ନୂଆଦିଲ୍ଲୀ ୧୫/୦୧: ବିଶାଲ ଭରଦ୍ୱାଜଙ୍କ ନିର୍ଦ୍ଦେଶିତ, ସାଜିଦ ନାଦିଆଦୱାଲାଙ୍କ ପ୍ରଯୋଜିତ ‘ଓ’ ରୋମିଓ’ର ଟିଜର୍କୁ ନେଇ ବିବାଦ ଉପୁଜିଛି । ମୁମ୍ବାଇର କୁଖ୍ୟାତ ଗ୍ୟାଙ୍ଗ୍ଷ୍ଟାର ହୁସୈନ ଶେଖ୍ ଓରଫ ଉସ୍ତରାଙ୍କ ଝିଅ ସନୋବର ଶେଖ୍ ଫିଲ୍ମର ନିର୍ମାତାଙ୍କୁ ନୋଟିସ୍ ପଠାଇଛନ୍ତି । ତାଙ୍କର ଅଭିଯୋଗ, ତାଙ୍କ ପରିବାର ଅନୁମତି ବିନା ଫିଲ୍ମରେ ଶାହିଦ କପୁରଙ୍କ ଚରିତ୍ର ଜରିଆରେ ତାଙ୍କ ବାପାଙ୍କ ଛବିକୁ ଭୁଲ ଢଙ୍ଗରେ ପ୍ରଦର୍ଶନ କରାଯାଇଛି । ଏହା ଦ୍ୱାରା ତାଙ୍କ ପରିବାରର ସମ୍ମାନ ଉପରେ ଆଞ୍ଚ୍ ଆସିଛି । ଏଥିପାଇଁ ସେ ନିର୍ମାତାଙ୍କଠୁ ୨ କୋଟି ଟଙ୍କା କ୍ଷତିପୂରଣ ଦାବି କରିଛନ୍ତି । ନିର୍ମାତାଙ୍କୁ ୭ ଦିନ ସମୟ ଦେଇଛନ୍ତି । ମାମଲାର ସମାଧାନ ନ ହେବା ପର୍ଯ୍ୟନ୍ତ ଫିଲ୍ମ ରିଲିଜ୍ ନ କରିବାକୁ ସେ ନୋଟିସ୍ରେ ସ୍ପଷ୍ଟ କରିଛନ୍ତି ।
ଫିଲ୍ମର ଟିଜର୍ ରିଲିଜ୍ ପରଠୁ ଅନେକ ରିପୋର୍ଟରେ ଦାବି ହେଉଛି, ଶାହିଦଙ୍କ ଚରିତ୍ର ଗ୍ୟାଙ୍ଗଷ୍ଟର୍ ଉସ୍ତରା ଦ୍ୱାରା ପ୍ରେରିତ । କିନ୍ତୁ ନିର୍ମାତାଙ୍କ ତରଫରୁ ଏ ନେଇ କୌଣସି ସୂଚନା ମିଳିନାହିଁ । ‘ଓ ରୋମିଓ’ ଆସନ୍ତା ଫେବ୍ରୁଆରୀ ୧୩ରେ ମୁକ୍ତିଲାଭ କରିବ । ଫିଲ୍ମରେ ଶାହିଦଙ୍କ ସହ ତୃପ୍ତି ଡିମ୍ରୀ ପ୍ରଥମ ଥର ସ୍କ୍ରିନ୍ ଶେୟାର କରିବେ । ନାନା ପାଟେକର, ଅବିନାଶ ତିୱାରୀ, ବିକ୍ରାନ୍ତ ମେସୀ, ଦିଶା ପଟାନି ଓ ତମନ୍ନା ଭାଟିଆ ଏଥିରେ ଅଭିନୟ କରିଛନ୍ତି ।