କଟକ, ୨୫/୦୭: ଥାନା, ଫାଣ୍ଡିରେ ନିୟୋଜିତ ପୁଲିସ ଅଫିସର୍ମାନଙ୍କ ପାଇଁ ସ୍ପିଡ୍ ବାଇକ୍ ଓ ମହିଳା ଅଫିସର୍ଙ୍କ ଲାଗି ସ୍କୁଟର୍ କିଣାଯାଇଛି। ସେହିପରି ଦୁର୍ଗମ ଇଲାକା ଓ ଟ୍ରାଫିକ୍ ପୁଲିସ ପାଟ୍ରୋଲିଂରେ ବ୍ୟବହାର ପାଇଁ ବୁଲେଟ୍ କିଣାଯାଇଛି । ବୁଲେଟ୍, ସ୍ପିଡ୍ ବାଇକ୍ ଓ ସ୍କୁଟର ଚଢ଼ି ପୁଲିସ ଅଫିସରମାନେ ତଦନ୍ତ ପାଇଁ ଘଟଣାସ୍ଥଳକୁ ଯା’ଆସ କରିବେ ବୋଲି ପୁଲିସ ମୁଖ୍ୟାଳୟ କୋଟି କୋଟି ଟଙ୍କା ଖର୍ଚ୍ଚ କରି ଗାଡ଼ି କିଣିଛି । ଉକ୍ତ ନୂଆ ଗାଡ଼ିଗୁଡ଼ିକ ପୁଲିସ ମୋଟର ପରିବହନ ସଂସ୍ଥା(ପିଏମ୍ଟି)ଅଧୀନରେ କିଣାଯାଇ ତାହା କଟକ ଆର୍ଟିଓ(ଆଞ୍ଚଳିକ ପରିବହନ ଅଧିକାରୀ)ଙ୍କ କାର୍ଯ୍ୟାଳୟରେ ରେଜିଷ୍ଟ୍ରେସନ୍ କାର୍ଯ୍ୟ ମଧ୍ୟ ସରିଛି । ପୁଲିସ ବିଭାଗ ଶହ ଶହ ସଂଖ୍ୟାରେ ବୁଲେଟ୍, ଆପାଚି ବାଇକ୍ ଓ ସ୍କୁଟି କିଣି ତାହାକୁ ପିଏମ୍ଟି ମାର୍ଫତରେ ଥୋଇ ଦେଇ ଏବେ ଦାୟିତ୍ୱ ସାରିବସିଛି ।
ଜାଗା ଅଭାବରୁ ପିଏମ୍ଟି ସଂସ୍ଥା ନୂଆ ଗାଡ଼ିଗୁଡ଼ିକୁ ଷଷ୍ଠ ବାଟାଲିୟନ୍ ପରିସରରେ ଗଦା କରିଛି । ପ୍ରାୟ ତିନି ମାସ ହେଲା ଦୁଇ କୋଟିରୁ ଅଧିକ ଟଙ୍କାର ଗାଡ଼ି ଷଷ୍ଠ ବାଟାଲିୟନ୍ ପରିସରରେ ଖୋଲା ଆକାଶ ତଳେ ଖରା ଓ ବର୍ଷାରେ ପଡ଼ିଛି । ନୂଆ ଗାଡ଼ିଗୁଡ଼ିକ ବାହାରେ ପଡ଼ିଥିଲେ ହେଁ ଏହାର ରକ୍ଷଣାବେକ୍ଷଣ କରିବାକୁ କେହି ନାହିଁ । ଏଣୁ ଏହା ଧୀରେ ଧୀରେ ନଷ୍ଟ ହେବାକୁ ବସିଲାଣି ।
ରାଜ୍ୟ ବ୍ୟାପୀ ବିଭିନ୍ନ ଥାନାର ଏଏସ୍ଆଇଙ୍କଠାରୁ ଏସ୍ଆଇ, ଇନ୍ସପେକ୍ଟରମାନଙ୍କ ପାଇଁ କିଣାଯାଇଥିବା ନୂଆ ଗାଡ଼ିଗୁଡ଼ିକ ଜିଲ୍ଲା ସ୍ତରକୁ ଯୋଗାଣ ପାଇଁ ୨୭ ଶହ ବାଇକ୍, ୨ ଶହ ବୁଲେଟ୍, ୭ ଶହ ସ୍କୁଟି ପ୍ରାୟ ୩ ମାସ ହେଲା କିଣାଯାଇଛି । ପ୍ରତି ଜିଲ୍ଲାକୁ ଯୋଗାଣ ପାଇଁ ବ୍ୟବସ୍ଥା ରହିଥିଲେ ହେଁ ତାହା କାହିଁକି ପଠାଯାଉନାହିଁ ସେ ସମ୍ପର୍କରେ ପିଏମ୍ଟି ସଂସ୍ଥାର ଅଧିକାରୀମାନେ ମୁହଁ ଖୋଲୁନାହାନ୍ତି । କଟକ କମିସନରେଟ୍, ଭୁବନେଶ୍ୱର କମିସନରେଟ୍, କଟକ ଜିଲ୍ଲା ପୁଲିସର ଅଫିସରମାନଙ୍କ ପାଇଁ ପ୍ରାଥମିକ ପର୍ଯ୍ୟାୟରେ କିଛି ବାଇକ୍ ଓ ସ୍କୁଟର୍ ଯୋଗାଇ ଦିଆଯାଇଥିଲେ ହେଁ ବାକି ଅନେକ ଜିଲ୍ଲାକୁ ବୁଲେଟ୍, ଆପାଚି ବାଇକ୍ ଓ ସ୍କୁଟର୍ ଯୋଗାଣ ନ ହୋଇ ଗଦା ହୋଇଛି । ଅଫିସର୍ମାନଙ୍କ ପାଇଁ ପୁଲିସ ବିଭାଗ ପକ୍ଷରୁ ଟିଭିଏସ୍ ଆପାଚି ସ୍ପିଡ୍ ବାଇକ୍ ରାଜ୍ୟ ବ୍ୟାପୀ ବନ୍ଦୋବସ୍ତ କରାଯାଇଛି । ବାଇକ୍ ପିଛା ମାସକୁ ୨୦ ଲିଟର ପେଟ୍ରୋଲ୍ ମିଳିବ । ଆବଶ୍ୟକ ସ୍ଥଳେ ତେଲ ପରିମାଣ ବଢ଼ାଇବା ପାଇଁ ମଧ୍ୟ ଏସ୍ପି ଏବଂ କମିସନରେଟ୍ ଡିସିପିଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।
ଅଫିସର୍ମାନେ ଘଟଣାସ୍ଥଳକୁ ତଦନ୍ତ କିମ୍ବା ପୁଲିସର ବିଭିନ୍ନ କାମରେ ଏହି ଆପାଚି ବାଇକ୍ ନେଇଯିବା ଲାଗି ସୁବିଧା ରହିଛି । ତେବେ ପ୍ରାଥମିକ ପର୍ଯ୍ୟାୟରେ ପୁରୁଷ ବର୍ଗର ଅଫିସର୍ମାନଙ୍କ ପାଇଁ ଆପାଚି ବାଇକ୍ ଦିଆଯାଇଥିବା ବେଳେ ମହିଳା ଅଫିସର୍ମାନଙ୍କ ସ୍କୁଟି ବନ୍ଦୋବସ୍ତ କରାଯାଉଥିବା ସୂଚନା ମିଳିଛି । ଟେଣ୍ଡର୍ ମାଧ୍ୟମରେ ପୁଲିସ ବିଭାଗ ଗାଡ଼ି ଗୁଡ଼ିକୁ କିଣିଥିଲେ ହେଁ ତାହା ପିଏମ୍ଟି ଏସ୍ପିଙ୍କ ନାଁରେ ପରିବହନ ବିଭାଗରେ ରେଜିଷ୍ଟ୍ରେସନ୍ ହୋଇଛି । ଉକ୍ତ ଗାଡ଼ିଗୁଡ଼ିକ ଦୀର୍ଘ ଦିନ ହେଲା ଖରା, ବର୍ଷାରେ ବାହାରେ ପଡ଼ି ନଷ୍ଟ ହେଉଥିଲେ ହେଁ ଏହାକୁ ଦେଖାଶୁଣା କରିବାକୁ କେହି ନାହିଁ ।
ଅନ୍ୟପକ୍ଷରେ ପିଏମ୍ଟି ବିଭାଗରେ ଏସ୍ପି ଏବେ ନାହାନ୍ତି । ଏସ୍ପି ନ ଥିବାରୁ ଗାଡ଼ି ଯୋଗାଣରେ ବିଳମ୍ବ ହେଉଥିବା ଖବର ମିଳିଛି । ଏ ସମ୍ପର୍କରେ ପୁଲିସ ମୁଖ୍ୟାଳୟର ପ୍ରୋଭିଜନିଙ୍ଗ୍ ଡିଆଇଜି ଚରଣ ସିଂ ମୀନାଙ୍କ ପ୍ରତିକ୍ରିୟା ନେବାରୁ ସେ କହିଥିଲେ, ରାଜ୍ୟର ବିଭିନ୍ନ ଜିଲ୍ଲାର ତଦନ୍ତକାରୀ ଅଫିସରମାନଙ୍କ ପାଇଁ ନୂଆ ଦୁଇ ଚକିଆ ଗାଡ଼ି ପଠାଯାଇ ସାରିଛି । ଆଉ ଯେଉଁ କିଛି ଗାଡ଼ି ରହିଛି ତାହାକୁ ଭୁବନେଶ୍ୱରରେ ଟ୍ରେନିଂ ନେଉଥିବା ନବାଗତ ଅଫିସରଙ୍କୁ ପ୍ରଦାନ କରାଯିବ।