ନୂଆଦିଲୀ,୧୧/୦୮: ଆମେରିକାର ସିଟିଜେନ୍‌ସିପ ଏବଂ ଇମିଗ୍ରେସନ ସର୍ଭିସ  (ୟୁଏସ୍‌ସିଆଇଏସ୍‌) ପକ୍ଷରୁ ନିକଟରେ ହୋଇଥିବା  ନିୟମ ପରିବର୍ତ୍ତନ ପ୍ରବାସୀ ଭାରତୀୟଙ୍କ ଲାଗି ଚିନ୍ତାର କାରଣ ପାଲଟିଛି । ଏଚ୍‌୧ବି ଭିସା ସମେତ ଅନ୍ୟ  ବର୍ଗ ଭିସାରେ ଥିବା ଭାରତୀୟ ପ୍ରବାସୀଙ୍କ ଶିଶୁ ମାନେ ଗ୍ରୀନ କାର୍ଡ ପାଇବାକୁ ଏଥିଯୋଗୁ ସମସ୍ୟା ଉପୁଜିବ ।  ଗ୍ରୀନ କାର୍ଡ଼ ଲାଗି ଧାର୍ଯ୍ୟ ବୟସ ସୀମା ଫ୍ରିଜ କରିବା ନିୟମକୁ ଏବେ ବାଦ ଦେଇଛି ଟ୍ରମ୍ପ ପ୍ରଶାସନ । ଫଳରେ ଅଭିଭାବକଙ୍କ ଆବେଦନରେ ଗ୍ରୀନ  କାର୍ଡ ପାଇଁ ଯୋଗ୍ୟ ହେବାକୁ ଥିବା ପ୍ରାୟ ୧.୩୪  ଲକ୍ଷରୁ ଉଦ୍ଧ୍ୱର୍ ଶିଶୁ ଏଥିରୁ ବଞ୍ଚିତ ହେବେ । ଏହି ପରିବର୍ତ୍ତନ ୧୫ ଅଗଷ୍ଟ କିମ୍ବା ଏହା ପରେ ହୋଇଥିବା ଷ୍ଟାଟସ ଆପ୍ଲିକେସନ ଗୁଡ଼ିକ ଲାଗି ଲାଗୁ ହେବ । 

ସଂଶୋଧିତ ନିୟମ ମୁତାବକ, ପିତାମାତାଙ୍କ  କାର୍ଡରେ ଗ୍ରୀନ କାର୍ଡ ପାଇବାକୁ ଅପେକ୍ଷାରେଥିବା  ଥିବା ଶିଶୁଙ୍କ ବୟସ ଧାର୍ଯ୍ୟ ଅବଧିରେ ୨୧ ଛୁଇଁଲେ ସେମାନେ କାର୍ଡ ପାଇବାକୁ ଯୋଗ୍ୟ ହେବେନି । ପୂର୍ବରୁ ବାଇଡେନ ପ୍ରଶାସନରେ ୨୧  ତମ ଜନ୍ମ ଦିନରେ ମଧ୍ୟ ଶିଶୁଙ୍କୁ ଏଭଳି କାର୍ଡ ପ୍ରଦାନ ଲାଗି ସୁରକ୍ଷା ଦିଆଯାଇଥିଲା । ଯାହାକୁ ଏବେ ବଦଳାଯାଇଛି । ଇମିଗ୍ରେସନ ବିଶେଷଜ୍ଞ  କହିଛନ୍ତି,ନିୟମ ପରିବର୍ତ୍ତନ ହେବା ଯୋଗୁ ପୂର୍ବ  ନିୟମ ଅନୁସାରେ ଗ୍ରୀନ କାର୍ଡ ଲାଗି ସୁରକ୍ଷା ପାଇଥିବା ଶିଶୁଙ୍କ ଲାଗି ବର୍ତ୍ତମାନ ସମସ୍ୟା ଉପୁଜିବ । କାରଣ ସେମାନଙ୍କ ଧାର୍ଯ୍ୟ ବୟସ  ସୀମା ଗଡ଼ିଯିବ । 

କାଟୋ ଇନଷ୍ଟିଚ୍ୟୁଟ ଇମିଗ୍ରେସନ  ଷ୍ଟଡି ନିର୍ଦ୍ଦେଶକ, ଏବେ ୧୦.୭ ଲକ୍ଷ ଭାରତୀୟ  ଶ୍ରମଜୀବି ଗ୍ରୀନକାର୍ଡ ପାଇବାକୁ ଅପେକ୍ଷାରେ  ରହିଛନ୍ତି । ମାତ୍ର ଗ୍ରୀନ କାର୍ଡ ଉପଲବ୍ଧ ହେବା  ବେଳକୁ ଧାର୍ଯ୍ୟ ବୟସ ସୀମା ଗଡ଼ିଯିବା କାରଣରୁ  ୧.୩୪ଲକ୍ଷ ଶିଶୁଙ୍କୁ ଗ୍ରୀନ କାର୍ଡ଼ ସୁବିଧା ମିଳିବନି । ଡିପାର୍ଟମେଣ୍ଟ ଅଫ୍‌ ହୋମଲ୍ୟାଣ୍ଡ୍‌ ପଲିସିର ପୂର୍ବତନ  ବରିଷ୍ଠ ଅଧିକାରୀ ଡୋଗ୍‌ ର‌୍ୟାଣ୍ଡ୍‌ କହିଛନ୍ତି, ଇମିଗ୍ରେସନ ସିଷ୍ଟମରେ ଏଭଳି ପରିବର୍ତ୍ତନ ଅନେକ ଲୋକଙ୍କୁ ସମସ୍ୟାରେ ପକାଇବ । ଗ୍ରୀନକାର୍ଡ ପାଇବା ସ୍ୱପ୍ନ ଧୂଳିସାତ ହୋଇଯିବ ।