ପାରାଦୀପ, ୨୦/୦୧ : ଜାତୀୟ ରାଜପଥ ଉପରେ ଛିଣ୍ଡି ପଡ଼ିଛି ୧୩୦ କେଭି ବିଦ୍ୟୁତ୍ ତାର। ପାରାଦୀପରୁ କଟକ ଯାତାୟାତ ଠପ୍। ଉଭୟ ପାର୍ଶ୍ଵରେ ଅଟକି ରହିଛି ଶତାଧିକ ଗାଡି। ତେବେ ଏହି ତାର ଛିଡିବା ସମୟରେ କୌଣସି ଗାଡ଼ି ଉପରେ ପଡ଼ି ନଥିବାରୁ ଏକ ବଡ଼ ଅଘଟଣ ଅଳ୍ପକେ ବର୍ତ୍ତି ଯାଇଛି। ଓପିଟିସିଏଲର ଖାମଖିଆଲି ମନୋଭାବ ଯୋଗୁଁ ସାଧାରଣ ଲୋକଙ୍କ ଜୀବନ ସଙ୍କଟାପନ୍ନ ହୋଇଛି।

କୌଣସି ମୁଖ୍ୟ ରାସ୍ତା ଉପରେ ବିଦ୍ୟୁତ ତାର ଯାଇଥିଲେ, ଏହାର ତଳେ ତାର ଜାଲି (ଗ୍ରିଡ଼ିଂ)ଲଗାଇବା କଥା। ମାତ୍ର ବିଦ୍ୟୁତ ବିଭାଗ ଏହାକୁ ପାଳନ କରୁନଥିବା ଦେଖିବାକୁ ମିଳିଛି। ଏହି ଘଟଣା ଘଟିବା ପରେ ଖବର ପାଇ ପୁଲିସ ପହଞ୍ଚି ଲୋକଙ୍କୁ ଅଟକାଇ ସୁରକ୍ଷିତ ରହିବା ପାଇଁ ପରାମର୍ଶ ଦେବା ସହିତ ବିଦ୍ୟୁତ ବିଭାଗକୁ ଖବର ଦେଇଛି। ଘଟଣାର ଏକ ଘଣ୍ଟାରୁ ଉର୍ଦ୍ଧ୍ୱ ସମୟ ପରେ ବିଭାଗ ପକ୍ଷରୁ ବିଦ୍ୟୁତ ସରବରାହ ବନ୍ଦ କରାଯାଇ ଟ୍ରାଫିକ ନିୟନ୍ତ୍ରଣ କରାଯାଇଛି। ସ୍ଥାନୀୟ ଲୋକେ ଅସନ୍ତୋଷ ପ୍ରକାଶ କରିଛନ୍ତି। ଏ ସମ୍ପର୍କରେ ଓପିଟିସିଏଲ ଏସଡିଓ ଗୌରୀ ଶଙ୍କରଙ୍କୁ ପଚାରିବାରୁ ପ୍ରଥମେ ଟ୍ରାଫିକ କ୍ଲିଅର କରାଯାଇଛି। ଏକ ଟିମ ଆସୁଛନ୍ତି ମରାମତି କରାଯିବ। ଇଲେଭେନ୍ କେଭି ତାର ତଳେ ଗ୍ରିଡିଂ କରାଯାଇଥାଏ ବୋଲି ଏସଡିଓ ଗୌରୀ ଶଙ୍କର କହିଛନ୍ତି। ଏପର୍ଯ୍ୟନ୍ତ ତାର ସଜଡ଼ା ହୋଇ ନଥିବା ସୂଚନା ମିଳିଛି।

ଏହି ଖବରଟିକୁ ପଢନ୍ତୁ- ବାଲି ମାଫିଆଙ୍କ ଉପରେ ଇଡି ଚଢ଼ଉ ଘଟଣା : ଲିଜ୍‌ଧାରୀଙ୍କୁ ଧମକାଇ ହାତେଇଥିଲେ ଲାଇସେନ୍ସ