ଭୁବନେଶ୍ୱର,୨୦/୧୦: ରାଜ୍ୟର ୧୨ଟି  ଜିଲ୍ଳାରେ ନାହାନ୍ତି ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ (ସିଡିଏମ୍‌ଓ) । ଫଳରେ ସିଡିଏମ୍‌ଓ କରୁଥିବା କାର୍ଯ୍ୟ ଯଥା-ପ୍ରଶାସନିକ କାର୍ଯ୍ୟ, ସ୍ୱାସ୍ଥ୍ୟସେବା,  ବିଭିନ୍ନ ଯୋଜନାକୁ କାର୍ଯ୍ୟକାରୀ କରିବା,  ରୋଗୀଙ୍କ ଅଭିଯୋଗ ଶୁଣି ସମାଧାନ କରିବା, ସ୍ୱାସ୍ଥ୍ୟ ପ୍ରକଳ୍ପଗୁଡିକୁ ତଦାରଖ କରିବା ଆଦି  କାର୍ଯ୍ୟ ଗୁରୁତର ବାଧାପ୍ରାପ୍ତ ହୋଇଛି ।  

ସିଡିଏମ୍‌ଓ ନ ଥିବାରୁ ଜିଲ୍ଲା ମୁଖ୍ୟ ଡାକ୍ତରଖାନା ମୁରବିଶୂନ୍ୟ ହୋଇପଡିଛି । ୪  ମାସରୁ ଅଧିକ ସମୟ ହେଲାଣି ନବରଙ୍ଗପୁର,  ସୋନପୁର, ଭଦ୍ରକ, ଗଜପତି, ଗଞ୍ଜାମ,  କନ୍ଧମାଳ, କେନ୍ଦ୍ରାପଡ଼ା, କୋରାପୁଟ,  ମାଲକାନଗିରି, ସୁନ୍ଦରଗଡ଼, ଜଗତସିଂହପୁର ଓ  ଝାରସୁଗୁଡ଼ା ଜିଲ୍ଲାରେ ସିଡିଏମ୍‌ଓ ନାହାନ୍ତି । ଏହି  ସବୁ ଜିଲ୍ଲାରେ ପର୍ଯ୍ୟାୟ କ୍ରମେ ସିଡିଏମ୍‌ଓ ପଦବି  ଖାଲିହୋଇଛି । ସ୍ୱାସ୍ଥ୍ୟ ସଂକ୍ରାନ୍ତ ବିଭିନ୍ନ ପ୍ରଶାସନିକ  କାର୍ଯ୍ୟ ହେଉ ଅବା ଜିଲ୍ଲାସ୍ତରୀୟ ବୈଠକ ସବୁ  ସିଡିଏମ୍‌ଓଙ୍କ ତତ୍ତ୍ୱାବଧାନରେ ହୋଇଥାଏ । 

