ନୂଆଦିଲ୍ଲୀ: ଭାରତ-ବାଂଲାଦେଶ ସୀମାରେ ଅବୈଧ ପ୍ରବାସୀଙ୍କୁ ନେଇ ଉତ୍ତେଜନା ଦେଖାଦେଇଛି। ଭାରତର ସୀମା ସୁରକ୍ଷା ବାହିନୀ (BSF) ଏବଂ ବାଂଲାଦେଶର ବର୍ଡର ଗାର୍ଡ ବାଂଲାଦେଶ (BGB) ମଧ୍ୟରେ ଅବୈଧ ପ୍ରବାସୀଙ୍କୁ ଫେରାଇବା ନେଇ ବିବାଦ ଦେଖାଦେଇଛି। ଯାହା ଫଳରେ ୧୩ ଜଣ ବ୍ୟକ୍ତି ସୀମାର ‘ଜିରୋ ଲାଇନ’ରେ ଅଟକି ରହିଛନ୍ତି। ଏହି ବ୍ୟକ୍ତିମାନଙ୍କୁ ବାଂଲାଦେଶ ବିଜିବି ଦ୍ୱାରା ପ୍ରବେଶ ଅନୁମତି ଦିଆଯାଇ ନାହିଁ, ଏବଂ ଭାରତ ମଧ୍ୟ ସେମାନଙ୍କୁ ପୁନଃପ୍ରବେଶ ଅନୁମତି ଦେଉନାହିଁ।
ମଙ୍ଗଳବାର (୨୭ ମଇ) ଭାରତ ୬୭ ଜଣ ବାଂଲାଦେଶୀଙ୍କୁ ବିଜିବିକୁ ହସ୍ତାନ୍ତର କରିଥିବା ବେଳେ, ବୁଧବାର (୨୮ ମଇ) ୧୩ ଜଣ ବ୍ୟକ୍ତିଙ୍କୁ ହସ୍ତାନ୍ତର କରିଥିଲା। ସେମାନଙ୍କ ମଧ୍ୟରେ ମହିଳା ଓ ଶିଶୁ ମଧ୍ୟ ରହିଥିଲେ। ତେବେ ବିଜିବି ସେମାନଙ୍କୁ ଗ୍ରହଣ କରିବାକୁ ରାଜି ନହେବାରୁ ଲାଲମୋନିରହାଟ ଜିଲ୍ଲାର ସୀମାରେ ସେମାନେ ଅଟକି ରହିଛନ୍ତି। ବାଂଲାଦେଶ ମିଡିଆ ରିପୋର୍ଟ ଅନୁଯାୟୀ, ବିଏସଏଫ ମେ ୭ ତାରିଖରୁ ଆଜି ଯାଏଁ ୮୦୦ରୁ ଅଧିକ ବ୍ୟକ୍ତିଙ୍କୁ ବାଂଲାଦେଶକୁ ହସ୍ତାନ୍ତର କରିସାରିଛି।
ଏହାର ଜବାବରେ ଭାରତୀୟ ଅଧିକାରୀମାନେ କହିଛନ୍ତି ଯେ, ଅବୈଧ ପ୍ରବାସୀଙ୍କୁ ଚିହ୍ନଟ କରି ସୀମା ଦେଇ ହସ୍ତାନ୍ତର କରାଯାଉଛି। ଯେହେତୁ ଆଇନଗତ ପ୍ରକ୍ରିୟା ଦୀର୍ଘ ସମୟ ନେଇଥାଏ ତେଣୁ ଅବୈଧ ବାଂଲାଦେଶି ମାନଙ୍କୁ ଚିହ୍ନଟ କରି ସେମାନଙ୍କୁ ସିଧାସଳଖ ସ୍ୱଦେଶକୁ ପ୍ରତ୍ତ୍ୟାବର୍ତ୍ତନ କରାଯାଉଛି। ୨୦୧୬ରେ ଭାରତ ସରକାରୀ ତଥ୍ୟ ଅନୁଯାୟୀ, ପ୍ରାୟ ୨ କୋଟି ଅବୈଧ ପ୍ରବାସୀ ଭାରତରେ ରହୁଛନ୍ତି। ଯେଉଁମାନଙ୍କ ମଧ୍ୟରୁ ଅଧିକାଂଶ ହେଉଛନ୍ତି ବାଂଲାଦେଶୀ। ପହଲଗାମ ଆତଙ୍କବାଦୀ ହମଲା ପରେ ଭାରତ ଅବୈଧ ପ୍ରବାସୀଙ୍କ ବିରୁଦ୍ଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଆରମ୍ଭ କରିଛି।
