ଭୁବନେଶ୍ବର ୨୧।୩: ବିଜେଡିର ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ପ୍ରତାପ ଜେନାଙ୍କ କ୍ବାର୍ଟର୍ସ ଆଗରେ ହଙ୍ଗାମା ଘଟଣାରେ କ୍ୟାପିଟାଲ ଥାନା ପୁଲିସ ୨ ଜଣଙ୍କୁ ଗିରଫ କରିଛି। । ଗିରଫ ଯୁବକ ୨ ଜଣ ହେଲେ ସିଦ୍ଧାର୍ଥ ସ୍ବାଇଁ ଓ ଦେବୀ ପ୍ରସାଦ ଲେଙ୍କା । ଉଭୟଙ୍କୁ ପୁଲିସ କୋର୍ଟ ଚାଲାଣ କରିଛି।
ଶୁକ୍ରବାର ରାତିରେ ବିଜେଡିର ବରିଷ୍ଠ ନେତା ପ୍ରତାପ ଜେନାଙ୍କ କ୍ବାର୍ଟର୍ସ ଭିତରେ କିଛି ଯୁବକ ପଶି ପାଟିତୁଣ୍ଡ କରିଥିଲେ। ରାତି ଅଧରେ ୧୫ ରୁ ୨୦ ଜଣ ଯୁବକ ତାଙ୍କ ଘର ଆଗରେ ହୋହାଲ୍ଲା କରିବା ସହ ସିକ୍ୟୁରିଟି ଗାର୍ଡଙ୍କୁ ମାରପିଟ୍ କରିଥିଲେ। ଏହା ସହ ମୁଣ୍ଡରେ ବନ୍ଧୁକ ଲଗାଇ ଧମକ ଚମକ ଦେଇଥିଲେ। ଘର ଆଗରେ ବାଣ ଫୁଟାଇ ପାଟିତୁଣ୍ଡ କରିଥିଲେ । ଏହାକୁ ନେଇ ଶନିବାର ସାମ୍ବାଦିକ ସମ୍ମିଳନୀ କରି ପ୍ରତାପ ଜେନା ବର୍ଷିଥିଲେ। ରାଜଧାନୀରେ ଆଇନଶୃଙ୍ଖଳା ସମ୍ପୂର୍ଣ୍ଣ ଭୁଶୁଡ଼ି ପଡ଼ିଲାଣି ବୋଲି କହିଥିଲେ। ମୁଁ ଜଣେ ପୂର୍ବତନ ବିଧାୟକ, ମନ୍ତ୍ରୀ ହୋଇ ମୋ ଘର ଉପରେ ଆକ୍ରମଣ ହେଉଛି। ଖୋଦ ହାର୍ଟ ଅଫ ଦ ସିଟିରେ ଏଭଳି ଘଟଣା ଘଟୁଛି। ତେବେ ସାଧାରଣ ଲୋକ ଏଠି କେତେ ସୁରକ୍ଷିତ ବୋଲି ପ୍ରଶ୍ନ କରିଥିଲେ।
ବିସିଜେଡିର କିଛି ନିଲମ୍ବିତ ପିଲା ଓ ବିଜେପିର କିଛି ପିଲା ଏମିତି କରିଥିବାର ଭିଡ଼ିଓ ଆମ ପାଖରେ ଅଛି। ଆମେ ଏନେଇ କ୍ୟାପିଟାଲ ଥାନାରେ ଅଭିଯୋଗ କରିଛୁ। ଘଟଣାର ତଦନ୍ତ କରନ୍ତୁ ଓ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନିଆଯାଉ ବୋଲି ମୁଖ୍ୟମନ୍ତ୍ରୀଙ୍କୁ ନିବେଦନ କରିଥିଲେ । ରାଜଧାନୀରେ କେହି ବି ସୁରକ୍ଷିତ ନୁହନ୍ତି। ମୋ ପରିବାର ଏଠି ରହୁଛନ୍ତି। ମୁଁ ନିର୍ବାଚନ ମଣ୍ଡଳୀକୁ ଯାଇଥିଲି। ରାତିରେ ଫେରିଲା ପରେ ଜାଣିଲି ଏଭଳି ଘଟଣା ଘଟିଛି। ପୁଲିସକୁ ଅଭିଯୋଗ କରିବା ସହ ଘଟଣାର ଭିଡ଼ିଓ ଦେଇଛି। ତାର ତଦନ୍ତ ହେଉ ବୋଲି କହିଥିଲେ। ଏହି ଘଟଣା ପରେ ପ୍ରତାପ ଜେନାଙ୍କ ବାସଭବନରେ ସୁରକ୍ଷା ବଢାଯାଇଛି । ତାଙ୍କ ବାସଭବନ ପରେ ପୁଲିସ ମୃତୟନ କରାଯାଇଛି।