ମାଲକାନଗିରି, ୩୧/୮ : ମାଲକାନଗିରି ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ୧୮ଜଣ ଗରିବ ଝିଅଙ୍କୁ ତେଲେଙ୍ଗାନା ରାଜ୍ୟକୁ କାମ କରିବା ପାଇଁ ନେଉଥିବାବେଳେ ମାଲକାନଗିରି ବସ ଷ୍ଟାଣ୍ଡରୁ ଉଦ୍ଧାର କରିଛି ଶ୍ରମ ବିଭାଗ ଓ ପୁଲିସ । ଆଜି ମାଲକାନଗିରି ବସଷ୍ଟାଣ୍ଡଠାରେ ଗୋଟିଏ ସ୍ଥାନରେ ୧୮ରୁ ଊର୍ଦ୍ଧ୍ବ ଝିଅ ଏକତ୍ରିତ ଥିବା ଦେଖି ଜଣେ ଓକିଲ ଓ ସମାଜସେବୀ ପଚାରିଥିଲେ କେଉଁ ଆଡ଼କୁ ଯିବ । ଝିଅମାନେ କହିଥିଲେ ତାଙ୍କୁ ଜଣେ ଲୋକ ତେଲଙ୍ଗାନା ରାଜ୍ୟକୁ କାମ କରିବାକୁ ନେଉଛନ୍ତି । ସନ୍ଦେହ ହେବାରୁ ଓକିଲ ଓ ସମାଜସେବୀ ଥାନା ଓ ଶ୍ରମବିଭାଗକୁ ଫୋନ କରି ଜଣାଇଥିଲେ। 

ଖବରପାଇ ମାଲକାନଗିରି ଥାନା ପୁଲିସ, ଶ୍ରମବିଭାଗ ଅଧିକାରୀ ବସଷ୍ଟାଣ୍ଡଠାରେ ପହଁଚି ସେ ଝିଅମାନଙ୍କୁ ଉଦ୍ଧାର କରି ଥାନାକୁ ଆଣିଥିଲେ। ଭାରପ୍ରାପ୍ତ ଶ୍ରମ ଅଧିକାରୀ ପୂର୍ଣ୍ଣିମା ଡୁରୁକା ଉଦ୍ଧାର ଝିଅମାନଙ୍କୁ କାଉଶିଲିଂ କରି ଜାଣି ପାରିଥିଲେ ଏ ଝିଅମାନେ ୧୮ବର୍ଷରୁ ଊର୍ଦ୍ଧ୍ବ । ଗଞ୍ଜାମ ଅଞ୍ଚଳର ସନ୍ତୋଷ ନାହାକ ନାମକ ଯୁବକ ତେଲଙ୍ଗାନାର ଏକ ସୁତାକଳରେ କାମ କରିବା ପାଇଁ ପଠାଉଥିଲେ । ସେମାନେ ବସ ଷ୍ଟାଣ୍ଡଠାରେ ହାଇଦ୍ରାବାଦ ବସକୁ ଜଗିଥିଲେ। ସେ  ଯୁବକର ଶ୍ରମିକ ଚାଲାଣ ଲାଇସେନ୍ସ ନ ଥିବାରୁ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଓ ତଦନ୍ତ କରିବା ପାଇଁ ପୁଲିସକୁ ଶ୍ରମବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଛି । ସନ୍ତୋଷକୁ ଥାନାରେ ଅଟକ ରଖି ପୁଲିସ ପଚରାଉଚରା ଚଳାଇଛି।