ପାଟନା,୨୬/୦୭: ଆଗକୁ ବିହାରରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି । ଏ ନେଇ ପ୍ରସ୍ତୁତିରେ ଲାଗି ପଡ଼ିଛନ୍ତି ରାଜନୈତିକ ଦଳ । ନିର୍ବାଚନ ପୂର୍ବରୁ ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ସାମ୍ବାଦିକଙ୍କ ପାଇଁ ବଡ଼ ଘୋଷଣା କରିଛନ୍ତି । ପେନ୍ସନ୍ ରାଶି ବଢାଇବାକୁ ନିଷ୍ପତ୍ତି ନେଇଛନ୍ତି ନୀତୀଶ ସରକାର । ଏଣିକି ବିହାରରେ ସାମ୍ବାଦିକଙ୍କୁ ୬ ନୁହେଁ ମାସକୁ ୧୫ ହଜାର ଟଙ୍କା ପେନ୍ସନ ମିଳିବ । ପେନ୍ସନ୍ ରାଶିକୁ ୯ ହଜାର ଟଙ୍କା ବୃଦ୍ଧି କରାଯାଇଛି । ଏହି ପଦକ୍ଷେପ ସାମ୍ବାଦିକତା କ୍ଷେତ୍ରରେ ସେମାନଙ୍କ ସେବାକୁ ଆର୍ଥିକ ସୁରକ୍ଷା ଯୋଗାଇ ଦେବା ଲକ୍ଷ୍ୟ ବୋଲି କହିଛନ୍ତି ନୀତୀଶ କୁମାର ।
ଅଧିକ ପଢନ୍ତୁ...ବିଜୁଳି ଉପଭୋକ୍ତାଙ୍କ ପାଇଁ ଖୁସି ଖବର; ୧୦୦ ୟୁନିଟ୍ ବିଜୁଳି ଦେବାକୁ ପ୍ରସ୍ତୁତ ନୀତିଶ ସରକାର
मुझे यह बताते हुए खुशी हो रही है कि बिहार पत्रकार सम्मान पेंशन योजना के तहत अब सभी पात्र पत्रकारों को हर महीने 6 हजार रू॰ की जगह 15 हजार रू॰ पेंशन की राशि प्रदान करने का विभाग को निर्देश दिया है। साथ ही बिहार पत्रकार सम्मान पेंशन योजना के अंतर्गत पेंशन प्राप्त कर रहे पत्रकारों की…
— Nitish Kumar (@NitishKumar) July 26, 2025
ସୋସିଆଲ ମିଡ଼ିଆ ଏକ୍ସରେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାର କହିଛନ୍ତି, ''ବିହାରରେ ସାମ୍ବାଦିକ ସମ୍ମାନ ପେନ୍ସନ୍ ଯୋଜନା ଅଧୀନରେ ଏବେ ସାମ୍ବାଦିକଙ୍କୁ ପ୍ରତିମାସରେ ୬ ହଜାର ସ୍ଥାନରେ ୧୫ ହଜାର ଟଙ୍କା ପେନ୍ସନ୍ ମିଳିବ । ଏ ନେଇ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି । ଏହା ସହିତ ସାମ୍ବାଦିକ ସମ୍ମାନ ପେନ୍ସନ୍ ଯୋଜନା ଅନ୍ତର୍ଗତ ପେନ୍ସନ୍ ପାଉଥିବା ସାମ୍ବାଦିକଙ୍କ ବିୟୋଗ ହେଲେ ତାଙ୍କ ସ୍ବାମୀ/ପତ୍ନୀଙ୍କୁ ଏହି ରାଶି ପ୍ରଦାନ କରିବାର ନିର୍ଦ୍ଦେଶ ରହିଛି । ୩ ହଜାର ବଦଳରେ ପ୍ରତିମାସକୁ ୧୦ ହଜାର ଟଙ୍କା ଦେବାକୁ ନିର୍ଦ୍ଦେଶ ହୋଇଛି । ଗଣତନ୍ତ୍ରରେ ଚତୁର୍ଥ ସ୍ତମ୍ଭ ଭାବେ ସମାଜର ବିକାଶରେ ସାମ୍ବାଦିକଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ।''
ବିହାର ସରକାରଙ୍କ ପକ୍ଷରୁ ଘୋଷଣା ହୋଇଥିବା ଏହି ଯୋଜନାର ମୁଖ୍ୟ ଲକ୍ଷ୍ୟ ଲକ୍ଷ୍ୟ ହେଉଛି ବରିଷ୍ଠ ସାମ୍ବାଦିକଙ୍କୁ ଅବସର ପରେ ଆର୍ଥିକ ସହାୟତା ପ୍ରଦାନ କରିବା । ଘୋଷଣା ହୋଇଥିବା ପେନ୍ସନ୍ ଯୋଜନାର ଲାଭ ପାଇବା ପାଇଁ ନିର୍ଦ୍ଦିଷ୍ଟ ଯୋଗ୍ୟତା ନିର୍ଦ୍ଧାରଣ କରିଛନ୍ତି । ଆବେଦନକାରୀଙ୍କ ଅତିକମ୍ରେ ୧୫ବର୍ଷରୁ ଅଧିକ କାର୍ଯ୍ୟ ଅଭିଜ୍ଞତା ରହିଥିବା ଦରକାର । ବୟସ ୬୦ ବର୍ଷ କିମ୍ବା ତାହାଠୁ ଅଧିକ ହୋଇଥିବା ଆବଶ୍ୟକ । କର୍ମଚାରୀ ଭବିଷ୍ୟନିଧି ସଂଗଠନ କିମ୍ବା ଅନ୍ୟ କୌଣସି ପେନ୍ସନ୍ ଯୋଜନାରୁ ଲାଭ ପାଉଥିଲେ ଯୋଗ୍ୟ ବିବେଚିତ ହେବେ ନାହିଁ ।