ମୁମ୍ବାଇ, ୦୬/୧୧ : ଆଗାମୀ ଆଇପିଏଲ୍‌-୧୮ ପାଇଁ ମେଗା ନିଲାମର ତାରିଖ ଓ ସ୍ଥାନ ଚୂଡ଼ାନ୍ତ କରାଯାଇଛି । ଚଳିତ ମାସ ୨୪ ଓ ୨୫ ତାରିଖରେ ସାଉଦି ଆରବର ଜେଦାହ ସହରରେ ମେଗା ନିଲାମ ଅନୁଷ୍ଠିତ ହେବ । ଏଥର ନିଲାମ ପାଇଁ ମୋଟ୍‌ ୧୫୭୪ଜଣ ଖେଳାଳି ନାମ ଦାଖଲ କରିଛନ୍ତି । ୧୦ଟି ଯାକ ଫ୍ରାଞ୍ଚାଇଜଙ୍କ ନିକଟରେ ରହିଛି ମାତ୍ର ୨୦୪ଟି ଖାଲି ସ୍ଥାନ । ନାମ ଦାଖଲ କରିଥିବା ଖେଳାଳିମାନଙ୍କ ମଧ୍ୟରେ ୧୧୬୫ଜଣ ଭାରତୀୟ ଓ ୪୦୯ ଜଣ ବିଦେଶୀ ଖେଳାଳି ରହିଛନ୍ତି । ସମ୍ପୂର୍ଣ୍ଣ ତାଲିକାରେ ୩୨୦ ଜଣ ଅନ୍ତର୍ଜାତୀୟ କ୍ରିକେଟ୍‌ ଖେଳିଥିବା କ୍ୟାପ୍‌ଡ ଖେଳାଳି, ୧୨୨୪ଜଣ ଅନ୍ତର୍ଜାତୀୟ କ୍ରିକେଟ୍‌ ଖେଳିନଥିବା ଅନକ୍ୟାପ୍‌ଡ ଖେଳାଳି ଓ ୩୦ଜଣ ଆସୋସିଏଟ୍‌ ଦେଶର ଖେଳାଳି ରହିଛନ୍ତି । 

ତାଲିକାଭୁକ୍ତ ୩୨୦ଜଣ ଅନ୍ତର୍ଜାତୀୟ କ୍ରିକେଟ୍‌ ଖେଳିଥିବା ଖେଳାଳିଙ୍କ ମଧ୍ୟରେ ୪୮ଜଣ ଭାରତୀୟ ଓ ୨୭୨ ଜଣ ବିଦେଶୀ ଖେଳାଳି ରହିଛନ୍ତି । ଏହି ତାଲିକାରେ ମୋଟ୍‌ ୯୬୫ଜଣ ଅନ୍ତର୍ଜାତୀୟ କ୍ରିକେଟ୍‌ ଖେଳିନଥିବା ଭାରତୀୟ ଘରୋଇ ଖେଳାଳି ଓ ୧୦୪ଜଣ ବିଦେଶୀ ଖେଳାଳି ନାମ ଦାଖଲ କରିଛନ୍ତି । ତାଲିକାରେ ରହିଥିବା ୧୫୨ଜଣ ଘରୋଇ ଖେଳାଳି ପୂର୍ବରୁ ଆଇପିଏଲ୍‌ ଖେଳି ସାରିଛନ୍ତି । ତାଲିକାରେ ଦକ୍ଷିଣ ଆଫ୍ରିକାରୁ ସର୍ବାଧିକ ୯୧ଜଣ ଖେଳାଳି ନାମ ଦାଖଲ କରିଛନ୍ତି । ସେହିପରି ଅଷ୍ଟ୍ରେଲିଆରୁ ୭୬, ଇଂଲଣ୍ଡରୁ ୫୨, ନ୍ୟୁଜିଲାଣ୍ଡରୁ ୩୯, ୱେଷ୍ଟ ଇଣ୍ଡିଜ୍‌ରୁ ୩୩, ଶ୍ରୀଲଙ୍କାରୁ ୨୯, ଆଫଗାନିସ୍ତାନରୁ ୨୯, ବାଂଲାଦେଶରୁ ୧୩, କାନାଡ଼ାରୁ ୪, ଆୟର୍ଲାଣ୍ଡରୁ ୯, ଇଟାଲୀରୁ ୧, ନେଦରଲାଣ୍ଡ୍‌ସରୁ ୧୨, ସ୍କଟଲାଣ୍ଡରୁ ୨, ୟୁଏଇରୁ ୧, ୟୁଏସଏରୁ ୧୦ ଓ ଜିମ୍ବାୱେରୁ ୮ଜଣ ଖେଳାଳି ନାମ ଦାଖଲ କରିଛନ୍ତି । ସୂଚନାଯୋଗ୍ୟ, ଗତ ୩୧ ତାରିଖରେ ସମସ୍ତ ଫ୍ରାଞ୍ଚାଇଜ୍‌ ରିଟେନ ତାଲିକା ଘୋଷଣା କରିଥିଲେ । ୧୦ଟି ଯାକ ଫ୍ରାଞ୍ଚାଇଜ୍‌ ୪୬ଜଣ ଖେଳାଳିଙ୍କୁ ରିଟେନ କରିଛନ୍ତି ଓ ଏହି ବାବଦରେ ୫୫୮.୫କୋଟି ଟଙ୍କା ଖର୍ଚ୍ଚ କରିସାରିଛନ୍ତି । ରିଟେନ୍‌ ଖେଳାଳିଙ୍କ ମଧ୍ୟରେ ୩୬ଜଣ ଭାରତୀୟ ରହିଛନ୍ତି ।