ନୂଆପଡ଼ା,୨୫/୧୦: ନୂଆପଡ଼ା ଉପନିର୍ବାଚନରେ ମୁହାମୁହିଁ ହେବେ ୧୪ ପ୍ରାର୍ଥୀ । ସେମାନଙ୍କ ମଧ୍ୟରେ ୬ ଦଳୀୟ ଓ ୮ ସ୍ୱାଧୀନ । ଗତ ୨୦ ତାରିଖରେ ନାମାଙ୍କନ ଯାଞ୍ଚ ବେଳେ ପ୍ରାର୍ଥିପତ୍ର ଦାଖଲ କରିଥିବା ୧୯ଜଣଙ୍କ ମଧ୍ୟରୁ ୫ଜଣଙ୍କ ପ୍ରାର୍ଥିପତ୍ର ନାକଚ ହୋଇଯାଇଥିଲା ।
ଶୁକ୍ରବାର ପ୍ରାର୍ଥିପତ୍ର ପ୍ରତ୍ୟାହାର ଦିନ ଧାର୍ଯ୍ୟ ହୋଇଥିଲେ ହେଁ କୌଣସି ପ୍ରାର୍ଥୀ ନାମାଙ୍କନପତ୍ର ପ୍ରତ୍ୟାହାର କରିନାହାନ୍ତି । ଫଳରେ ୧୪ ବିଧାୟକ ପ୍ରାର୍ଥୀ ନିର୍ବାଚନ ରଣାଙ୍ଗନକୁ ଓହ୍ଲାଇଥିବା ସ୍ପଷ୍ଟ ହୋଇଛି । ଚୂଡ଼ାନ୍ତ ପ୍ରାର୍ଥୀ ତାଲିକାରେ ବିଜେପିରୁ ଜୟ ଢୋଲକିଆ, ବିଜେଡିରୁ ସ୍ନେହାଙ୍ଗିନୀ ଛୁରିଆ, କଂଗ୍ରେସରୁ ଘାସିରାମ ମାଝି, ସମାଜବାଦୀ ପାର୍ଟିରୁ ରମାକାନ୍ତ ହାତୀ, ବହୁଜନ ମୁକ୍ତି ପାର୍ଟିରୁ ହେମନ୍ତ ତାଣ୍ଡି, ଓଡ଼ିଶା ଜନତା ଦଳରୁ ଶୁକଧର ଦଣ୍ଡସେନା ରହିଛନ୍ତି । ସେହିପରି ସ୍ୱାଧୀନ ପ୍ରାର୍ଥୀ ଭାବେ ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ ସାଧାରଣ ସମ୍ପାଦକ ଭକ୍ତବନ୍ଧୁ ଧରୁଆ, ଡିଫାଇନ କଳାହାଣ୍ଡି ସମର୍ଥନରେ ନିର୍ବାଚନ ଲଢୁଥିବା ଆଇନଜୀବୀ ନୀତା ବାଗ, ଅବସରପ୍ରାପ୍ତ ଯବାନ ଇଂ. ଚକ୍ରାନ୍ତ ଜେନା, ଆଶ୍ରୟ ମହାନନ୍ଦ, ଭୁବନଲାଲ ସାହୁ, ଲୋଚନ ମାଝି, କିଶୋର ବାଗ, ଲକ୍ଷ୍ମୀକାନ୍ତ ତାଣ୍ଡି ରହିଛନ୍ତି।