ଭୁବନେଶ୍ବର,୨୪।୮ : ନିବେଶ ଆଳରେ  ଠକେଇ କରିବା ଅଭିଯୋଗରେ କ୍ରାଇମବ୍ରାଞ୍ଚ ପୁଲିସ ୨ ସାଇବର ଠକଙ୍କୁ ଗିରଫ କରିଛି। ଗିରଫ ୨ ସାଇବର ଠକ ହେଲେ ଲୁଧିଆନାର ବିଟୁ କୁମାର ଓ ଆନ୍ଧ୍ର ପ୍ରଦେଶର ଗୁଣ୍ଟୁର ଜିଲ୍ଲାରୁ ଚପଲାମାଡୁଗୁ ସୁଧୀର କୁମାର । ସେମାନେ  ଜଣଙ୍କ ଠାରୁ ୬ କୋଟିରୁ ଉର୍ଦ୍ଧ୍ବ ଟଙ୍କା ଏବଂ ଆଉ ଜଣଙ୍କ ଠାରୁ ଏକ କୋଟି ରୁ ଉର୍ଦ୍ଧ୍ବ ଟଙ୍କା ଠକେଇ କରିଛନ୍ତି।

 ଅନଲାଇନ ଟ୍ରେଡିଂ ରେ ନିବେଶ କଲେ ଅଧିକ ଲାଭ ହେବ ବୋଲି ଜଣେ ବ୍ୟକ୍ତିଙ୍କୁ ସାଇବର ଠକ କହିଥିଲେ। ବ୍ୟକ୍ତି ଜଣକ ଅଧିକ ଲାଭ ଆଶାରେ  ବିଭିନ୍ନ ଫଣ୍ଡରେ  ୬କୋଟି ୧୬ ଲକ୍ଷ ୩୭ ହଜାର ୮୪ ଟଙ୍କା ନିବେଶ କରିଥିଲେ। ତେବେ ଏହାପରେ ତାଙ୍କର‌ କିଛି ଟଙ୍କା କ୍ଷତି ହୋଇଥିଲା। ଏହାପରେ ସେ ଟଙ୍କା ଉଠାଇବା ପାଇଁ ଚେଷ୍ଟା କଲାବେଳେ ତାଙ୍କର ଟଙ୍କା ଉଠାଣ କରିପାରିନଥିଲେ । ଆଉ ଟଙ୍କା ପୁଣି ଡିପୋଜିଟ୍ କଲେ ଉଠାଣ ହୋଇପାରିବ ବୋଲି ଅନଲାଇନରେ ଦେଖେଇଥିଲା। ଏହାପରେ ବ୍ୟକ୍ତି ଜଣକ ଠକାମୀର ଶିକାର ହୋଇଥିବା ଜାଣି କ୍ରାଇମବ୍ରାଞ୍ଚରେ ଏତଲା ଦେଇଥିଲେ। କ୍ରାଇମବ୍ରାଞ୍ଚ ତଦନ୍ତ କରି ପଞ୍ଜାବ ଲୁଧିଆନାର ବିଟୁ କୁମାରଙ୍କୁ ଗିରଫ କରିଛି। ତାଙ୍କ ନିକଟରୁ ମୋବାଇଲ ଫୋନ୍ ,  ସିମକାର୍ଡ , ଡେବିଟ କାର୍ଡ ଜବତ କରିଛି।

ସେହିପରି ସମାନ ଢଙ୍ଗରେ ଆଉ ଜଣେ ବ୍ୟକ୍ତି ଠକାମୀ ର ଶିକାର ହୋଇ ୧ କୋଟି‌ ୧ ଲକ୍ଷ ୪୪ ହଜାର ୬ ଶହ ଟଙ୍କା ହରେଇ ଥିଲେ।  ଏ ନେଇ ବ୍ୟକ୍ତି ଜଣକ କ୍ରାଇମ୍ରବାଞ୍ଚରେ ଅଭିଯୋଗ କରିଥିଲେ। କ୍ରାଇମବ୍ରାଞ୍ଚ ପୁଲିସ ତଦନ୍ତ କରି  ଆନ୍ଧ୍ର ପ୍ରଦେଶର ଗୁଣ୍ଟୁର ଜିଲ୍ଲାରୁ ଚପଲାମାଡୁଗୁ ସୁଧୀର କୁମାରଙ୍କୁ ଗିରଫ କରିଛି।