ପରଜଙ୍ଗ,୨୮/୩ : ବିଶ୍ୱନିୟନ୍ତା ପ୍ରଭୁ ଶ୍ରୀଜଗନ୍ନାଥଙ୍କ ରଥ ନିର୍ମାଣ ପାଇଁ ପୁରୀ ରଥ ଖଳାକୁ ପଠାଗଲା ୧୪୦ ସିଫ୍ଟ ଫାଶି କାଠ । ବିଶେଷ ପୂଜାର୍ଚ୍ଚନା ପରେ ଢେଙ୍କାନାଳ ଜିଲ୍ଲା ମହାବିରୋଡ୍‌ ରେଞ୍ଜ୍‌ ଅଧୀନ କନ୍ଦରସିଂହା ଓ କୁମୁସୀ ଗ୍ରାମରୁ ଏହି କାଠ ପଠାଯାଇଛି । ମହାପ୍ରଭୁଙ୍କ ସେବାରେ କାଠ ଲାଗୁଥିବାରୁ ଦୁଇ ଗ୍ରାମରେ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଥିଲା । କାଠକଟାଠୁ ନେଇ ଟ୍ରକ୍‌ରେ ଲଦା ହୋଇ ପୁରୀ ଅଭିମୁଖେ ବାହାରିବା ପର୍ଯ୍ୟନ୍ତ ସମଗ୍ର ଅଞ୍ଚଳ ହରିବୋଲ, ହୁଳହୁଳିରେ କମ୍ପି ଉଠିଥିଲା । 

ଢେଙ୍କାନାଳ ବନଖଣ୍ଡ ମହାବିରୋଡ଼ ରେଞ୍ଜ ଡିହଡ଼ୋଳ ଫରେଷ୍ଟ ଅଧୀନ କନ୍ଦରସିଂହା ଓ କୁମୁସୀ ଗ୍ରାମରୁ ୧୪ଫୁଟ ଲମ୍ବର ୧୧ଗୋଟି ଫାଶି କାଠ ଟ୍ରକ ଯୋଗେ ପୁରୀ ରଥ ଖଳାକୁ ପଠାଯାଇଛି ।  କନ୍ଦରସିଂହା ଗ୍ରାମର ଜଗଦୀଶ ବିଶ୍ୱାଳ ଓ  କୁମୁସୀ ଗ୍ରାମର ବରୁଣ ପଣ୍ଡା ଘର ବାଡ଼ିରେ ଥିବା ଫାଶି ଗଛ ପୁରୀ ଜଗନ୍ନାଥଙ୍କର ରଥ ନିର୍ମାଣ ପାଇଁ ଉତ୍ସର୍ଗ କରିବେ ବୋଲି ଆଗରୁ ଲିଖିତ ଭାବେ ଡିଏଫ୍‌ଓଙ୍କୁ ଜଣାଇଥିଲେ । ପ୍ରଭୁଙ୍କର ଏହି ରଥକାଠ ନେବା ପାଇଁ ନିର୍ଦ୍ଦେଶ ମିଳିବା ପରେ ଡିଏଫ୍‌ଓଙ୍କ ନିର୍ଦ୍ଦେଶ କ୍ରମେ ପଶ୍ଚିମାଞ୍ଚଳ ରେଞ୍ଜର୍‌ ହରେଶ କିଷାନ ଡିହଡ଼ୋଳ ବନପାଳ ସତ୍ୟବ୍ରତ ସିଂହ କୁମୁସୀ ଓ କନ୍ଦରସିଂହା ଗ୍ରାମରେ ପହଞ୍ଚି ଯଥାବିଧିରେ ପୂଜାର୍ଚ୍ଚନା କରାଇଥିଲେ । 

୨୬ ତାରିଖ ଦିନ ହରିବୋଲ, ହୁଳହୁଳି ଓ ନାମ ସଂକୀର୍ତ୍ତନ କରାଇ ଗଛ ଗୁଡିକୁ କଟା ଯାଇ ରଖା ଯାଇଥିଲା । ଶୁକ୍ରବାର ସକାଳୁ  କାଠ ଟ୍ରକ୍‌େ ବୋଝେଇ ହୋଇଥିଲା । ଦୁଇ ଗ୍ରାମରୁ ୧୪୦ ଘନଫୁଟ୍‌ର ୧୧ଟି ଫାଶି କାଠ ଗଣ୍ଡି ବୋଝେଇ ଟ୍ରକ୍‌ ପୁରୀ ଅଭିମୁଖେ ଯାଇଥିଲା ।