ମାଲକାନଗିରି, ୨୯/୧୦ (ଆପ୍ର ) : ମାଲକାନଗିରି ସୀମାନ୍ତ ତେଲେଙ୍ଗାନା ପୁଲିସ ନିକଟରେ ମାଓ ସଂଗଠନର ସେଣ୍ଟ୍ରାଲ କମିଟି ମେମ୍ବର ପୁଲୁରି ପ୍ରସାଦ ରାଓ ଓରଫ ଚନ୍ଦ୍ରନ୍ନା ଓରଫ ସୋମ୍ମାନା ଏବଂ ଷ୍ଟେଟ କମିଟି ମେମ୍ବର ପ୍ରଭାତ ଆତ୍ମସମର୍ପଣ କରିଛନ୍ତି। ସିସି ମେମ୍ବର ପୁଲୁରି ପ୍ରସାଦ ରାଓଙ୍କ ଘର ତେଲେଙ୍ଗାନାରେ। ସେ ୪୫ ବର୍ଷ ଧରି ମାଓ ସଂଗଠନରେ ଜଡିତ ଥିଲେ। ପ୍ରସାଦ ୧୭ ବର୍ଷ ଧରି ସିସି ମେମ୍ବର ରହିଥିଲେ। ସେହିପରି ପ୍ରଭାତ ମଧ୍ୟ ଚାରି ଦଶନ୍ଧି ଧରି ମାଓ ସଂଗଠନ ସହ ଜଡିତ ଥିଲେ। ଦୁଇ ଜଣଙ୍କ ନାମରେ ଦେଢ କୋଟିରୁ ଉର୍ଦ୍ଧ୍ବ ଟଂକାର ପୁରସ୍କାର ରାଶି ରହିଛି। ଚାରୋଟି ରାଜ୍ୟରେ ଏମାନେ ମୋଷ୍ଟ ୱାଣ୍ଟେଡ ରହିଥିଲେ।
ଏହି ଦୁଇ ନେତାଙ୍କର ଆତ୍ମସମର୍ପଣ ସଂଗଠନକୁ ଦୋହଲାଇ ଦେଇଛି। ଧିରେ ଧିରେ ସମସ୍ତ ସେଣ୍ଟ୍ରାଲ କମିଟି ମେମ୍ବର ମୁଖ୍ୟସ୍ରୋତରେ ସାମିଲ ହେଉଥିବା ବେଳେ ସଂଗଠନର ଅନ୍ୟ କର୍ମୀଙ୍କ ମଧ୍ୟ ମନୋବଳ ଭାଙ୍ଗୁଛି ବୋଲି ପୁଲିସ କହିଛି। ତେବେ ଆଗାମୀ ଦିନରେ ଆହୁରି ଅନେକ ମାଓବାଦୀ ମୁଖ୍ୟସ୍ରୋତରେ ସାମିଲ ହେବେ ବୋଲି ପୋଲିସ ଆଶା ପ୍ରକଟ କରିଛି।