ନୂଆଦିଲ୍ଲୀ,୦୧/୦୬:ଇଣ୍ଟର୍‌ନେଟ୍‌ରେ ୧୮.୪ କୋଟିରୁ ଅଧିକ ଲୋକଙ୍କ ୟୁଜର୍‌ ନେମ୍‌ ଏବଂ ପାସ୍‌ୱାର୍ଡ ଲିକ୍‌ ହୋଇଛି । ସାଇବର ସୁରକ୍ଷା ଗବେଷକ ଜେରେମିଆ ଫାଉଲର୍‌ ଏହି ସୂଚନା ଦେଇଛନ୍ତି । ଫାଉଲର କହିଛନ୍ତି ଯେ, ଇଣ୍ଟର୍‌ନେଟ୍‌ରେ ଏକ ଡାଟାବେସ୍‌ ମିଳିଛି, ଯେଉଁଥିରେ କୋଟି କୋଟି ଲୋକଙ୍କ ୟୁଜର୍‌ନେମ୍‌ ଏବଂ ପାସ୍‌ୱାର୍ଡ ରହିଥିଲା । ଏହି ପାସ୍‌ୱାର୍ଡ ଇ-ମେଲ, ସୋସିଆଲ ମିଡିଆ ଏବଂ ବ୍ୟାଙ୍କ ଆକାଉଣ୍ଟ୍‌ ସହ ଜଡ଼ିତ । ଲିକ୍‌ ହୋଇଥିବା ଅଧିକାଂଶ ଡାଟା ଆପଲ୍‌, ଗୁଗୁଲ, ଫେସ୍‌ବୁକ୍‌, ମାଇକ୍ରୋସଫ୍ଟ, ଇନ୍‌ଷ୍ଟାଗ୍ରାମ, ସ୍ନାପ୍‌ଚାଟ୍‌ ଭଳି ପ୍ରମୁଖ ପ୍ଲାଟ୍‌ଫର୍ମ ସମ୍ବନ୍ଧୀୟ । 

ଏହାବ୍ୟତୀତ ଏଥିରେ ଅଥରାଇଜେସନ୍‌ ୟୁଆର୍‌ଏଲ୍‌, ବ୍ୟାଙ୍କିଙ୍ଗ୍‌, ସ୍ୱାସ୍ଥ୍ୟ ଏବଂ ସରକାରୀ ପୋର୍ଟାଲଗୁଡ଼ିକର ଲଗ୍‌ ଇନ୍‌ ବିବରଣୀ ମଧ୍ୟ ରହିଥିଲା । ଚିନ୍ତାଜନକ ବିଷୟ ହେଉଛି ଏହି ଡାଟାବେସ୍‌ ଏନ୍‌କ୍ରିପ୍ଟେଡ୍‌ ନ ଥିଲା । ଅର୍ଥାତ୍‌ ସମ୍ପୂର୍ଣ୍ଣ ସମ୍ବେଦନଶୀଳ ତଥ୍ୟ ସାଧାରଣ ଟେକ୍ସଟ ଫର୍ମାଟ୍‌ରେ ଉପଲବ୍ଧ ରହିଥିଲା । ଡାଟା ଲିକ୍‌ ହେବା ଦ୍ୱାରା କୋଟି କୋଟି ୟୁଜରଙ୍କ ବ୍ୟକ୍ତିଗତ ତଥ୍ୟ ବିପଦରେ ରହିଛି । ରିପୋର୍ଟ ଆସିବା ପରେ ଅନେକ କମ୍ପାନି ସତର୍କ ହୋଇଯାଇଛନ୍ତି । ଫାଉଲରଙ୍କ ଅନୁସାରେ, ଏହି ଡାଟା ‘ଇନ୍‌ଫୋଷ୍ଟିଲର’ ନାମରେ ଏକ ମାଲ୍‌ୱେର୍‌ ମାଧ୍ୟମରେ ଚୋରି ହୋଇଥାଇପାରେ, ଯାହା କମ୍ପ୍ୟୁଟରରେ ସେଭ୍‌ ହୋଇଥିବା ଡାଟାକୁ ନେଇଯାଏ । ଇନ୍‌ଫୋ-ଷ୍ଟିଲର ମାଲ୍‌ୱେର୍‌ ୟୁଜର୍ସଙ୍କ ବ୍ରାଉଜରରେ ସେଭ୍‌ ପାସ୍‌ୱାର୍ଡ, ଅଟୋଫିଲ୍‌ ବିବରଣୀ ଏବଂ କୁକିଜ୍‌ ଚୋରାଇଥାଏ । 

