ଚେନ୍ନାଇ,୧୯।୪: ତାମିଲନାଡୁର ବିରୁଧୁନଗର ଜିଲ୍ଲାରେ ଏକ ବାଣ କାରଖାନାରେ ବଡ଼ ଧରଣର ବିସ୍ଫୋରଣ। ଏହି ଦୁର୍ଘଟଣାରେ ୧୯ ଜଣଙ୍କର ମୃତ୍ୟୁ ହୋଇଛି। ସେଭଳି ଅନ୍ୟ ୬ ଜଣ ଆହତ ହୋଇଛନ୍ତି। ଏହି ଦୁର୍ଘଟଣା ବିରୁଧନଗର ପାଖାପାଖି କଟ୍ଟାନାରପଟ୍ଟିରେ ହୋଇଛି। ପ୍ରାରମ୍ଭିକ ରିପୋର୍ଟ ଅନୁସାରେ, ବିସ୍ଫୋରଣ କଟ୍ଟାନାରପଟ୍ଟି ଗାଁରେ ଥିବା ଏକ ବାଣ ତିଆରି ୟୁନିଟ୍ରେ ହୋଇଛି। ଏବେ ନିଆଁକୁ ନିୟନ୍ତ୍ରଣ କରି ନିଆଯାଇଛି। ସେଭଳି ୬ ଜଣ ଆହତଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଅନେକ ଲୋକ ଭଗ୍ନାବଶେଷ ତଳେ ଫସି ରହିଥିବା ଆଶଙ୍କା କରାଯାଉଛି। ସେମାନଙ୍କୁ ପୋଲିସ ଓ ଫାୟାର ବ୍ରିଗେଡ୍ ଟିମ୍ ଉଦ୍ଧାର କରିବା କାମରେ ଲାଗି ରହିଛନ୍ତି।
ରିପୋର୍ଟ ଅନୁଯାୟୀ, ବିରୁଧୁନଗର ଜିଲ୍ଲାରେ ଅନେକ ବାଣ କାରଖାନା ଚାଲିଛି। ଏହି କାରଖାନାଗୁଡ଼ିକରେ ପୁରୁଷ ଏବଂ ମହିଳା ଶ୍ରମିକ ଭାବରେ କାମ କରି ସେମାନଙ୍କର ଜୀବିକା ନିର୍ବାହ କରୁଛନ୍ତି। ଏପରି ଏକ ବାଣ କାରଖାନା ବିରୁଧନଗର ନିକଟସ୍ଥ କଟ୍ଟାନାରପଟ୍ଟିରେ ରହିଛି। ଆଖପାଖ ଅଞ୍ଚଳର ଅନେକ ପୁରୁଷ ଏବଂ ମହିଳା ସେଠାରେ କାମ କରୁଥିଲେ। ରବିବାର ଛୁଟି ଥିଲେ ବି ସେମାନେ ସବୁ ଦିନ ଭଳି କାମକୁ ଆସିଥିଲେ। ସେମାନଙ୍କର ବାଣ ଫ୍ୟାକ୍ଟ୍ରିରେ ଅଲଗା ଅଲଗା କାମ ଥିଲା। ହଠାତ୍ ଭିତରେ ଏକ ଜୋରଦାର ବିସ୍ଫୋରଣ ହୋଇଥିଲା। ମୁହୂର୍ତ୍ତକ ମଧ୍ୟରେ ଚାରୋଟି ୟୁନିଟ୍ ଗ୍ରାସ କରିଥିଲା ଏବଂ ୪ଟି ବିଲ୍ଡିଂ ଭୁଶୁଡି ପଡିଥିଲା। ବିସ୍ଫୋରଣ ଏତେ ଶକ୍ତିଶାଳୀ ଥିଲା ଯେ ଏହା ନିକଟବର୍ତ୍ତୀ କୋଠାଗୁଡ଼ିକୁ ମଧ୍ୟ କ୍ଷତିଗ୍ରସ୍ତ କରିଥିଲା।
ବାଣ କାରଖାନା ଭିତରେ ୨୦ ରୁ ଅଧିକ ଶ୍ରମିକ ଫସି ରହିଥିଲେ। ଦୁର୍ଘଟଣା ଯୋଗୁଁ ସମଗ୍ର ଅଞ୍ଚଳ ଘନ କଳା ଧୂଆଁରେ ଆଚ୍ଛାଦିତ ହୋଇଯାଇଥିଲା। ସ୍ଥାନୀୟ ଲୋକେ ଅଗ୍ନିଶମ କେନ୍ଦ୍ର ଏବଂ ପୋଲିସକୁ ଖବର ଦେଇଥିଲେ। ଅଗ୍ନିଶମ କର୍ମଚାରୀ ଏବଂ ପୋଲିସ ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭାଇବା ଆରମ୍ଭ କରିଥିଲେ। ନିଆଁକୁ ଆଂଶିକ ଭାବରେ ନିୟନ୍ତ୍ରଣ କରାଯାଇଥିଲା। ପରେ ପୋଲିସ ଏବଂ ଅଗ୍ନିଶମ କର୍ମଚାରୀମାନେ କୋଠା ଭିତରେ ଫସି