେ ସମ୍ପତ୍ତି ତାଲିକା ଦାଖଲ କରି ନପାରିବାରୁ ୧୧୭ ସବ୍ଇନ୍ସପେକ୍ଟର ଅକଳରେ ପଡ଼ିଛନ୍ତି । ୨୦୧୭ ବ୍ୟାଚ୍ରେ ନିଯୁକ୍ତ ୬୨୫ ଏସ୍ଆଇଙ୍କ ମଧ୍ୟରୁ ପୂର୍ବରୁ ପ୍ରାୟ ୪୦ ଜଣ ଚାକିରି ଛାଡ଼ି ଦେଇଥିବା ବେଳେ ଆଉ ପ୍ରାୟ ୫୦ ଜଣ ଭିଜିଲାନ୍ସ ମାମଲା ଓ ବିଭାଗୀୟ କାର୍ଯ୍ୟାନୁଷ୍ଠାନ, ବ୍ଲାକ୍ ମାର୍କ ପାଇଥିବାରୁ ପଦୋନ୍ନତି ପାଇବାକୁ ଅଯୋଗ୍ୟ ହୋଇଛନ୍ତି । ସେହିପରି ୧୧୭ ଏସ୍ଆଇ ବାର୍ଷିକ ସମ୍ପତ୍ତି ତାଲିକା ପ୍ରଦାନ କରିନଥିବାରୁ ପଦୋନ୍ନତିରୁ ବଞ୍ଚିତ ହୋଇଛନ୍ତି ।
ଅନ୍ଲାଇନ୍ ସମ୍ପତ୍ତି ତାଲିକା ଦାଖଲର ବ୍ୟବସ୍ଥା ଥିଲେ ହେଁ ଗତ ମେ’ ମାସରୁ ଏଚ୍ଆର୍ଏମ୍ଏସ୍ ପୋର୍ଟାଲ୍ରେ ତାଲିକା ଦାଖଲ ହୋଇ ପାରୁନଥିବାରୁ କେବଳ ପୁଲିସ ବିଭାଗ ନୁହେଁ ବିଭିନ୍ନ ବିଭାଗର ଅନେକ ଅଫିସର ଅଡ଼ୁଆରେ ପଡ଼ିଥିବା ସୂଚନା ମିଳିଛି। ମେ ମାସରେ ଉକ୍ତ ସାଇଟ୍ ବନ୍ଦ ହୋଇଯିବାରୁ ୨୦୧୭ ବ୍ୟାଚ୍ର ୫୨ ଜଣ ସବ୍ଇନ୍ସପେକ୍ଟର ପୁଲିସ ବିଭାଗରେ ସେମାନଙ୍କ ସମ୍ପତ୍ତି ତାଲିକା ଅଫ୍ଲାଇନରେ ହାତାହାତି ଦେଇଥିଲେ । ମାତ୍ର ସେଗୁଡିକୁ ପୁଲିସ ମୁଖ୍ୟାଳୟ ଗ୍ରହଣ କରିନାହିଁ । ଏହାର ପ୍ରତିବାଦ ଜଣାଇ ସବ୍ଇନ୍ସପେକ୍ଟରମାନେ ଏବେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିବା ସୂଚନା ମିଳିଛି । ୨୦୧୭ ବ୍ୟାଚ୍ରେ ନିଯୁକ୍ତ ୬୨୫ ଏସ୍ଆଇଙ୍କ ମଧ୍ୟରୁ ୪୧୯ ଜଣ ଇନ୍ସପେକ୍ଟର ପାହ୍ୟାକୁ ପଦୋନ୍ନତି ପାଇଛନ୍ତି ।