ଯଦି କୌଣସି ୟୁଜର୍‌ ଭୁଲ୍‌ବଶତଃ କୌଣସି ଫେକ୍‌ ଲିଙ୍କ୍‌ରେ କ୍ଲିକ୍‌ କରିଦିଅନ୍ତି କିମ୍ବା ମେଲ୍‌ରୁ କୌଣସି ଫାଇଲ୍‌ ଡାଉନ୍‌ଲୋଡ୍‌ କରନ୍ତି ତେବେ ଏହି ଭାଇରସ୍‌ ସିଷ୍ଟମ୍‌କୁ ପ୍ରଭାବିତ କରେ । ଏହା ପରେ ଭାଇରସ୍‌ ଇ-ମେଲ, ବ୍ୟାଙ୍କ ଏବଂ ସୋସିଆଲ ମିଡିଆ ଆକାଉଣ୍ଟ ସହ ଜଡ଼ିତ ଡାଟାକୁ ଲିକ୍‌ କରେ । ସାଇବର ଅପରାଧୀ ସାଧାରଣତଃ ଏଭଳି ମାଲ୍‌ୱେର୍‌ ବ୍ୟବହାର କରନ୍ତି, ଯାହା ୱେବ୍‌ସାଇଟ୍‌ ଏବଂ ସିଷ୍ଟମ୍‌ରୁ ୟୁଜର୍‌ନେମ୍‌, ପାସ୍‌ୱାର୍ଡ ଓ କ୍ରେଡିଟ୍‌ କାର୍ଡ ନମ୍ବର ଭଳି ତଥ୍ୟ ଚୋରାଇ ଡାର୍କୱେବ୍‌ରେ ବିକ୍ରି କରେ । ଫାଉଲର୍‌ଙ୍କ ଅନୁସାରେ, ଯେଉଁ ହୋଷ୍ଟିଙ୍ଗ୍‌ କମ୍ପାନି ସର୍ଭରରେ ଏହି ଡାଟା ରହିଥିଲା, ଉକ୍ତ କମ୍ପାନି ସହ ଯୋଗାଯୋଗ କରାଯାଇଥିଲା । 

ଏହା ପରେ ଡାଟାବେସ୍‌ ସାର୍ବଜନିକ ରୂପେ ଆକ୍ସେସ୍‌ କରାଯାଇପାରି ନ ଥିଲା । କିନ୍ତୁ କମ୍ପାନି ଡାଟା ଅପ୍‌ଲୋଡ୍‌ କରିଥିବା ସୋର୍ସର ତଥ୍ୟ ଦେବାକୁ ମନା କରିଦେଇଛି । ସୁରକ୍ଷା ବିଶେଷଜ୍ଞ ଡାଟାବେସ୍‌ରେ ଥିବା କିଛି ୟୁଜରଙ୍କୁ ଇ-ମେଲ ପଠାଇ ସେମାନଙ୍କୁ ଜଣାଇଛନ୍ତି ଯେ, ସେମାନଙ୍କ ତଥ୍ୟ ଲିକ୍‌ ହୋଇଥିଲା । ସେମାନେ ଏହି ଚେତାବନୀ ବି ଦେଇଥିଲେ ଯେ, ଏକାଧିକ ପ୍ଲାଟ୍‌ଫର୍ମ ପାଇଁ ସମାନ ପାସ୍‌ୱାର୍ଡ ଏବଂ ୟୁଜର୍‌ନେମ୍‌ ବ୍ୟବହାର କରିଥିବା ଲୋକଙ୍କୁ ସବୁଠୁ ଅଧିକ ବିପଦ ରହିଛି । ହ୍ୟାକର୍‌ଙ୍କ ତାଲିକାରେ ଥିବା ୨୦ ସାଧାରଣ ପାସ୍‌ୱାର୍ଡ ହେଲା ୧୨୩୪୫୬, ୧୨୩୪୫୬୭୮୯, ୧୨୩୪୫୬୭୮୯୦, ୧୨୩୪୫,୦୯୮୭୬, ୧୨୩୪୫୬୭୮, ୧୧୧୧୧୧, ୬୫୪୩୨୧, ୧୨୩୪୫୬୭, ୧୨୩୩୨୧, ୧୨୩୧୨୩, ୬୬୬୬୬୬ ଇତ୍ୟାଦି ।