ନୂଆଦିଲ୍ଲୀ: ଆରମ୍ଭ ହୋଇସାରିଛି ୟୁପି ବିଧାନସଭାର ଶୀତ ଅଧିବେଶନ । ଏହି ସମୟରେ ସିଏମ୍ ଯୋଗୀ ଆଜି (ସୋମବାର) ବିଧାନସଭାରେ ନିଜର ଅଭିଭାଷଣ ରଖିଥିଲେ। ସିଏମ୍ ଯୋଗୀ ସମ୍ଭଲ ମାମଲା ବିଷୟରେ କହିଥିଲେ । ଏହି ସମୟରେ ସେ ବିରୋଧୀଙ୍କୁ ଜୋରଦାର ଟାର୍ଗେଟ କରିଛନ୍ତି । ସିଏମ ଯୋଗୀ କହିଛନ୍ତି ଯେ, ସମ୍ଭଲରେ ଦଙ୍ଗାର ବହୁତ ବଡ ଇତିହାସ ରହିଛି । ସେ ୧୯୪୭ ପରଠାରୁ ସମ୍ଭଲରେ ଚାଲିଥିବା ଦଙ୍ଗା ବିଷୟରେ ଉଲ୍ଲେଖ କରିଛନ୍ତି । ଏହା ସହିତ ସେ ଏହି ଦଙ୍ଗାରେ ନିହତ ହୋଇଥିବା ହିନ୍ଦୁମାନଙ୍କ ସଂଖ୍ୟା ମଧ୍ୟ କହିଛନ୍ତି । ସେ କହିଛନ୍ତି ଯେ, ୧୯୭୮ ମସିହାରେ ହୋଇଥିବା ଦଙ୍ଗାରେ ୧୮୪ ଜଣ ହିନ୍ଦୁ ଜୀବନ୍ତ ଦଗ୍ଧ ହୋଇଥିଲେ । ଏହି ଘଟଣା ବିଷୟରେ ଉଲ୍ଲେଖ କରି ଯୋଗୀ କହିଛନ୍ତି ଯେ, ଯେଉଁ ଲୋକମାନେ ସାମ୍ପ୍ରଦାୟିକତା ବିଷୟରେ କହୁଛନ୍ତି, ସେମାନେ ଏଥିପାଇଁ ଲଜ୍ଜିତ ନୁହଁନ୍ତି କି ?

ସିଏମ ଯୋଗୀ ବିଧାନସଭାରେ ଆହୁରି ମଧ୍ୟ କହିଛନ୍ତି କି, 'ସମ୍ଭଲରେ କିଭଳି ପରିବେଶକୁ ଖରାପ କରାଯାଇଥିଲା, ତାହାର ଇତିହାସ ୧୯୪୭ ରୁ ଆରମ୍ଭ ହୋଇଛି । ୧୯୪୭ ମସିହାରେ ଜଣଙ୍କର ମୃତ୍ୟୁ ଘଟିଥିଲା, ୧୯୪୮ ରେ ୬ ଜଣଙ୍କର ମୃତ୍ୟୁ ହୋଇଥିଲା, ୧୯୫୮ ରେ ମଧ୍ୟ ଦଙ୍ଗା ହୋଇଥିଲା, ୧୯୬୨ ମସିହାରେ ମଧ୍ୟ ଦଙ୍ଗା ହୋଇଥିଲା, ୧୯୭୬ ରେ ୫ ଜଣଙ୍କର ମୃତ୍ୟୁ ହୋଇଥିଲା ଏବଂ ୧୯୭୮ ମସିହାରେ ୧୮୪ ହିନ୍ଦୁ ବହୁସଂଖ୍ୟାରେ ପୋଡି ଯାଇଥିଲେ । ସେତେବେଳେ ୧୮୪ ହିନ୍ଦୁଙ୍କୁ ହତ୍ୟା କରି ସେମାନଙ୍କୁ ମଧ୍ୟ ପୋଡ଼ି ଦିଆଯାଇଥିଲା । ହେଲେ ଆପଣ ଏହି ସତ୍ୟତାକୁ ଗ୍ରହଣ କରିବେ ନାହିଁ । ଏହା ପରେ ସେଠାରେ ଲଗାତାର ଅନେକ ମାସ ପାଇଁ କର୍ଫ୍ୟୁ ଲାଗୁ କରାଯାଇଥିଲା।

ସିଏମ ଯୋଗୀ ଆହୁରି ମଧ୍ୟ କହିଛନ୍ତି, 'ଏହା ପରେ ୧୯୮୦ ରେ ପୁଣିଥରେ ଦଙ୍ଗା ହୋଇଥିଲା ଯେଉଁଥିରେ ଜଣଙ୍କର ମୃତ୍ୟୁ ଘଟିଥିଲା, ୧୯୮୨ ମସିହାରେ ଦଙ୍ଗା ହୋଇଥିଲା ଯେଉଁଥିରେ ଜଣଙ୍କର ମୃତ୍ୟୁ ଘଟିଥିଲା, ୧୯୮୬ ରେ ୪ ଜଣଙ୍କର ମୃତ୍ୟୁ ଘଟିଥିଲା, ୧୯୯୦ ଏବଂ ୧୯୯୨ ରେ ୫ ଜଣଙ୍କର ମୃତ୍ୟୁ ହୋଇଥିଲା । ୧୯୯୬ ରେ ମଧ୍ୟ ୨ ଜଣଙ୍କର ମୃତ୍ୟୁ ହୋଇଥିଲା। ଆଉ ଏହା କ୍ରମାଗତ ଭାବରେ ଜାରି ରହିଲା । ୧୯୪୭ ପରଠାରୁ ୨୦୯ ଜଣ ହିନ୍ଦୁଙ୍କୁ ସମ୍ବଲରେ ଅତି ନିର୍ମମ ଭାବେ ହତ୍ୟା କରାଯାଇଛି ଏବଂ ସେହି ନିରୀହ ହିନ୍ଦୁମାନଙ୍କ ପ୍ରତି କେହି ବି ସ୍ବର ଉଠାଇ ନାହାଁନ୍ତି । ଏହି ଲୋକ ମାନେ ଆଜି କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି,କିନ୍ତୁ ସେହି ନିରୀହ ହିନ୍ଦୁମାନଙ୍କ ବିଷୟରେ କେବେବି ଦୁଇଟି ଶବ୍ଦ କହି ନାହାଁନ୍ତି।