ବାଂଶପାଳ ,୧୪।୬: କେନ୍ଦୁଝର ଜିଲ୍ଲା ବାଂଶପାଳ ବ୍ଲକ୍ କାଞ୍ଜିପାଣି ଥାନା ଏନଏଚ ୪୯ କୁଆଁର ଠାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ସମାନ ସ୍ଥାନରେ ପୃଥକ ଦୁର୍ଘଟଣାରେ ୫ ଜଣଙ୍କ ମୃତ୍ୟୁ ଘଟିଛି। ଟ୍ରକ ଧକ୍କାରେ ୩ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଏକ ଦୁର୍ଘଟଣାରେ ଅଜଣା ଗାଡି ଧକ୍କାରେ ୨ ଭାଇଙ୍କ ଜୀବନ ଯାଇଛି।
ସୂଚନାଯୋଗ୍ୟ ଯେ, କୁଆଁର ଗାଁର ଲକ୍ଷ୍ମଣ ସନଙ୍ଗି ଓ ତାଙ୍କ ଭାଇ ବିଛି ସନଙ୍ଗି ରଜରେ ବାୟା ପାଣ୍ଡାଧାର ଆଡୁ ନିଜ ଗାଁ କୁଆଁରକୁ ବାଇକରେ ଫେରୁଥିଲେ। କୁଆଁର ଢ଼ାବା ନିକଟରେ ଅଜଣା ଗାଡି ବାଇକକୁ ଧକ୍କା ଦେଇଥିଲା । ଘଟଣାସ୍ଥଳରେ ହିଁ ଦୁଇ ଜଣ ପ୍ରାଣ ହରାଇଥିଲେ । କାଞ୍ଜିପାଣି ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହ ଘଟଣାର ତଦନ୍ତ କରୁଛି । ପୋଲିସ ଦୁର୍ଘଟଣା ଘଟାଇଥିବା ଗାଡିକୁ ଧରିବାକୁ ଛାନଭିନ ଚଳାଇଛି । ଦୁଇ ଭାଇଙ୍କ ମୃତ୍ୟୁ ଘଟଣାରେ ଗ୍ରାମରେ ଶୋକର ଛାୟା ଖେଳିଯାଇଛି ।
ସେହିପରି କୁଆଁରଠାରେ ଆଉ ଏକ ଦୁର୍ଘଟଣା ଘଟିଥିଲା। ରଙ୍ଗ୍ ରୁଟରେ ୩ ବାଇକ ଆରୋହୀ ଆସୁଥିବା ବେଳେ ଟ୍ରକ ଧକ୍କା ଦେଇଥିଲା। ଘଟଣାସ୍ଥଳରେ ୩ ଜଣଙ୍କ ମୃତ୍ୟୁ ଘଟିଥିଲା। ପୁଲିସ ପହଞ୍ଚି ମୃତଦେହ ଜବତ କରି ବ୍ୟବଛେଦ ପାଇଁ ପଠାଇବା ସହ ଟ୍ରକ ଜବତ କରିଛି।