ଭୁବନେଶ୍ୱର,୨୭/୦୨: କରଞ୍ଜିଆ ଅବକାରୀ ବିଭାଗର ବଡ ଧରଣର ଚଡାଉ । ଏହି ଚଢାଉରେ ବେଆଇନ ଭାବେ ଗଚ୍ଛିତ ରଖିଥିବା ଦେଢ଼ କ୍ୟୁଣ୍ଟାଲରୁ ଅଧିକ ଗଞ୍ଜେଇ ଜବତ ହୋଇଛି । ଏହି ଘଟଣାରେ ଜଣଙ୍କୁ ରରୁଆଁ ଥାନା ଅନ୍ତର୍ଗତ ଟାଙ୍ଗୀଆ ଗ୍ରାମରୁ ଗିରଫ କରିଛି ଅବକାରୀ ବିଭାଗ । ମୟୂରଭଞ୍ଜ ଜିଲ୍ଲା ରରୁଆଁ ଥାନା ଅନ୍ତର୍ଗତ ଟାଙ୍ଗୀଆ ଗ୍ରାମରେ ଏଭଳି ଘଟଣା ଘିଟିଛି ।
ସୂଚନା ମୁତାବକ, ଗୁରୁବାର କରଞ୍ଜିଆ ଅବକାରୀ ବିଭାଗର ଏକ ସ୍ୱତନ୍ତ୍ର ଟିମ୍ ପାଟ୍ରୋଲିଂ କରୁଥିଲା । ଏହି ସମୟରେ ଟାଙ୍ଗୀଆ ଗାଁର ଜଣଙ୍କ ଘରେ ବେଆଇନ୍ ଭାବରେ ବିପୁଳ ପରିମାଣର ଗଞ୍ଜେଇ ଗଚ୍ଛିତ ଥିବା ନେଇ କୌଣସି ସୂତ୍ରରୁ ଖବର ପାଇଥିଲା । ଖବର ପାଇ ରରୁଆଁ ଥାନା ଅନ୍ତର୍ଗତ ଟାଙ୍ଗୀଆ ଗାଁରେ ଅତର୍କିତ ଚଡାଉ କରିଥିଲା । ସେହି ଗ୍ରାମର ବିକାଶ ଚନ୍ଦ୍ର ଗିରି ନାମକ ବ୍ୟକ୍ତି ବେଆଇନ ଭାବେ ନିଜ ଘରେ ୧୫୩ କିଲୋ ଗଞ୍ଜେଇ ରଖିଥିଲେ । ଅବକାରୀ ବିଭାଗ ଚଡାଉ କରି ସମସ୍ତ ଗଞ୍ଜେଇ ସହିତ ବିକାଶ ଗିରିକୁ ଗିରଫ କରିବାରେ ସଫଳ ହୋଇଛି । ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ୧୫ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ୱ ହେବ ବୋଲି ପ୍ରକାଶ କରିଛି ଅବକାରୀ ବିଭାଗ । ଘଟଣାରେ ସଂପୃକ୍ତ ଥିବା ଅଭିଯୁକ୍ତକୁ ଗିରଫ କରି ଅଧିକ ତଦନ୍ତ ଜାରି ରଖିଛି କରଞ୍ଜିଆ ଅବକାରୀ ବିଭାଗ ।