ଔପଦା,୧୮/୦୫: ବାଲେଶ୍ୱର ଜିଲ୍ଲା ଔପଦା ବନବିଭାଗ ଅଧିନ ଖୁଣ୍ଟାଢିଆ ପାଟଣା ଗ୍ରାମର ଦେବେନ୍ଦ୍ର ବେହେରାଙ୍କ ବାଡିରୁ ୧୫ ଫୁଟ ଲମ୍ବର ଏକ ଅହିରାଜ ସାପ ଉଦ୍ଧାର କରି ବନବିଭାଗ କାର୍ଯ୍ୟାଳୟ ଅଣାଯାଇଛି । ପରେ ପାଖ କୁଳଢିଆ ଜଙ୍ଗଲ ନିକଟ ଦେବଗିରି ପାହାଡ଼ ପାଦ ଦେଶରେ ଥିବା ପଶ୍ଚିମା ଘାଟି ନିକଟରେ ବିରାଟକାୟ ସାପଟିକୁ ଛଡା ଯାଇଛି ।
ସୂଚନା ମୁତାବକ, ଔପଦା ବ୍ଲକ ଅନ୍ତର୍ଗତ ରାଇରାମ ଚନ୍ଦ୍ର ପୁର ପଞ୍ଚାୟତ ଖୁଣ୍ଟାଡିହା ପାଟଣା ଗ୍ରାମର ଦେବେନ୍ଦ୍ର ବେହେରା ରବିବାର ସକାଳେ ଶୌଚ ହେବାକୁ ଘର ନିକଟରେ ପୋଖରୀକୁ ଯାଇଥିଲେ । ଏତିକି ବେଳେ ଅହିରାଜ ସାପ ଦେଖି ଲୋକ ମାନଙ୍କୁ ଡାକିଥିଲେ । ଲୋକମାନେ ପହଞ୍ଚି ସ୍ଥାନୀୟ ସାମ୍ବାଦିକଙ୍କ ସହାୟତାରେ ଔପଦା ବନବିଭାଗକୁ ଖବର ଦେଇଥିଲେ । ଅହିରାଜ ସାପ ଥିବା କଥା ପ୍ରଘଟ ହେବା ପରେ ଏପରିକି ବ୍ଲକ୍ ସଦର ମହକୁମା ଠାରୁ ଦେଖିବା ପାଇଁ ଲୋକ ଆସି ରୁଣ୍ଡ ହୋଇଯାଇଥିଲେ । ଔପଦା ବନବିଭାଗ ପହଞ୍ଚି ସ୍ନେକ୍ ହେଲ୍ପ ଲାଇନର ସଦସ୍ୟଙ୍କୁ ଖବର ଦେବା ପରେ ସେମାନେ ପହଞ୍ଚି ସାପକୁ ଉଦ୍ଧାର କରିଥିଲେ। ଶେଷରେ ଏହି ବିରାଟକାୟ ସାପଟିକୁ କୁଲଢିଆ ଜଙ୍ଗଲରେ ଛାଡିଥିବା ନେଇ ସୂଚନା ମିଳିଛି ।