ଭାରତ ଓ ବାଂଲାଦେଶ ମଧ୍ୟରେ ୪,୦୯୬.୭ କି.ମି. ଲମ୍ବର ସୀମା ରହିଛି। ଯେଉଁଥିରୁ ୩,୨୩୨ କି.ମି. ବାଡ଼ ଦିଆଯାଇଥିବା ବେଳେ ବାକି ଅଂଶ ମୁକୁଳା ପଡିଛି। ତେବେ, ବାଂଲାଦେଶର ବିଜିବି ଭାରତର ବାଡ଼ ନିର୍ମାଣ ପ୍ରୟାସକୁ ବାରମ୍ବାର ବିରୋଧ କରିଛି। ଜାନୁଆରୀ ୨୦୨୫ରେ ମାଲଦାରେ ବିଏସଏଫ ଓ ବିଜିବି ମଧ୍ୟରେ ବାଡ଼ ନିର୍ମାଣକୁ ନେଇ ବିବାଦ ଦେଖାଦେଇଥିଲା। ଯାହାପରେ ବାଧ୍ୟ ହୋଇ ବିଏସଏଫ ଦ୍ୱାରା ଉକ୍ତ କାମକୁ ସ୍ଥଗିତ ରଖାଯାଇଥିଲା। ଯାହାର ଅଗ୍ରଗତି ଆଜିଯାଏ ମଧ୍ୟ ହୋଇପାରିନାହିଁ।
ଲାଲମୋନିରହାଟ ବାଂଲାଦେଶ ଅଧିନରେ ଯାଉଥିବାରୁ ସେଠାକାର ସ୍ଥାନୀୟ ବାସିନ୍ଦାମାନେ ବିଜିବିକୁ ସମର୍ଥନ କରିଛନ୍ତି। ଅନ୍ୟପଟେ ବିଜିବି ବାଟାଲିୟନ କମାଣ୍ଡର ଅବଦୁସ ସଲାମ କହିଛନ୍ତି ଯେ, ଆମେ ବିଏସଏଫ ସହ ଏକ ଫ୍ଲାଗ ମିଟିଂ ପାଇଁ ଅନୁରୋଧ କରିଥିଲୁ। କିନ୍ତୁ ବିଏସଏଫ ପକ୍ଷରୁ ଏଯାଏଁ କୌଣସି ଉତ୍ତର ମିଳିପାରି ନାହିଁ।
ଭାରତ ଓ ବାଂଲାଦେଶ ମଧ୍ୟରେ ସୀମା ସମସ୍ୟା ଦୀର୍ଘ ଦିନ ଧରି ଚାଲିଆସୁଛି। ୧୯୭୫ରେ ଉଭୟ ଦେଶ ମଧ୍ୟରେ ହୋଇଥିବା ଏକ ଚୁକ୍ତି ଅନୁଯାୟୀ, ସୀମାରେ ବାଡ଼ ନିର୍ମାଣ ଉପରେ କିଛି ନିୟମ ରହିଛି। ଯାହାକୁ ବାଂଲାଦେଶ ଅନୁସରଣ କରୁନଥିବା ନେଇ ଅଭିଯୋଗ ହେଉଛି। ଏହା ବ୍ୟତୀତ, ବାଂଲାଦେଶରେ ୨୦୨୪ ଅଗଷ୍ଟରେ ରାଜନୈତିକ ପରିବର୍ତ୍ତନ ପରେ ଅବୈଧ ପ୍ରବାସୀ ପ୍ରସଙ୍ଗ ଦିନକୁ ଦିନ ଜଟିଳ ହେବାରେ ଲାଗିଛି। ବାଂଲାଦେଶରେ ଅସ୍ଥିର ରାଜନୀତି ଓ ଦୁର୍ବଳ ଅର୍ଥନୀତି ପାଇଁ ହଜାର ହଜାର ବାଂଲାଦେଶି ସୀମାପାର କରି ଭାରତସୀମାରେ ପ୍ରବେଶ କରୁଥିବା ନେଇ ଗୁଇନ୍ଦା ଖବର ସାମ୍ନାକୁ ଆସୁଛି।
ଏହି ଘଟଣା ଉଭୟ ଦେଶ ମଧ୍ୟରେ କୂଟନୈତିକ ସମ୍ପର୍କକୁ ଆହୁରି ଜଟିଳ କରିଛି। ସମସ୍ୟାର ସମାଧାନ ପାଇଁ ଉଭୟ ପକ୍ଷ ମଧ୍ୟରେ ଆଲୋଚନା ଜାରି ରହିଛି।