ବ୍ରହ୍ମପୁର,୧୧।୨:  ଗୋଳନ୍ଥରା ଥାନା ଅଂଚଳରେ  ୫ଜଣଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିବା ଘଟଣାରେ ଆଉ ୨ ଜଣକୁ ପୋଲିସ ଗିରଫ କରିଛି।  ଗିରଫ ଦୁଇ ଜଣ  ହେଲେ  ସୁଭାଶିଷ ସାହୁ ଓ ରଣ୍ଡା ସରପଂଚ ଅଜିତ ରାଉଳ। ପୂର୍ବରୁ ଏହି ମାମଲାରେ ୩ ଜଣଙ୍କୁ ଗିରଫ କରିଥିଲା ପୋଲିସ। 

ଉଭୟ ପକ୍ଷ ମଧ୍ୟରେ ରାଜନୈତିକ ଶତ୍ରୁତା ରହିଥିଲା । ନିର୍ବାଚନ ପୂର୍ବରୁ ଓ ପରେ ଉଭୟ ପକ୍ଷ ପରସ୍ପରକୁ ଆକ୍ରମଣ କରି ଜେଲ ବି ଯାଇଥିଲେ। ତେବେ ଗତ ୭  ତାରିଖରେ ଏହି ଦୁଇ ଜଣଙ୍କ  କଥାରେ  ଗୋଲନ୍ଥରା ଥାନା ହଳଦିଆ ପଦର ଗ୍ରାମର ସୁବାସ ଦାସ, ସଦାନନ୍ଦ ଦାସ ଓ କନିସି ଗ୍ରାମର ଆଶିଷ ଦଳାଇ ମିଳିତ ଭାବେ ବାଇକରେ ଯାଇ  ୫ ଜଣଙ୍କୁ ଆକ୍ରମଣ କରିଥିଲେ।   ପୋଲିସ ତଦନ୍ତ କରି ପୂର୍ବରୁ ୩ ଜଣଙ୍କୁ ଗିରଫ କରିଥିଲା।  ଏବେ ୨ ଜଣଙ୍କୁ ଗିରଫ କରିଛି।   ଅଜିତଙ୍କ ନାଁରେ ପୂର୍ବରୁ ବହୁ ଅପରାଧିକ ମାମଲା ରହିଛି। ପୂର୍ବରୁ ଗିରଫ ହୋଇଥିବା ଅଭିଯୁକ୍ତ ସୁବାସ ଦାସ ନାମ ରେ ୧୪ ଟି, ସଦାନନ୍ଦ ଦାସ ନାମରେ ୧୦ ଟି ଓ ଆଶିଷ ଦଳାଇ ନାମରେ ୧୨ଟି ମାମଲା ରହିଛି।  ଏମାନଙ୍କ ଠାରୁ ୨ଟି ବାଇକ୍ ଓ ୨ଟି ଖଣ୍ଡା ପୋଲିସ ଜବତ୍ କରିଥିଲା ।