ରାଜ୍ୟ ସରକାରଙ୍କ ବିଭିନ୍ନ ସ୍ୱାସ୍ଥ୍ୟ ଯୋଜନାକୁ  ଜିଲ୍ଲାସ୍ତରରେ କାର୍ଯ୍ୟକାରୀ କରିବାରେ ସିଡିଏମ୍‌ଓ  ମୁଖ୍ୟ ଭୂମିକା ନିର୍ବାହ କରିଥାନ୍ତି । ହେଲେ ଏହି  ସବୁ ଜିଲ୍ଲାରେ ସିଡିଏମ୍‌ଓ ନଥିବାରୁ ଏହି କାମ  ଠିକ୍‌ ଭାବେ ହୋଇପାରୁନି । ସେହିପରି ଡାକ୍ତରଙ୍କ  ପଦୋନ୍ନତି, ବଦଳି ଓ କାର୍ଯ୍ୟ ବଣ୍ଟନ ଏବଂ  ନର୍ସଙ୍କ ପୋଷ୍ଟିଂ, ଗ୍ରେଡେସନ୍‌ ଓ ବଦଳି ଆଦି  ପ୍ରକ୍ରିୟା ବାଧ୍ୟାପ୍ରାପ୍ତ ହେଉଛି । ସ୍ୱାସ୍ଥ୍ୟ ବିଭାଗ ଘନ  ଘନ ସେମାନଙ୍କ ସମ୍ପର୍କରେ ରିପୋର୍ଟ ମାଗୁଛି ।  ହେଲେ ସିଡିଏମ୍‌ଓ ନ ଥିବାରୁ ଜିଲ୍ଲାରୁ ରିପୋର୍ଟ  ଆସୁପାରୁନାହିଁ । ନର୍ସିଂ ନିର୍ଦ୍ଦେଶାଳୟ ନର୍ସଙ୍କ  ରିପୋର୍ଟ ଧରି ବସିଛି । ପୂର୍ଣ୍ଣାଙ୍ଗ ରିପୋର୍ଟ ଜିଲ୍ଲାରୁ  ପହଞ୍ଚି ପାରୁନଥିବାରୁ ପ୍ରଶାସନିକ କାର୍ଯ୍ୟ ଆଗକୁ  ବଢ଼ୁନି । ତେବେ କାହିଁକି ଏପରି ପରିସ୍ଥିତି ସୃଷ୍ଟି  ହୋଇଛି, ଏହାର ଉତ୍ତର କାହା ପାଖରେ ନାହିଁ ।  ସ୍ୱାସ୍ଥ୍ୟ ନିର୍ଦ୍ଦେଶାଳୟ କର୍ତ୍ତୃପକ୍ଷ କହୁଛନ୍ତି ଏହା  ଆମ ଅଧୀନରେ ନାହିଁ । ଆମେ ସ୍ୱାସ୍ଥ୍ୟ ବିଭାଗକୁ ଏହା ଜଣାଇ ଦେଇଛୁ । ସ୍ୱାସ୍ଥ୍ୟ ବିଭାଗ ଉଚ୍ଚପଦସ୍ଥ  ଅଧିକାରୀଙ୍କୁ ପଚାରିବାରୁ ସେମାନେ ଚୁପ୍‌  ରହୁଛନ୍ତି ।  

ଏପଟେ ସ୍ୱାସ୍ଥ୍ୟ ବିଭାଗର ଏଭଳି ଅବହେଳା  ନେଇ ଜିଲ୍ଲାବାସୀଙ୍କ ମଧ୍ୟରେ ପ୍ରବଳ ଅସନ୍ତୋଷ  ସୃଷ୍ଟି ହୋଇଛି । ରୋଗୀ ମୁଖ୍ୟ ହସ୍ପିଟାଲ୍‌ରେ  ବିଭିନ୍ନ ଅବହେଲାର ଶିକାର ହେଉଛନ୍ତି । ଏ  ନେଇ କାହା ପାଖରେ ଅଭିଯୋଗ କରିବେ ତାକୁ  ନେଇ ଚିନ୍ତାରେ ଅଛନ୍ତି । ହସ୍ପିଟାଲ୍‌ରେ ଡାକ୍ତର  ମନଇଚ୍ଛା ଛୁଟିରେ ଯାଉଥିବା ବେଳେ ସ୍ୱାସ୍ଥ୍ୟ  କର୍ମଚାରୀ ମନମାନି ଚଳାଉଛନ୍ତି। ଏହାଛଡ଼ା  ସିଏଚ୍‌ସି ଓ ପିଏଚ୍‌ସି ତଦାରଖ କରିବାକୁ  ମଧ୍ୟ କେହି ନାହାନ୍ତି । ଏହାବାଦ୍‌ ସିଡିଏମ୍‌ଓଙ୍କ  ଅଧୀନରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ  ଯୋଜନା ଅଧାପନ୍ତରିଆ ପଡ଼ିରହିଛି ।