ଠାକୁରମୁଣ୍ଡା,୨୬/୧୦: ଶାଶୁକୁ  ହତ୍ୟା ଅଭିଯୋଗରେ ଆଜୀବନ  କାରାଦଣ୍ଡ ଭୋଗୁଥିବା କଏଦୀ ଜେଲରୁ ଫେରାର ହେବାର ୧୪ ମାସ ପରେ  ଗିରଫ ହୋଇଛି । ସମ୍ପୃକ୍ତ ଆସାମୀ ଲକ୍ଷ୍ମଣ  ମହାନ୍ତଙ୍କୁ ଗିରଫ କରି ଠାକୁରମୁଣ୍ଡା ଥାନା  ଅଧିକାରୀଣୀ ସାବିତ୍ରୀ ଦଳେଇ କରଞ୍ଜିଆ  ଥାନାକୁ ହସ୍ତାନ୍ତର କରିଛନ୍ତି  । 

ଘଟଣାରୁ ପ୍ରକାଶ ଆଜୀବନ କାରାଦଣ୍ଡ ଭୋଗୁଥିବା କଏଦୀ ଲକ୍ଷ୍ମଣଙ୍କୁ  ଜୁନ ୧୧,୨୦୨୪ ମସିହାରେ ଜେମାଦାର ଗୁମନ ଜାମୁଦା ଜେଲ ପରିସରରେ  ଥିବା ଆମ୍ବ ଗଛରୁ ଆମ୍ବ ତୋଳିବାକୁ  ନେଇଥିଲେ । ସେ ସେଠାରେ ଆମ୍ବ ତୋଳୁଥିବା ସମୟରେ ଗୁମନ ଜାମୁଦାଙ୍କୁ ଚକମା ଦେଇ ଫେରାର ହୋଇଯାଇଥିଲେ । ଉପଖଣ୍ଡ ଜେଲର ପ୍ରଦୀପ କୁମାର  ମହାଳିକଙ୍କ ଅନୁପସ୍ଥିତିରେ ଉପଖଣ୍ଡ  ଭାରପ୍ରାପ୍ତ ଜେଲ ସୁପରିଟେଣ୍ଡେଣ୍ଟ  ସୌମ୍ୟରଞ୍ଜନ ନାଏକ କରଞ୍ଜିଆ ଥାନାରେ  ଲିଖିତ ଅଭିଯୋଗ କରିଥିଲେ । କରଞ୍ଜିଆ  ଥାନାରେ ଏ ବିଷୟରେ ୧୯୧/୨୦୨୪  ରେ ମାମଲା ରୁଜ୍ଜୁ କରାଯାଇଥିଲା ।  କରଞ୍ଜିଆ ଥାନା ଭାରପ୍ରାପ୍ତ ଅଧିକାରୀ  ନିରୋଦ କୁମାର ମଲ୍ଲିକଙ୍କ ନିର୍ଦ୍ଦେଶ ମତେ  ତଦନ୍ତକାରୀ ଅଧିକାରୀ ସବ୍‌ଇନ୍‌ସପେକ୍ଟର  ସୁଧାଂଶୁ ସେଠୀ ତଦନ୍ତ ଜାରି ରଖିଥିଲେ । 

ଠାକୁରମୁଣ୍ଡା ଥାନା ଅଧିକାରୀଣୀ ସାବିତ୍ରୀ  ଦଳେଇ ଲକ୍ଷ୍ମଣକୁ ଧରିବାକୁ ଖୋଜା ଖୋଜି  କରିବାରୁ ସେ ଖସିଯାଇ ତାମିଲନାଡୁ  ପଳାଇଥିଲା । ମଙ୍ଗଳବାର ତାମିଲନାଡୁରୁ  ଘରକୁ କାଳିପୂଜା ବନ୍ଦାଣ ଉତ୍ସବ ପାଳନ  ପାଇଁ ଫେରୁଥିବା ଖବର ପାଇ ବିଭିନ୍ନ  ସ୍ଥାନରେ ପୁଲିସ ଚଢ଼ଉ କରିଥିଲା ।  ଶୁକ୍ରବାର ସନ୍ଧ୍ୟା ୮ଟା ବେଳେ ଠାକୁରମୁଣ୍ଡା  ବଜାର ନିକଟ ଏକ ଗ୍ରାମରୁ ଲକ୍ଷ୍ମଣକୁ  ଗିରଫ କରି ଠାକୁରମୁଣ୍ଡା ଥାନାକୁ ଆଣି  ଅଟକ ରଖିଥିଲେ । ଉପରିସ୍ଥ ଅଧିକାରୀଙ୍କ  ନିର୍ଦ୍ଦେଶ କ୍ରମେ କରଞ୍ଜିଆ ଥାନା ପୁଲିସ୍‌ କୁ  ଲକ୍ଷ୍ମଣକୁ ହସ୍ତାନ୍ତର କରାଯାଇଛି ।