ନମୌଜା,୨୯|୯(ଆପ୍ର):କେନ୍ଦ୍ରାପଡ଼ା ଜିଲ୍ଲା ଆଳି ଥାନା ଅଧୀନ ଗୋପୀନାଥପୁର ଛକ ନିକଟରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। କାର- ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇ ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨ ଜଣ ଗୁରୁତର ହୋଇଛନ୍ତି। ମୃତକମାନେ ହେଲେ ଅରଡ଼ପଲ୍ଲୀ ଗ୍ରାମର ନରେନ୍ଦ୍ର ଦାସ(୨୬) ଓ ଅରଡ଼ ଗ୍ରାମର ଅଜିତ ନାୟକ(୩୬)।
ରାଜକନିକା ଥାନା ବରାଡ଼ିଆ ପଞ୍ଚାୟତ ଶିକୁଡି ଗ୍ରାମର ହରିଶ୍ଚନ୍ଦ୍ର ରାଉତ (୬୭) ଓ ତାଙ୍କ ପତ୍ନୀ ଶାନ୍ତିଲତା ରାଉତ (୫୨) ଏକ କାର ଯୋଗେ କଟକ ରୁ ଫେରୁଥିଲେ l ସେହି ସମୟରେ ଆଳି ପଟୁ ପଟ୍ଟାମୁଣ୍ଡାଇ ଅରଡ଼ପଲ୍ଲୀ ଗ୍ରାମର ନରେନ୍ଦ୍ର ଦାସ(୨୬) ଓ ପଟ୍ଟାମୁଣ୍ଡାଇ ଗ୍ରାମର ଅରଡ଼ ଗ୍ରାମର ଅଜିତ ନାୟକ(୩୬) ଏକ ବାଇକରେ ନିଜ ଗାଁକୁ ଫେରୁଥିଲେ l ଆଳି ଥାନା ଗୋପୀନାଥପୁର ଛକ ନିକଟରେ ଉଭୟ କାର ଏବଂ ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲା l ଆଳି ଅଗ୍ନିଶମ ବାହିନୀ ଘଟଣା ସ୍ଥଳରୁ ସମସ୍ତଙ୍କୁ ଉଦ୍ଧାର କରି ଆଳି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଆଣିଥିଲେ l ସେଠାରେ ଡାକ୍ତର ନରେନ୍ଦ୍ର ଓ ଅଜିତଙ୍କୁ ମୃତ ଘୋଷଣା କରିଥିଲେ। ହରିଶ୍ଚନ୍ଦ୍ର ଓ ଶାନ୍ତିଲତାଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ହେବାରୁ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି।