ନବରଙ୍ଗପୁର ୨୩।୭: ଦ୍ରୁତ ଗତିରେ ଯାଉଥିବା ଏକ ଘରୋଇ ବସ୍ ଭାରସାମ୍ୟ ହରାଇ ରାସ୍ତାକଡକୁ ଓଲଟି ପଡିଛି। ଏଥିରେ ୧୫ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି। କୋରାପୁଟ ଜିଲ୍ଲା ଆଉଁଳି ଗାଁ ନିକଟରେ ଦୁର୍ଘଟଣା ଘଟିଛି ।

ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡିରୁ ଗୁଣୁପୁର ଅଭିମୁଖେ ଯାଉଥିଲା ଜଗାକାଳିଆ ନାମକ ବସ୍ । ନବରଙ୍ଗପୁରରେ ବିଳମ୍ବ ହୋଇଥିବାରୁ ଦ୍ରୁତ ଗତିରେ ଜୟପୁର ଅଭିମୁଖେ ବସ୍ ଯାଉଥିଲା । ଆଉଁଳି ଗାଁ ନିକଟରେ ବସଟି ଭାରସାମ୍ୟ ହରାଇ ପ୍ରଥମେ ରାସ୍ତା କଡ଼ରେ ଥିବା ଡିଭାଇଡରକୁ ଧକ୍କା ଦେଇ କ୍ଷେତକୁ ଓଲଟି ପଡ଼ିଥିଲା ।

ଦୁର୍ଘଟଣା ପରେ ବସ୍‌ରେ  ଥିବା ଯାତ୍ରୀଙ୍କ ମଧ୍ୟରେ ଭୟ ଖେଳିଯାଇଥିଲା । କେହି ବସ୍ ଭିତରେ ଫସି ରହିଥିବା ବେଳେ କେହି ନିଜେ ବାହାରକୁ ଆସିଥିଲେ । ନିକଟସ୍ଥ କ୍ଷେତରେ କାମ କରୁଥିବା ଲୋକେ ପ୍ରଥମେ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ । ପରେ ନବରଙ୍ଗପୁର ଓ ବୋରିଗୁମ୍ମା ଅଗ୍ନିଶମ ବାହିନୀ ପହଞ୍ଚି ବସ୍ରେ ଫସିଥିବା ଯାତ୍ରୀଙ୍କୁ ଉଦ୍ଧାର କରିଥିଲେ । ଦୁର୍ଘଟଣାରେ ୧୫ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି । ଆହତ ମାନଙ୍କୁ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ବୋରିଗୁମ୍ମା ଚିକିତ୍ସାଳୟକୁ ପଠାଯାଇଛି । ବୋରିଗୁମ୍ମା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଦୁର୍ଘଟଣାର କାରଣ ନେଇ ତଦନ୍ତ କରୁଛି।