ଉମରକୋଟ,୧୫।୧ : ନବରଙ୍ଗପୁର ଜିଲ୍ଲାରେ ଥମୁନି ଲୁଟେରାଙ୍କ ଆତଙ୍କରାଜ । ପୁଣି ଜଣେ ବ୍ୟବସାୟୀଙ୍କୁ ଆକ୍ରମଣ କରି ୧୫ ଲକ୍ଷ ଟଙ୍କା ଲୁଟି ନେଇଛନ୍ତି ଦୁର୍ବୃତ୍ତ । ନବରଙ୍ଗପୁର ଜିଲ୍ଲା ଅନ୍ତର୍ଗତ ରାଇଘର ବ୍ଲକରେ ଏହି ଘଟଣା ଘଟିଛି। ଲୁଟର ଶିକାର ହୋଇଛନ୍ତି ବ୍ୟବସାୟୀ ଅବଦୁଲ ଆନସାରି। ନବରଙ୍ଗପୁର ଜିଲ୍ଲା ସଦର ମହକୁମାରେ ହୋଇଥିବା ଲୁଟ ଘଟଣାକୁ ୪୮ଘଣ୍ଟା ନ ପୁରୁଣୁ ଆଜି ରାଇଘର ବ୍ଲକରେ ବ୍ୟବସାୟୀଙ୍କୁ ମରଣାନ୍ତକ ଆକ୍ରମଣ କରି ୧୫ ଲକ୍ଷ ଲୁଟ ଘଟଣା ପୋଲିସ ବିଭାଗ ପାଇଁ ଚ୍ୟାଲେଞ୍ଜ ସୃଷ୍ଟି କରିଛି l
ରାଇଘର ବ୍ଲକର ପଠାଣ ସାହିରେ ରହୁଥିବା ବ୍ୟବସାୟୀ ଅବଦୁଲ ଆନସାରି ଦୁଇ ଜଣ କର୍ମଚାରୀ ଗୁଡ୍ଡୁ ଧୋବା ଓ ଯୁନୁଷ ଲାଠିଆ ସହ ପାରୁଆ ପଞ୍ଚାୟତର ଛତାବେଡାଠାରେ ସାପ୍ତାହିକ ହାଟକୁ ବାଇକରେ ଯାଉଥିଲେ। ଏହି ସମୟରେ ଗ୍ରାମ ନିକଟରେ ମୁଖା ପିନ୍ଧା ୬ ଜଣ ବ୍ୟକ୍ତି ସେମାନଙ୍କୁ ଅଟକାଇ ଥିଲେ l ଏହା ପରେ ଦୁର୍ବୃତ୍ତମାନେ ଅତର୍କିତ ଭାବେ ବାଇକ ଚାଳକକୁ ଠେଙ୍ଗାରେ ଆକ୍ରମଣ କରିଥିଲେ l ଗୁଡ୍ଡୁ ଓ ୟୁନୁଷଙ୍କୁ ଆକ୍ରମଣ କରିବା ପରେ ଟଙ୍କା ବ୍ୟାଗ ଧରିଥିବା ଅବଦୁଲଙ୍କୁ ମରଣାନ୍ତକ ଆକ୍ରମଣ କରି ଟଙ୍କା ବ୍ୟାଗ ଧରି ଚମ୍ପଟ ମାରିଥିଲେ l ଗୁରୁତର ଅବସ୍ଥାରେ ଅବଦୁଲ ଅନସାରିଙ୍କୁ ରାଇଘର ମେଡିକାଲରେ ଭର୍ତ୍ତି କରାଯାଇଛି।ଘଟଣା ସ୍ଥଳରେ ପୋଲିସ ପହଞ୍ଚି ଘଟଣାର ତଦନ୍ତ କରୁଛି।