ଭୋଗରାଇ,୧୨/୧୧ : ଭୋଗରାଇ ଥାନା ଜୟରାମପୁର ପଞ୍ଚାୟତ ଅନ୍ତର୍ଗତ କାଠକଟା ଗ୍ରାମ ଦେଇ ଯାଇଥିବା ଭୁଆବନ୍ଧ ରାସ୍ତାର ଭଣ୍ଡାରିଆ ପୋଲ ନିକଟରେ ଆଜି ୨ଟି ବାଇକ୍ ମୁହାଁମୁହିଁ ଧକ୍କା ହେବା ଫଳରେ ଜଣେ ବାଇକ୍ ଚାଳକଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଛି । ଏଥିସହ ବାଇକରେ ଥିବା ଅନ୍ୟ ୩ଜଣ ଗୁରୁତର ହୋଇଥିବାବେଳେ ସେମାନଙ୍କୁ ଜଳେଶ୍ଵରପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ପ୍ରାଥମିକ ଚିକିତ୍ସା ପରେ ବାଲେଶ୍ଵର ସ୍ଥାନାନ୍ତର କରାଯାଇଛି।
ସୂଚନା ଅନୁସାରେ, ଆଜି ସକାଳେ ବାଲିଆପାଳ ଥାନା ମଧୁପୁରା ପଞ୍ଚାୟତ ଅନ୍ତର୍ଗତ ପଞ୍ଚରୁଖୀ ଗ୍ରାମର ସ୍ବର୍ଗତ ରବିନ୍ଦ୍ର ଜେନାଙ୍କ ପୁଅ କମଳାକାନ୍ତ (୪୪) ମଧୁପୁରା ଗ୍ରାମର ଦିବାକର ଜେନାଙ୍କ ପୁଅ ରାଜେନ୍ଦ୍ର ଜେନାଙ୍କ ସହିତ ତାଙ୍କ ମୋଟରସାଇକେଲରେ ଜଳେଶ୍ଵର ଥାନା ନାମ୍ପୋ ଅଞ୍ଚଳରେ ଥିବା ନିଜ ଝିଅ ଘରକୁ ପଢ଼ୁଆଁ ଅଷ୍ଟମୀ ଭାର ନେଇ ଯାଇଥିଲେ । ଅପରାହ୍ନରେ ସେଠାରୁ ଫେରି ଭୋଗରାଇ ଥାନା ଜୟରାମପୁର ପଞ୍ଚାୟତ ଅନ୍ତର୍ଗତ ଠାକୁରଭଉଁରୀ ଗାଁରେ ଥିବା ରାଜେନ୍ଦ୍ରଙ୍କ ଶଶୁର ଘରକୁ ଆସୁଥିବାବେଳେ ଭୁଆବନ୍ଧ ରାସ୍ତାର ଭଣ୍ଡାରିଆ ପୋଲ ନିକଟରେ ବିପରୀତ ଦିଗରୁ ରଣକୋଠା ଗାଁକୁ କଲେକ୍ସନ ପାଇଁ ଯାଉଥିବା ଥାନା ଛକ ଅନ୍ନପୂର୍ଣ୍ଣା ଫାଇନାନ୍ସ କମ୍ପାନୀର ୨ ଜଣ ଯୁବକ, ସୋର ଥାନା ଓ୍ବାଦା ଗାଁର ରାଧାକୃଷ୍ଣ ପଣ୍ଡାଙ୍କ ପୁଅ ସତ୍ୟରଞ୍ଜନ ପଣ୍ଡା ଓ ବସ୍ତା ଥାନା ତଳତାପଣ୍ଡା ଗାଁର ପଞ୍ଚାନନ ପ୍ରମାଣିକଙ୍କ ପୁଅ ପବିତ୍ର ପ୍ରମାଣିକଙ୍କ ବାଇକ୍ ସହିତ ମୁହାଁମୁହିଁ ଧକ୍କା ହୋଇଥିଲା ।
ଫଳରେ କମଳାକାନ୍ତ ଜେନାଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିବା ସହ ବାଇକରେ ବସିଥିବା ରାଜେନ୍ଦ୍ର ଏବଂ ଅନ୍ୟ ଏକ ବାଇକରେ ଥିବା ସତ୍ୟରଞ୍ଜନ ଓ ପବିତ୍ରଙ୍କୁ ସ୍ଥାନୀୟ ଲୋକେ ଗୁରୁତର ଅବସ୍ଥାରେ ପ୍ରଥମେ ଜଳେଶ୍ଵରପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇ ଯାଇଥିଲେ । ମାତ୍ର ସେଠାରେ ସ୍ବାସ୍ଥ୍ୟବସ୍ଥା ଅଧିକ ଗୁରୁତର ହେବାରୁ ସେମାନଙ୍କୁ ବାଲେଶ୍ବର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା । ଖବରପାଇ ଭୋଗରାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ବ୍ୟବଚ୍ଛେଦ ପାଇଁ ଜଳେଶ୍ଵରପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ପଠାଇଥିଲେ । ଏଥିସହିତ ୨ଟି ବାଇକକୁ ଜବତ କରି ଥାନାକୁ ନେବା ସହିତ କେସ୍ ନମ୍ବର ୩୪୨/୨୫ ରେ ଏକ ମାମଲା ରୁଜ୍ଜୁ କରି ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି ।