ନୂଆଦିଲ୍ଲୀ, ୬।୪: ପଶ୍ଚିମ ଏସିଆର ଯୁଦ୍ଧ ଏବେ ଭୟଙ୍କର ରୂପ ଧାରଣ କରିଛି । ଇରାନର ରାଜଧାନୀ ତେହେରାନର ଆବାସିକ ଗଳିଗୁଞ୍ଜିରେ ଏବେ ମୃତ୍ୟୁର ଚିତ୍କାର । ସୋମବାର ସୂର୍ଯ୍ୟୋଦୟ ପୂର୍ବରୁ ଶକ୍ତିଶାଳୀ ବିସ୍ଫୋରଣରେ ଥରିଉଠିଛି ପୂରା ସହର । ଏହି ଭୀଷଣ ବିମାନ ଆକ୍ରମଣରେ ଏପର୍ଯ୍ୟନ୍ତ ୧୩ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ପ୍ରତିଷ୍ଠିତ ଶରୀଫ୍ ୟୁନିଭର୍ସିଟିକୁ ମଧ୍ୟ ଶତ୍ରୁ ପକ୍ଷ ନିଶାଣ କରିଛନ୍ତି । ଇରାନୀ ଗଣମାଧ୍ୟମର ରିପୋର୍ଟ ଅନୁସାରେ, ତେହେରାନର ଦକ୍ଷିଣ-ପଶ୍ଚିମରେ ଅବସ୍ଥିତ ଇସଲାମସହର ଉପରେ ପାହାନ୍ତା ସମୟରେ ଏକ ମିସାଇଲ୍ ମାଡ଼ ହୋଇଥିଲା। ଏହି ଆକ୍ରମଣ ଏକ ଆବାସିକ କୋଠା ଉପରେ ହୋଇଥିବାରୁ ଶୋଇଥିବା ଅବସ୍ଥାରେ ୧୩ ଜଣ ନିରୀହ ଲୋକଙ୍କର ମୃତ୍ୟୁ ଘଟିଛି । ବିସ୍ଫୋରଣ ଏତେ ଭୟଙ୍କର ଥିଲା ଯେ ପୂରା ବିଲଡିଂଟି ଧ୍ୱଂସସ୍ତୂପରେ ପରିଣତ ହୋଇଛି । ସ୍ଥାନୀୟ ପ୍ରଶାସନ ଓ ଉଦ୍ଧାରକାରୀ ଦଳ ମଲବେ ତଳେ ଦବି ରହିଥିବା ଲୋକଙ୍କୁ ବାହାର କରିବାକୁ ଚେଷ୍ଟା କରୁଛନ୍ତି । ମୃତ୍ୟୁ ସଂଖ୍ୟା ଆହୁରି ବଢ଼ିବା ନେଇ ଆଶଙ୍କା କରାଯାଉଛି ।
ଏହା ବି ପଢ଼ନ୍ତୁ... ୭୦୦୦ ଫୁଟ୍ ଉଚ୍ଚରେ ଜୀବନ-ମରଣର ସଂଗ୍ରାମ: ଶତ୍ରୁ ଦେଶରେ ପଶି ନିଜ ସୈନିକଙ୍କୁ ବଞ୍ଚାଇ ଆଣିଲା ଆମେରିକା
ଶରୀଫ୍ ୟୁନିଭର୍ସିଟି ଓ ଗ୍ୟାସ୍ ଷ୍ଟେସନକୁ ଟାର୍ଗେଟ୍:
