ପାଟନା,୨୬/୦୭: ଆଗକୁ ବିହାରରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି । ଏ ନେଇ ପ୍ରସ୍ତୁତିରେ ଲାଗି ପଡ଼ିଛନ୍ତି ରାଜନୈତିକ ଦଳ । ନିର୍ବାଚନ ପୂର୍ବରୁ ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ସାମ୍ବାଦିକଙ୍କ ପାଇଁ ବଡ଼ ଘୋଷଣା କରିଛନ୍ତି । ପେନ୍‌ସନ୍‌ ରାଶି ବଢାଇବାକୁ ନିଷ୍ପତ୍ତି ନେଇଛନ୍ତି ନୀତୀଶ ସରକାର । ଏଣିକି ବିହାରରେ ସାମ୍ବାଦିକଙ୍କୁ ୬ ନୁହେଁ ମାସକୁ ୧୫ ହଜାର ଟଙ୍କା ପେନ୍‌ସନ ମିଳିବ । ପେନ୍‌ସନ୍ ରାଶିକୁ ୯ ହଜାର ଟଙ୍କା ବୃଦ୍ଧି କରାଯାଇଛି । ଏହି ପଦକ୍ଷେପ ସାମ୍ବାଦିକତା କ୍ଷେତ୍ରରେ ସେମାନଙ୍କ ସେବାକୁ ଆର୍ଥିକ ସୁରକ୍ଷା ଯୋଗାଇ ଦେବା ଲକ୍ଷ୍ୟ ବୋଲି କହିଛନ୍ତି ନୀତୀଶ କୁମାର ।

ଅଧିକ ପଢନ୍ତୁ...ବିଜୁଳି ଉପଭୋକ୍ତାଙ୍କ ପାଇଁ ଖୁସି ଖବର; ୧୦୦ ୟୁନିଟ୍‌ ବିଜୁଳି ଦେବାକୁ ପ୍ରସ୍ତୁତ ନୀତିଶ ସରକାର

 ସୋସିଆଲ ମିଡ଼ିଆ ଏକ୍ସରେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାର କହିଛନ୍ତି, ''ବିହାରରେ ସାମ୍ବାଦିକ ସମ୍ମାନ ପେନ୍‌ସନ୍‌ ଯୋଜନା ଅଧୀନରେ ଏବେ ସାମ୍ବାଦିକଙ୍କୁ ପ୍ରତିମାସରେ ୬ ହଜାର ସ୍ଥାନରେ ୧୫ ହଜାର ଟଙ୍କା ପେନ୍‌ସନ୍‌ ମିଳିବ । ଏ ନେଇ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି । ଏହା ସହିତ ସାମ୍ବାଦିକ ସମ୍ମାନ ପେନ୍‌ସନ୍‌ ଯୋଜନା ଅନ୍ତର୍ଗତ ପେନ୍‌ସନ୍‌ ପାଉଥିବା ସାମ୍ବାଦିକଙ୍କ ବିୟୋଗ ହେଲେ ତାଙ୍କ ସ୍ବାମୀ/ପତ୍ନୀଙ୍କୁ ଏହି ରାଶି ପ୍ରଦାନ କରିବାର ନିର୍ଦ୍ଦେଶ ରହିଛି । ୩ ହଜାର ବଦଳରେ ପ୍ରତିମାସକୁ ୧୦ ହଜାର ଟଙ୍କା ଦେବାକୁ ନିର୍ଦ୍ଦେଶ ହୋଇଛି । ଗଣତନ୍ତ୍ରରେ ଚତୁର୍ଥ ସ୍ତମ୍ଭ ଭାବେ ସମାଜର ବିକାଶରେ ସାମ୍ବାଦିକଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ।''

ବିହାର ସରକାରଙ୍କ ପକ୍ଷରୁ ଘୋଷଣା ହୋଇଥିବା ଏହି ଯୋଜନାର ମୁଖ୍ୟ ଲକ୍ଷ୍ୟ ଲକ୍ଷ୍ୟ ହେଉଛି ବରିଷ୍ଠ ସାମ୍ବାଦିକଙ୍କୁ ଅବସର ପରେ ଆର୍ଥିକ ସହାୟତା ପ୍ରଦାନ କରିବା । ଘୋଷଣା ହୋଇଥିବା ପେନ୍‌ସନ୍ ଯୋଜନାର ଲାଭ ପାଇବା ପାଇଁ ନିର୍ଦ୍ଦିଷ୍ଟ ଯୋଗ୍ୟତା ନିର୍ଦ୍ଧାରଣ କରିଛନ୍ତି । ଆବେଦନକାରୀଙ୍କ ଅତିକମ୍‌ରେ ୧୫ବର୍ଷରୁ ଅଧିକ କାର୍ଯ୍ୟ ଅଭିଜ୍ଞତା ରହିଥିବା ଦରକାର । ବୟସ ୬୦ ବର୍ଷ କିମ୍ବା ତାହାଠୁ ଅଧିକ ହୋଇଥିବା ଆବଶ୍ୟକ । କର୍ମଚାରୀ ଭବିଷ୍ୟନିଧି ସଂଗଠନ କିମ୍ବା ଅନ୍ୟ କୌଣସି ପେନ୍‌ସନ୍‌ ଯୋଜନାରୁ ଲାଭ ପାଉଥିଲେ ଯୋଗ୍ୟ ବିବେଚିତ ହେବେ ନାହିଁ ।