ରହିଥିବା ଶ୍ରମିକମାନଙ୍କୁ ଉଦ୍ଧାର କରିବାକୁ ଚେଷ୍ଟା କରିଥିଲେ। ଘଟଣାସ୍ଥଳରେ ପୋଡି ୧୯ ଜଣ ଶ୍ରମିକ ପୋଡ଼ି ମୃତ୍ୟୁ ହୋଇଥିଲା। ସେଭଳି ୫ ରୁ ଅଧିକ ଶ୍ରମିକ ଗୁରୁତର ଥିବାରୁ ସେମାନଙ୍କୁ ଆମ୍ବୁଲାନ୍ସ ଯୋଗେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ମୃତ୍ୟୁ ସଂଖ୍ୟା ଆହୁରି ବୃଦ୍ଧି ପାଇବାର ଆଶଙ୍କା ରହିଛି। ପୋଲିସ ସମସ୍ତ ୧୯ ମୃତଦେହକୁ ହେପାଜତକୁ ନେଇ ପୋଷ୍ଟମର୍ଟମ ପାଇଁ ମର୍ଚ୍ୟୁରୀକୁ ପଠାଇଛି। ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।
The mishap in Virudhunagar district of Tamil Nadu is deeply distressing. I extend my condolences to those who have lost their loved ones. May the injured recover at the earliest: PM @narendramodi
— PMO India (@PMOIndia) April 19, 2026
ପୋଲିସ ଘରୋଇ ବାଣ କାରଖାନାର ମାଲିକ ଏବଂ ପରିଚାଳକଙ୍କୁ ମଧ୍ୟ ପଚରାଉଚରା କରୁଛି। କାରଖାନାରେ ହଠାତ୍ ବିସ୍ଫୋରଣ ହେବା ଫଳରେ ପୁରା ଅଞ୍ଚଳରେ ଶୋକର ପରିବେଶ ସୃଷ୍ଟି ହୋଇଛି। ଉଲ୍ଲେଖଯୋଗ୍ୟ ଯେ କିଛି ଦିନ ପୂର୍ବରୁ ସମାନ ଅଞ୍ଚଳରେ ଏକ ବିସ୍ଫୋରଣ ଘଟିଥିଲା। ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନ ଏହି ଘଟଣାରେ ଦୁଃଖ ପ୍ରକାଶ କରିଛନ୍ତି। ଟ୍ୱିଟରରେ ପୋଷ୍ଟ କରି ସେ ଲେଖିଛନ୍ତି, ‘ବିରୁଧୁନଗର ଜିଲ୍ଲାର କଟ୍ଟାନାପଟ୍ଟିରେ ଏକ ବାଣ କାରଖାନାରେ ବିସ୍ଫୋରଣ ଘଟିଛି। ଏଥିରେ ଅନେକ ଲୋକଙ୍କ ମୃତ୍ୟୁ ଖବର ଶୁଣି ମୁଁ ଗଭୀର ଦୁଃଖିତ। ସେ ଆହୁରି ଲେଖିଛନ୍ତି, ‘ଜୀବନ ହରାଇଥିବା ଲୋକଙ୍କ ପରିବାର ପ୍ରତି ମୋର ଗଭୀର ସମବେଦନା। ମୁଁ ମନ୍ତ୍ରୀ କେ.କେ.ଏସ.ଏସ.ଆର. ରାମଚନ୍ଦ୍ରନ ଏବଂ ଥାଙ୍ଗାମ ଟେନାରାସୁଙ୍କୁ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟକୁ ତ୍ୱରାନ୍ୱିତ କରିବାକୁ ଏବଂ ପ୍ରଭାବିତ ପରିବାରକୁ ସମବେଦନା ଜଣାଇବାକୁ ଅନୁରୋଧ କରିଛି।’ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ବାଣ କାରଖାନା ବିସ୍ଫୋରଣରେ ମୃତ୍ୟୁ ପାଇଁ ଦୁଃଖ ପ୍ରକାଶ କରିଛନ୍ତି।