ଆକ୍ରମଣକାରୀମାନେ ତେହେରାନର ବିଶ୍ୱପ୍ରସିଦ୍ଧ ଶରୀଫ୍ ୟୁନିଭର୍ସିଟି ଅଫ୍ ଟେକ୍ନୋଲୋଜିକୁ ମଧ୍ୟ ଛାଡ଼ିନାହାନ୍ତି । ବିମାନ ଆକ୍ରମଣରେ ବିଶ୍ୱବିଦ୍ୟାଳୟ ପରିସର ସମେତ ନିକଟସ୍ଥ ଏକ ଗ୍ୟାସ୍ ବିତରଣ କେନ୍ଦ୍ର ଗୁରୁତର ଭାବେ କ୍ଷତିଗ୍ରସ୍ତ ହୋଇଛି । ସୌଭାଗ୍ୟବଶତଃ, ଯୁଦ୍ଧ ଯୋଗୁଁ ଶିକ୍ଷାନୁଷ୍ଠାନ ପୂର୍ବରୁ ବନ୍ଦ ଥିଲା ଏବଂ କ୍ଲାସ୍ ଅନଲାଇନ୍ ଚାଲୁଥିବାରୁ କ୍ୟାମ୍ପସରେ ଛାତ୍ରଛାତ୍ରୀ ନଥିଲେ । ସୂଚନାଯୋଗ୍ୟ ଯେ, ଏହି ୟୁନିଭର୍ସିଟିକୁ ଇରାନର ବାଲିଷ୍ଟିକ୍ ମିସାଇଲ୍ କାର୍ଯ୍ୟକ୍ରମର ପେଣ୍ଠସ୍ଥଳୀ ବୋଲି ବିଚାର କରାଯାଏ ।
ଧର୍ମନଗରୀ ‘କୋମ’ରେ ମଧ୍ୟ ଆକ୍ରମଣ:
ତେହେରାନର ଦକ୍ଷିଣରେ ଥିବା ପ୍ରମୁଖ ଶିଆ ଧାର୍ମିକ କେନ୍ଦ୍ର ‘କୋମ’ ମଧ୍ୟ ଏହି ଆକ୍ରମଣରୁ ବର୍ତ୍ତି ନାହିଁ । ସରକାରୀ ଖବରକାଗଜ ‘ଇରାନ ଡେଲି’ ମୁତାବକ, କୋମର ଏକ ଆବାସିକ ଅଞ୍ଚଳରେ ହୋଇଥିବା ବିମାନ ଆକ୍ରମଣରେ ୫ ଜଣଙ୍କର ମୃତ୍ୟୁ ଘଟିଛି । ଇରାନ ସରକାର ଏପର୍ଯ୍ୟନ୍ତ କ୍ଷୟକ୍ଷତିର ଚୂଡ଼ାନ୍ତ ତାଲିକା ଜାରି କରିନଥିବାରୁ ସ୍ଥିତି ଏବେ ବି ରହସ୍ୟମୟ ରହିଛି । ଇରାନ ଉପରେ ଏହି ହମଲା ପରେ ପୂରା ଅଞ୍ଚଳରେ ଆତଙ୍କ ଖେଳିଯାଇଛି । ଇସ୍ରାଏଲ୍ରେ ସୁରକ୍ଷା ଏଜେନ୍ସି ପକ୍ଷରୁ ମିସାଇଲ୍ ଆଲର୍ଟ ଜାରି କରାଯାଇଛି । ଦୁବାଇରେ ଦୁଇ ଦୁଇ ଥର ବିପଦର ସାଇରନ୍ ବଜାଯାଇଛି ଏବଂ ଏୟାର ଡିଫେନ୍ସ ସିଷ୍ଟମକୁ ସକ୍ରିୟ କରାଯାଇଛି । କୁଏତ ଦାବି କରିଛି ଯେ, ସେମାନେ ରାତିସାରା ଆକାଶରେ ଅନେକ ସନ୍ଦିଗ୍ଧ ବସ୍ତୁ ବା ମିସାଇଲକୁ ନଷ୍ଟ କରିଛନ୍ତି । ବର୍ତ୍ତମାନର ସ୍ଥିତିରୁ ମନେହେଉଛି ଯେ ସମ୍ପୂର୍ଣ୍ଣ ମଧ୍ୟ-ପ୍ରାଚ୍ୟ ଏକ ବଡ଼ ଧରଣର ଆଞ୍ଚଳିକ ଯୁଦ୍ଧର ନିଆଁରେ ଜଳିବାକୁ ଯାଉଛି।