ଭୁବନେଶ୍ଵର, ୨୩/୦୩ : ଗୋ ଚାଲାଣକାରୀଙ୍କ ପାଇଁ ଭୂସ୍ବର୍ଗ ପଶ୍ଚିମବଙ୍ଗ। ଓଡ଼ିଶାରୁ ପଶ୍ଚିମବଙ୍ଗକୁ ହେଉଛି ସର୍ବାଧିକ ଗୋ ଚାଲାଣ। ଏହା ବାଦ୍ ଆନ୍ଧ୍ର ପ୍ରଦେଶ, ଝାଡ଼କଣ୍ଡ, ଛତିଶଗଡ଼, ତେଲେଙ୍ଗାନା ଓ ତାମିଲନାଡ଼ୁକୁ ଗୋ ଚାଲାଣ କରାଯାଉଛି। ବିଧାନସଭାରେ ଏନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଲିଖିତ ଉତ୍ତର ରଖିଛନ୍ତି।
ରିପୋର୍ଟ ଅନୁଯାୟୀ, ଗତ ତିନି ବର୍ଷ ମଧ୍ୟରେ ୧୮୭୮ ଗୋ ଚାଲାଣ ମାମଲା ସାମ୍ନାକୁ ଆସିଛି। ଏହି ମାମଲାରେ ୨୬୯୯ ଜଣଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି। ଅପରେସନ ଗୋ ରକ୍ଷା ମାଧ୍ୟମରେ ୨୪ ହଜାର ୬୬୭ ଗୋମାତାଙ୍କୁ ଉଦ୍ଧାର କରାଯାଇଛି।
ଓଡ଼ିଶାରୁ ପଶ୍ଚିମବଙ୍ଗକୁ ବେଆଇନ ଗୋରୁ ଚାଲାଣ ଏକ ବଡ଼ ସମସ୍ୟା ପାଲଟିଛି। ପଶ୍ଚିମ ଓଡ଼ିଶା ଓ ମୟୂରଭଞ୍ଜ ଭଳି ସୀମାନ୍ତ ଜିଲ୍ଲାରୁ ଗୋରୁଙ୍କୁ ଟ୍ରକ ଓ ପିକଅପ ଭ୍ୟାନ ଯୋଗେ ବାହାର ରାଜ୍ୟକୁ ଚାଲାଣ କରାଯାଉଛି। ପ୍ରଭାବଶାଳୀ ଲୋକଙ୍କ ସହାୟତାରେ ଏହି ନେଟୱାର୍କ ଚାଲୁଛି। ପୁଲିସ ବାରମ୍ବାର ଚଢାଉ କରି ଗୋରୁ ଗାଡ଼ି ଜବତ କରୁଛି। ତଥାପି ରାଜ୍ୟରେ ଗୋ ଚାଲାଣ ମାମଲା ବୃଦ୍ଧି ପାଇବାରେ ଲାଗିଛି। ଏହି ଅବୈଧ କାରବାର ଥମିବାର ନାମ ନେଉନାହିଁ। ସୀମାଞ୍ଚଳରେ ଗୋ-ମାଫିଆମାନେ ବିଭିନ୍ନ ଉପାୟରେ ଗୋ ଚାଲାଣ କରୁଛନ୍ତି।
ଏହି ଖବରଟିକୁ ପଢନ୍ତୁ- ସେକ୍ସ ରାକେଟ୍ ରୋକିବାକୁ ପୁଲିସ ସ୍କାନରରେ OYO ରୁମ୍, ନିୟମିତ ଚାଲିଛି ରେଡ୍