ବାରଙ୍ଗ,୨୯/୧୧: ପର୍ଯ୍ୟଟନ ଋତୁ ଆରମ୍ଭ ହୋଇଯାଇଥିବା ବେଳେ  ପ୍ରାଣୀ ଉଦ୍ୟାନ ନନ୍ଦନକାନନକୁ  ଗୁଜରାଟରୁ ଆସୁଛି ୧୯ ଜୀବଜନ୍ତୁ ।  ଏନେଇ ସୁରଟର ଶ୍ୟାମାପ୍ରସାଦ ମୁଖାର୍ଜୀ ଜୁଲୋଜିକାଲ ଗାର୍ଡେନ ସହ ନନ୍ଦନକାନନ କର୍ତ୍ତୃପକ୍ଷଙ୍କ  କଥାବାର୍ତ୍ତା ସରିଥିବା ଏବଂ କେନ୍ଦ୍ରୀୟ  ଚିଡ଼ିଆଖାନା ପକ୍ଷରୁ ଅନୁମତି ମିଳିଥିବା  ଜଣାପଡ଼ିଛି ।

ଏହି ସୂତ୍ରରୁ ଜଣାଯାଇଛି  ଯେ, ଡ଼ିସେମ୍ବର ୧୦ ତାରିଖ ସୁଦ୍ଧା  ନୂଆ ଜୀବଜନ୍ତୁ ଆସି ନନ୍ଦନକାନରେ  ପହଞ୍ଚିବେ । ତେଣୁ ନନ୍ଦନକାନନ  ପକ୍ଷରୁ ଏକ ଟିମ ଗୁଜୁରାଟ ଯିବା  ପାଇଁ ପ୍ରସ୍ତୁତି ସରିଛି । ଗୁଜୁରାଟ  ଚିଡ଼ିଆଖାନାରୁ ୪ ପ୍ରଜାତିର ୧୯  ଜୀବଜନ୍ତୁ ଆସୁଥିବା ବେଳେ ଏହାର  ପ୍ରତିବଦଳରେ ନନ୍ଦନକାନନ ୫  ପ୍ରଜାତିର ୧୪ ଜୀବଜନ୍ତୁ ଦେଉଛି ।  ଆସୁଥିବା ଜୀବଜନ୍ତୁ ମଧ୍ୟରେ ଅଛନ୍ତି  ୫ଟି (୩ଟି ଅଣ୍ଡିରା,୨ଟି ମାଈ) ପାଣି  ଓଧ , ୨ଟି ଅଣ୍ଡିରା ଧୂସର ଗଧିଆ,  ୧୦ଟି (୫ଟି ଅଣ୍ଡିରା, ୫ଟି ମାଈ)  ଭାରତୀୟ ପଥର କଇଁଛ ଓ ୨ଟି  (ଅଣ୍ଡିରା,ମାଈ) ରୁପେଲି କୁକୁଟ  ଅଛନ୍ତି । ସେହିପରି ନନ୍ଦନକାନନରୁ  ଯାଉଥିବା ୫ ପ୍ରଜାତିର ୧୪ ଜୀବଜନ୍ତୁ  ମଧ୍ୟରେ ଦୁଇଟି (ଅଣ୍ଡିରା,ମାଈ)  ମହାବଳ ବାଘ, ଦୁଇଟି ମାଈ ଧୂସର  ଗଧିଆ, ୩ଟି (ଗୋଟିଏ ଅଣ୍ଡିରା,୨ଟି  ମାଈ) ଚଉସିଂଙ୍ଗା,ଦୁଇଟି ମାଈ କୁଟୁରା  ଓ ୫ଟି (୨ଟି ଅଣ୍ଡିରା,୩ଟି ମାଈ)  ଭାରତୀୟ ବିଲୁଆ ଅଛନ୍ତି । (ଆସୁଥିବା  ଜନ୍ତୁ ଫଟୋ ୧,୨,୩,୪)